Unknown

 

 

 

 

 

 

 

 

 

 

 

ପାଗଳ ଜନତାର ଦୂରେ

ଶ୍ରୀ ଦିବାକର ପାଣି

 

 

 

 

 

 

 

 

 

ପାଗଳ ଜନତାର ଦୂରେ

 

[ଥୋମାସ୍‌ ହାର୍ଡ଼ିଙ୍କ ଉପନ୍ୟାସ Far from the Madding Crowdର

ସଂକ୍ଷିପ୍ତ ଓଡ଼ିଆ ଅନୁବାଦ ।]

 

ଅନୁବାଦକ

ଶ୍ରୀ ଦିବାକର ପାଣି ବି.ଏ. (ଅନର୍ସ), ବି.ଇଡ଼ି

 

କୃଷକ ଓକ୍‌

 

ଓକ୍‌ ହସିଲେ ତା ହସର ଧାର ଓଠ ପାଖରୁ କାନଯାଏ ଲମ୍ୱିଯାଏ । ଆଖି ଦୁଇଟି ସରୁଗାର ପରି ଦେଖାଯାଏ । ମୁହଁର କୁଞ୍ଚିତ ରେଖା ଦିଶେ ଯେମିତି ଛୋଟ ପିଲା ଉଇଁଲା ସୂର୍ଯ୍ୟକିରଣର ଚିତ୍ର ଆଙ୍କିଛି ।

ଓକ୍‌ଚାଷୀ, ତାର ପ୍ରଥମ ନାମ ଗାବ୍ରିଏଲ୍‌ । ସେ ଯୁବକ, ତା ଚରିତ୍ର, ବିଚାର ବୁଦ୍ଧି ଖୁବ୍‌ ଭଲ । ପୋଷାକ ପତ୍ର ମଧ୍ୟ ରୁଚିକର । ସେତେବେଳକୁ ସେ ତରୁଣର ବେପରୁଆ ଜୀବନ ପାରହୋଇ ସାରିଥାଏ, କିନ୍ତୁ ସ୍ତ୍ରୀ ବା ପରିବାରର ଦାୟିତ୍ୱ ତା ଉପରକୁ ଆସି ନଥାଏ । ମୋଟ ଉପରେ ସେ ଅଠେଇଶ ବର୍ଷର ଜଣେ ଅବିବାହିତ ଯୁବକ ।

ସେଦିନ ସକାଳେ ଓକ୍‌ ତା କ୍ଷେତରେ କାମ କରୁଥିଲା । କ୍ଷେତ କଡ଼ରୁ ନରକୋମ୍ୱ ପାହାଡ଼ ମାଳା ଆସ୍ତେ ଆସ୍ତେ ଉଠିଯାଇଛି । ବାଡ଼ ଉପର ଦେଇ ସେ ଦେଖିଲା ପାହାଡ଼ ଉପର ରାସ୍ତାରେ ଗୋଟେ ଗାଡ଼ି ଗଡ଼ିଆସୁଛି । ବେଶ୍‌ ଚକଚକିଆ ଗାଡ଼ି, ଦୁଇଟା ଘୋଡ଼ା ଯୋଚା ହୋଇଛନ୍ତି, ଗାଡ଼ିବାଲା ହାତରେ ଗୋଟେ ଚାବୁକ୍‌ ଧରି କଡ଼େ କଡ଼େ ଚାଲିଛି । ଗାଡ଼ି ଭିତରେ ଘରର ସାଜ ସରଞ୍ଜାମ ସବୁ ଲଦାଯାଇଛି । ଉପରେ ଜଣେ ସୁନ୍ଦରୀ ତରୁଣୀ ବସିଛି । ଅଧ ମିନିଟ୍‌କ ଭିତରେ ଗାଡ଼ିଟା ଆସି ତା ସାମନାରେ ପହଞ୍ଚିଗଲା ।

‘‘ଗାଡ଼ିର ପଛପାଖ ପଟାଟା ନାହିଁ,’’ ଗାଡ଼ିବାଲା କହିଲା । ଖୁବ୍‌ ନରମ ସ୍ୱରରେ ତରୁଣୀ ଉତ୍ତର ଦେଲେ, ‘ହଁ, ସେଟା ପଡ଼ିଗଲାବେଳେ ମୁଁ ଶୁଣିଛି । ଆମେ ପାହାଡ଼ ଉପରୁ ଗଡ଼ି ଆସିଲା ବେଳେ ଶବ୍ଦଟା ଶୁଭିଲା ।’’

 

‘‘ମୁଁ ଦୌଡ଼ିଯାଉଛି ନେଇ ଆସିବି ।’’

 

ଘୋଡ଼ା ଦୁଇଟା କଥା ବୁଝିଲା ପରି ଧୀର ହୋଇ ଠିଆହୋଇ ଗଲେ । ଲୋକଟା ଦୌଡ଼ି ଦୌଡ଼ି ଚାଲିଗଲା । ତରୁଣୀଟି କିଛି ସମୟ ଚୁପ୍‌ଚାପ୍‌ ବସି ରହିଲେ । ତା’ପରେ ତାଙ୍କ ପାଖରେ ଥୁଆ ହୋଇଥିବା ଗୋଟେ ଲମ୍ୱା କାଗଜ ପୁଡ଼ିଆ ଆଣି ଖୋଲିଲେ । ତା’ ଭିତରୁ ଗୋଟେ ଛୋଟ ଦର୍ପଣ କାଢ଼ି ମୁହଁ ଦେଖିଲେ । ମୁହଁରେ ତାଙ୍କର ଫୁଟି ଉଠିଲା ସରୁ ହସ ରେଖାଟିଏ ।

 

ସକାଳରେ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ତରୁଣୀର ଲାଲ ରଙ୍ଗର କୁରୁତା ଉପରେ ପଡ଼ି ଚକ୍‌ଚକ୍‌ କରୁଥାଏ । ଗୋରା ତକ୍‌ ତକ୍‌ ମୁହଁ ଆଉ ଘନ କଳା ବାଳ ମଧ୍ୟ ସୂର୍ଯ୍ୟ କିରଣରେ ଝଲସି ଉଠୁଥାଏ । ଗାବ୍ରିଏଲ୍‌ ଓକ୍‌ ତରୁଣୀଟିକୁ ଚାହିଁ ଆପେ ଆପେ ହସି ପକାଇଲା । ଦର୍ପଣରେ ମୁହଁ ଦେଖିବାର କିଛି ଦର୍କାର ନଥିଲା । ସେ ମୁଣ୍ଡର ଟୋପି ବା ବାଳ କିଛି ହେଲେ ତ ସଜାଡ଼ିଲା ନାହିଁ; ଖାଲି ନିଜେ ନିଜକୁ ପସନ୍ଦ କରୁଥିଲା ।

 

ଗାଡ଼ିବାଲା ଫେରିବାର ପାଦ ଶବ୍ଦ ଶୁଣାଗଲା । ତରୁଣୀ ଦର୍ପଣଟିକୁ ପୁଣି କାଗଜରେ ଗୁଡ଼ାଇ ତା ଜାଗାରେ ରଖିଦେଲେ । ଗାଡ଼ି ତା ବାଟରେ ଚାଲିଗଲା, ଆଉ ଗାବ୍ରିଏଲ୍‌ ବାଡ଼ ଡେଇଁ ରାସ୍ତା ଉପରକୁ ଆସିଲା । ସେ ଗାଡ଼ି ପଛେ ପଛେ ଚାଲିଲା । ଗାଡ଼ି ଯାଇ ପାହାଡ଼ ତଳ ମାସୁଲ ଆଦାୟ ଫାଟକ ପାଖରେ ପହଞ୍ଚିଲା । ଗାଡ଼ିବାଲା ଫାଟକ ଜଗୁଆଳକୁ ମାସୁଲ ଦେବାକୁ ଗଲା । ଗାବ୍ରିଏଲ୍‍ ସେଠି ପହଞ୍ଚି ଶୁଣିଲା, ଗାଡ଼ିବାଲା ଆଉ ଫାଟକ ଜଗୁଆଳ ଭିତରେ ଯୁକ୍ତିତର୍କ ଲାଗିଛି । ତରୁଣୀଟି ପାଇଁ ଜଗୁଆଳ ଆଉ ଦୁଇ ପେନ୍‌ସ ଅଧିକ ମାସୁଲ ଦାବୀ କରୁଛି ।

 

ଗାଡ଼ିବାଲା କହିଲା, ‘‘ମୋ ମାଲିକାଣୀଙ୍କ ଝିଆରୀ ଏ ଉପରେ ବସିଛନ୍ତି । ସେ କହୁଛନ୍ତି ଯେ ସେ ଯଥେଷ୍ଟ ମାସୁଲ ଦେଇ ସାରିଛନ୍ତି । ଆଉ କିଛି ଦେବେନାହିଁ ।’’

 

ଫାଟକ ଜଗୁଆଳ ଫାଟକ ବନ୍ଦ କରି ଦେଇ କହିଲା, ‘‘ତା’ହେଲେ ତୁମ ମାଲିକାଣୀଙ୍କ ଝିଆରୀ ଏ ବାଟେ ଯାଇ ପାରିବେ ନାହିଁ ।’’

 

ଓକ୍‌ ସେ ଦୁହିଁଙ୍କ ଆଡ଼କୁ ଚାହିଁ ଟିକିଏ ଠିଆହୋଇ କ’ଣ ଭାବିଲା । ଶେଷରେ ସେ ଆଗେଇ ଯାଇ ଫାଟକ ଜଗୁଆଳକୁ ଦୁଇ ପେନ୍‌ସ ବଢ଼ାଇ ଦେଇ କହିଲା, ‘‘ଏଇ ନିଅ, ଭଦ୍ରମହିଳାଙ୍କୁ ଯିବାକୁ ଦିଅ ।’’

 

ସେ ତରୁଣୀଟି ଆଡ଼କୁ ମୁହଁ ଟେକି ଚାହିଁଲା । ତରୁଣୀ ମଧ୍ୟ ତା କଥା ଶୁଣି ତଳକୁ ଚାହିଁଲେ । ସେ ଚାହାଣୀ ପୂରା ବେଖାତିରିଆ । ତା’ପରେ ଗାଡ଼ି ଚଳାଇବାକୁ ସେ ଗାଡ଼ିବାଲାକୁ କହିଲେ । ଗାବ୍ରିଏଲ୍‌କୁ ଧନ୍ୟବାଦଟାଏ ବି ଦେଲେନାହିଁ ।

 

ଫାଟକ ଜଗୁଆଳ ଗାଡ଼ିଆଡ଼କୁ ଚାହିଁ ଗାବ୍ରିଏଲ୍‍କୁ କହିଲା, ‘‘ଭଲ ସୁନ୍ଦରୀ ତରୁଣୀଟିଏ-।’’

 

ଓକ୍‌ କହିଲା, ‘‘ତାଙ୍କର କିନ୍ତୁ ଢେର୍‌ ଦୋଷଅଛି ।’’ ତରୁଣୀର ଅକୃତଜ୍ଞତା ଦେଖି ସେ ବିରକ୍ତ ହୋଇଉଠିଲା । ତରୁଣୀ ଦର୍ପଣ ବାହାର କରି ମୁହଁ ଦେଖିଥିବା କଥା ମନେ ପକାଇ ସେ କହିଲା, ‘‘ତାଙ୍କର ସବୁଠୁ ବଡ଼ ଦୋଷ ହେଲା ଗର୍ବ ।’’

 

ଗୋଟିଏ ମେଣ୍ଢାଛୁଆ ଆଉ ଗୋଟିଏ ବାଛୁରୀ

 

ସେ ଦିନ ଡିସେମ୍ୱର ୨୧ ତାରିଖ, ବର୍ଷର ସବୁଠୁ ଛୋଟ ଦିନ । ସମୟ ପ୍ରାୟ ରାତି ଅଧ ହେବ । ଯେଉଁ ନରକୋମ୍ୱ ପାହାଡ଼ଠାରେ ସେଦିନ ସକାଳେ ଓକ୍‌ ଗାଡ଼ି ଏବଂ ତା ଆରୋହୀକୁ ଦେଖିଥିଲା, ସେଇ ପାହାଡ଼ ଉପର ଦେଇ ଦମ୍‌କାଏ କୋହଲା ପବନ ବହିଆସିଲା ।

 

ପାହାଡ଼ର ଉତ୍ତର ପାଖରେ ଅନେକ ବିଚ୍‌ ଗଛ ଲଗା ଯାଇଥିଲା । ତେଣୁ ପାହାଡ଼ର ଦକ୍ଷିଣ ପାଖ ଢାଲୁଟାକୁ ଏହି ପ୍ରଚଣ୍ଡ ଥଣ୍ଡା ପବନର ଦାଉ କାଟୁ ନଥିଲା । ହଠାତ୍‌ ସେଇଆଡ଼ୁ ଖୁବ୍‌ ମଧୁର ଶବ୍ଦ ଶୁଣାଗଲା । ସେ ହେଲା ଚାଷୀ ଓକ୍‌ର ବଂଶୀସ୍ୱନ । ଜଣେ ମେଣ୍ଢାରଖୁଆଳର କୁଡ଼ିଆରୁ ଏ ସ୍ୱର ଶୁଣାଯାଉଥିଲା । ଏ କୁଡ଼ିଆ ଘରଟିରେ ଗାଡ଼ିପରି ଚକ ଲାଗିଥିଲା । ବସନ୍ତ ଋତୁ ଆରମ୍ଭରେ ମେଣ୍ଢାମାନେ ଛୁଆ ଜନ୍ମ କରନ୍ତି । ସେତେବେଳେ ରଖୁଆଳକୁ ରାତିରେ ମଧ୍ୟ ମେଣ୍ଢାମାନଙ୍କୁ ଦେଖିବାକୁ ହୁଏ । ତେଣୁ ଭିନ୍ନ ଜାଗାରେ ତାକୁ ରହିବାକୁ ପଡ଼େ । ସେତେବେଳେ ଏଇ ଚକଲଗା ଘରଟାକୁ ପଡ଼ିଆର ବିଭିନ୍ନ ଜାଗାକୁ ଗଡ଼େଇ ନେବା ସୁବିଧା ହୁଏ ।

 

ଅଳ୍ପ ଦିନ ହେଲା ଲୋକେ ଗାବ୍ରିଏଲ୍‌କୁ ଚାଷୀ ଓକ୍‌ ବୋଲି ଡାକୁଥାନ୍ତି । କେତେ ବର୍ଷ ହେଲା ସେ ନରକୋମ୍ୱ ପାହାଡ଼ରେ ଗୋଟାଏ ମେଣ୍ଢା ଗୋଠ କିଣି ସେଠି ଦୁଇଶହ ମେଣ୍ଢା ରଖିଛି-। ଆଗରୁ ସେ ଥିଲା ମେଣ୍ଢାରଖୁଆଳ । ଅନ୍ୟ ଲୋକର ମେଣ୍ଢା ଚରାଉଥିଲା । ତା ନୂଆ ଜୀବନର କାମ ଆରମ୍ଭ ହେଲା, ଯେତେବେଳେ ମେଣ୍ଢାଛୁଆଗୁଡ଼ିକ ଜନ୍ମ ହେଲେ ସେ ଜଣେ ଅଭିଜ୍ଞ ମେଣ୍ଢାରଖୁଆଳ । ତେଣୁ ସେ ନିଜେ ତା ମେଣ୍ଢାଗୁଡ଼ିକର ଦେଖା ରଖା କଲା ।

 

ପବନ ସେଇପରି ଜୋରରେ ବହୁଥାଏ । ଓକ୍‌ ବଂଇଶୀ ବଜାଇବା ବନ୍ଦକରି ଦରଜା ଖୋଲି ପଦାକୁ ଆସିଲା । ତା ହାତରେ ଗୋଟେ ଲଣ୍ଠନ । ସେ କିଛି ସମୟ ପଡ଼ିଆର ଚାରିଆଡ଼େ ବୁଲିଲା । ଦଳେ ମେଣ୍ଢାଙ୍କ ପାଖରୁ ଆଉ ଦଳଙ୍କ ପାଖକୁ ଯାଉଥାଏ । ଲଣ୍ଠନ ଆଲୁଅ ବେଳେବେଳେ ଦେଖାଯାଉଥାଏ ବେଳେ ବେଳେ ଲୁଚି ଯାଉଥାଏ । ଶେଷରେ ସେ ନୂଆ ଜନ୍ମ ହୋଇଥିବା ଗୋଟିଏ ମେଣ୍ଢାଛୁଆ ଧରି କୁଡ଼ିଆକୁ ଫେରିଲା । ତାକୁ ନିଆଁ ପାଖରେ ମେଞ୍ଚାଏ ଶୁଖିଲା ଘାସ ଉପରେ ରଖିଦେଲା । ତା’ପରେ ସେ ଲଣ୍ଠନ ଲିଭାଇ ଦେଇ ଶୋଇ ପଡ଼ିଲା । ଦି’ମିନିଟ୍‌ ଭିତରେ ତାକୁ ନିଘୋଡ଼ ନିଦ ଲାଗିଗଲା ।

 

ଘଣ୍ଟାଏ ପରେ ନିଆଁର ଉଷୁମ ପାଇ ମେଣ୍ଢା ଛୁଆଟି ବୋବାଇଲା । ଗାବ୍ରିଏଲ୍‍ ଉଠିପଡ଼ି ମୁଣ୍ଡରେ ଟୋପିଟା ପିନ୍ଧିନେଇ ମେଣ୍ଢା ଛୁଆଟିକୁ ହାତରେ ଧରି ପଦାକୁ ବାହାରିଗଲା । ତା’ ମା’ ପାଖରେ ଛୁଆଟିକି ଛାଡ଼ିଦେଲା ।

 

ଅନ୍ଧାରରେ ଠିଆହୋଇ ଓକ୍‌ ଗୋଟେ ଆଲୁଅ ଆଡ଼କୁ ଚାହିଁଲା । ଏହାକୁ ଆଗରୁ ସେ ଦିଗ୍‌ବଳୟର ଏକ ତାରା ବୋଲି ଭାବିଥିଲା; କିନ୍ତୁ ବର୍ତ୍ତମାନ ଜାଣିଲା ଯେ ସେଟା ତାରା ନୁହେଁ, ଗୋଟେ ଆଲୁଅ, ଆଉ ଖୁବ୍‌ ପାଖରେ । ସେ ଗଛବୁଦା ଭିତର ଦେଇ ସେ ଆଡ଼କୁ ଗଲା । ଛାଇ ପରି ଗୋଟେ ଜିନିଷ ଦେଖିଲା । ତାର ମନେପଡ଼ିଲା ସେଠି ପାହାଡ଼ ଢାଲୁରେ ଗୋଟେ ଛୋଟ କୁଡ଼ିଆ ଥିଲା । ତା ପଛପାଖଟା ପ୍ରାୟ ଭୂଇଁ ସାଥିରେ ମିଶି ଯାଇଥିଲା । ସେ ପଛପାଖରୁ ଯାଇ ଛାତର ଗୋଟେ କଣାବାଟେ ଭିତରକୁ ଚାହିଁଲା ।

 

ଭିତରେ ଦୁଇଜଣ ସ୍ତ୍ରୀଲୋକ, ଦୁଇଟି ଗାଈ ଆଉ ଗୋଟିଏ କଅଁଳା ବାଛୁରୀ । ଜଣେ ସ୍ତ୍ରୀ ଲୋକ ଅଧାବୟସର । ଆରଜଣକ ଯୁବତୀ । ଓକ୍‌ ତା’ ମୁହଁ ଦେଖି ପାରିଲାନାହିଁ । କାରଣ ସେ ଗୋଟେ ଲମ୍ୱା ଜାମା ପିନ୍ଧିଥିଲା ଓ ତା ମୁଣ୍ଡଟା ବି ସେଥିରେ ଢାଙ୍କିହୋଇ ରହିଥିଲା ।

 

ବୟସ୍କା ସ୍ତ୍ରୀ ଲୋକଟି କହିଲା, ‘‘ଆମେ ଏଥର ଘରକୁ ଯିବା । ଡେଜି ଏଥର ଭଲ ହୋଇଯିବ । ମୁଁ କେବେ ଆଉ ଏତେ ଡରିଯାଇ ନଥିଲି । ଯାହାହେଉ ସେ ଯଦି ଭଲ ହୋଇଯାଏ, ମୋ ରାତି ଅନିଦ୍ରା ହବାର ମୂଲ୍ୟ ରହିବ ।’’

 

ଯୁବତୀଟି ନିଦୁଆ ନିଦୁଆ ହୋଇ ହାଇମାରି କହିଲା, ‘‘ମୁଁ ହେଲେ ଧନୀ ହୋଇଥାନ୍ତି ! ଏସବୁ କାମ ପାଇଁ ଜଣେ ମୂଲିଆ କରିଥାନ୍ତି ।’’

 

‘‘ଆମେ ତ ଧନୀ ନୁହେଁ, ଆମେ ନିଜେ ଏ କାମ କରିବା । ତୁ ମତେ ସାହାଯ୍ୟ କରିବା କଥା ।’’

 

‘‘ମୁଁ ମୋ ଟୋପିଟା ହରାଇଲି । ସେଟା ପବନରେ କୁଆଡ଼େ ଉଡ଼ିଗଲା ବୋଧହୁଏ ।’’

 

‘‘ଆମେ ଆଉ କିଛି କୁଣ୍ଡା ଆଣିଲେ ହେବ । କାଲି ସକାଳେ ତୁ ନେଇଆସିବୁ ।’’

 

‘‘ହଁ ମାଉସୀ ।’’ ଯୁବତୀ ତା’ର ଲମ୍ୱା ଜାମାଟା ଖୋଲିଦେଲା । ତା’ର ଲମ୍ୱା ବାଳ ପେଣ୍ଡାକ ପୋଷାକ ଉପରେ ବିଛେଇ ହୋଇ ପଡ଼ିଲା । ଓକ୍‌ ଚିହ୍ନିଲା ଏ ସେଦିନ ଗାଡ଼ିରେ ବସି ଯାଉଥିବା ତରୁଣୀ ।

 

ସେମାନେ ବାଛୁରୀଟିକୁ ତା’ ମା’ ପାଖରେ ଛାଡ଼ିଦେଇ ଲଣ୍ଠନ ଧରି ଚାଲିଗଲେ । ଗାବ୍ରିଏଲ୍‌ ଓକ୍‌ ତା ମେଣ୍ଢାଙ୍କ ପାଖକୁ ଫେରିଲା ।

 

ଘୋଡା ପିଠିରେ କିଶୋରୀ

 

ସକାଳ ହେଲା । ଗାବ୍ରିଏଲ୍‌ ଉଠି ସେଇ ଗଛ ବୁଦାଆଡ଼େ ଚାଲିଲା । ଘୋଡ଼ା ଟାପୁର ଶବ୍ଦ ତାକୁ ଶୁଣାଗଲା । ପାହାଡ଼ ତଳ ଆଡ଼କୁ ଚାହିଁ ସେ ଦେଖିଲା ଗୋଟେ ଛୋଟ ଘୋଡ଼ା ଉପରେ ଜଣେ ତରୁଣୀ ଗୋରୁ ଗୁହାଳ ପାଖଦେଇ ଯାଇଥିବା ରାସ୍ତାରେ ଆସୁଛି । ସେ ଗତ ରାତିର ସେଇ ତରୁଣୀ । ଗାବ୍ରିଏଲ୍‌ର ମନେପଡ଼ିଲା, ତରୁଣୀଟି କହୁଥିଲା ପବନରେ ତା ଟୋପିଟି ଉଡ଼ିଯାଇଛି; ବୋଧହୁଏ ସେ ଟୋପିଟା ଖୋଜିବାକୁ ଆସିଛି । ଗାବ୍ରିଏଲ୍‌ ତରତରରେ ପାଖ ଖାଲଟା ଖୋଜିପକାଇଲା । ଅଳ୍ପ ଦୂରରେ ଗୁଡ଼ାଏ ପତ୍ର ଭିତରୁ ଟୋପିଟା ପାଇଲା । ସେଟା ହାତରେ ଧରି ଗାବ୍ରିଏଲ୍‌ ତା କୁଡ଼ିଆକୁ ଫେରିଲା । ସେଠି ବସି ଛୋଟ ଝରକାବାଟେ ବାହାରକୁ ଲକ୍ଷ୍ୟକଲା ।

 

ଘୋଡ଼ା ଉପରେ ବସି ତରୁଣୀଟି ପାଖକୁ ଆସିଲା । ଗାବ୍ରିଏଲ୍‌ ଦେଖିଲା ତା’ ଆଗରେ ଘୋଡ଼ା ପିଠିରେ ବସ୍ତାଏ କୁଣ୍ଡା ଥୁଆହୋଇଛି । ସେ ଗୁହାଳ ପାଖରେ ହେଲାରୁ ଜଣେ ବାଳକ ଗୋଟେ ଗାଈ ଦୁହାଁ ବାଲ୍‌ଟି ଧରି ଆସିଲା । ସେ ଘୋଡ଼ାର ବାଗ ଧରିଲା, ଆଉ ତରୁଣୀ ଘୋଡ଼ାରୁ ଓହ୍ଲାଇଲା । ବାଳକ ଘୋଡ଼ାଟାକୁ ନେଇଗଲା । ଗାବ୍ରିଏଲ୍‌ ତା କୁଡ଼ିଆରୁ ବାହାରି ସେଇ ଗୁହାଳ ଆଡ଼େ ଗଲା । ଶୁଣିଲା କେହି ଜଣେ ଭିତରେ ଗାଈ ଦୁହୁଁଛି । ସେ ଟୋପିଟା ଧରି ତରୁଣୀ ଯେଉଁବାଟେ ଫେରିବ, ସେ ବାଟ କଡ଼ରେ ଅପେକ୍ଷା କଲା ।

 

ତରୁଣୀଟି ଦୁଧ ବାଲ୍‌ଟି ଧରି ବାହାରି ଆସିଲା । ବାଡ଼ ସେ ପାଖେ ଗାବ୍ରିଏଲ୍‌ର ଜହ୍ନପରି ମୁହଁ ଦେଖି ସେ ଚମକି ପଡ଼ିଲା ।

 

‘‘ମୁଁ ଗୋଟେ ଟୋପି ପାଇଛି’’, ଗାବ୍ରିଏଲ୍‌ କହିଲା ।

 

ଟିକିଏ ହସି ତରୁଣୀ କହିଲା, ‘‘ସେଟା ମୋର । କାଲି ରାତିରେ ଉଡ଼ି ଯାଇଥିଲା । ତୁମେ ଚାଷୀ ଓକ୍‌ ନା ?’’

 

‘‘ହଁ, ମୁଁ ଅଳ୍ପଦିନ ହେଲା ଏଠିକି ଆସିଛି ।’’

 

‘‘ତୁମ କ୍ଷେତଟା ଖୁବ୍‌ ବଡ଼ ବୋଧହୁଏ ?’’

 

‘‘ନା, ସେତେ ବଡ଼ ନୁହେଁ । ପ୍ରାୟ ଶହେ ଏକର ।’’

 

ସେ ଉଦାସ ଭାବରେ ମୁଣ୍ଡକୁ ଟିକିଏ ହଲାଇ ଦେଲା । ତା’ପରେ ଆଉ କିଛି ନକହି ସେଠୁ ଚାଲିଗଲା । ଆନନ୍ଦ ଆଉ ନିରାଶ ମନରେ ଗାବ୍ରିଏଲ୍‌ ତା କାମକୁ ଫେରିଲା ।

 

ପାଞ୍ଚଦିନ ପାଞ୍ଚରାତି ବିତିଗଲା । ତରୁଣୀଟି ପ୍ରତିଦିନ ଗାଈ ଦୁହିଁବାକୁ କିମ୍ୱା ବେମାର ପଡ଼ିଥିବା ଗାଈଙ୍କୁ ଦେଖିବାକୁ ଆସେ; କିନ୍ତୁ ସେ କେବେହେଲେ ଗାବ୍ରିଏଲ୍‍ ଆଡ଼କୁ ଚାହେଁନା । ତାଙ୍କର ଚିହ୍ନା ପରିଚୟ ସେତିକିରେ ଶେଷ ହୋଇଯାଇଥାନ୍ତା । ସେମାନେ ସବୁ ଭୁଲି ଯାଇଥାନ୍ତେ; କିନ୍ତୁ ସେଇ ସପ୍ତାହ ଶେଷଆଡ଼କୁ ଗୋଟେ ଘଟଣା ଘଟିଲା । ଦିନେ ଉପରବେଳା ବରଫ ପଡ଼ି ସନ୍ଧ୍ୟାବେଳକୁ ଭୀଷଣ ଥଣ୍ଡା ହେଲା । ଗାବ୍ରିଏଲ୍‌ ମେଣ୍ଢା ଶାଳରେ ଆଉ କିଛି ଶୁଖିଲା ଘାସ ପକାଇ ଦେଇ ତା କୁଡ଼ିଆ ଭିତରକୁ ଗଲା । ନିଆଁରେ ଆଉ କିଛି କାଠ ପକାଇଦେଲା । କବାଟ ତଳ ଫାଙ୍କରେ ଘର ଭିତରକୁ ଥଣ୍ଡା ପବନ ଆସୁଥାଏ । ସେ ଗୋଟେ ଅଖା ଦେଇ ଫାଙ୍କଟା ବନ୍ଦ କରିଦେଲା । ଘର ଭିତରକୁ ପବନ ଆସିବାପାଇଁ ଦୁଇପାଖ କାନ୍ଥରେ ଦୁଇଟା କଣା ଥିଲା । ସେଥିରୁ ଗୋଟାକରେ ପବନ ଘର ଭିତରକୁ ଆସୁଥାଏ । ଘର ଭିତରେ ନିଆଁ ଜଳୁଥିଲାବେଳେ କବାଟ ବନ୍ଦଥିଲେ ଏଇ କଣାକୁ ଖୋଲା ରଖାଯାଏ । ପବନ ଆସୁଥିବା ପଟର କଣାଟାକୁ ବନ୍ଦ କରିଦେଇ ସେ ଆର ପାଖଟାକୁ ଖୋଲିଦେବାକୁ ଯାଉଥିଲା; କିନ୍ତୁ ପୁଣି ଭାବିଲା ମିନିଟିଏ ଦୁଇ ମିନିଟ୍‌ ସେଟା ବନ୍ଦ ରଖିଲେ ଘରଟା ଗରମ ହୋଇଯିବ । ସେଟା ବନ୍ଦ ରଖି ସେ ବସିଗଲା ।

 

ହଠାତ୍‌ ତା ମୁଣ୍ଡ ବଥାଇଲା । ଘର ଭିତରକୁ ପବନ ଆସିବା କଣାଟା ନଖୋଲି ସେ ଶୋଇପଡ଼ିଲା । କେତେ ସମୟ ସେ ଅଚେତ ହୋଇ ପଡ଼ି ରହିଲା ସେ ଜାଣେନା । ସେ ଉଠିଲାବେଳକୁ ତା କୁକୁରଟା ଜୋରରେ ଭୁକୁଛି, ଆଉ ତା ମୁଣ୍ଡ ଖୁବ୍‌ ବଥାଉଛି । କେହି ଜଣେ ତା ଜାମା ବୋତାମ ଖୋଲିବା ପାଇଁ ତାକୁ ଟାଣୁଛି । ଦେଖିଲା ସେଇ ତରୁଣୀଟି ତା’ ପାଖରେ । ସେ ବିସ୍ମିତ ହେଲା ଯେ ତରୁଣୀଟି ଆପଣା କୋଳରେ ତା ମୁଣ୍ଡ ରଖି ତା ପୋଷାକର ବୋତାମ ଖୋଲିବାକୁ ଚେଷ୍ଟା କରୁଛି ।

 

ଖୁବ୍‌ ଦୁର୍ବଳ ଭାବରେ ଓକ୍‌ କହିଲା, ‘‘କଥା କ’ଣ ?’’

 

ହସି ହସି ତରୁଣୀ ଉତ୍ତର ଦେଲା, ‘‘ନା, ଏବେ ଆଉ କିଛି ନୁହେଁ । ଆଶ୍ଚର୍ଯ୍ୟ କଥା ଯେ ଏ ଘର ଭିତରେ ତୁମ ଶ୍ୱାସ ରୁଦ୍ଧ ନହେଲା କେମିତି ? ତୁମେ ଏଡ଼େ ବୋକାମୀ କରି ଦୁଇଟାଯାକ କଣା ବନ୍ଦ କରିବା ଉଚିତ ନଥିଲା ।’’

 

ଥରିଥରି ଉଠି ବସି ଓକ୍‌ କହିଲା, ‘‘ତୁମକୁ କିପରି ଧନ୍ୟବାଦ ଦେବି ? ତୁମେ ଏଠିକି ଆସିଲ କେମିତି ?’’

 

‘‘ମୁଁ ଗାଈ ଦୁହିଁବାକୁ ଆସିଲାବେଳକୁ ଶୁଣିଲି ତୁମ କୁକୁରଟା ଭୁକୁଛି, ଆଉ କବାଟଟାକୁ ରାମ୍ଫୁଛି । ମୁଁ ଆସି ଦରଜା ଖୋଲି ଦେଖିଲି ତୁମେ ମଲାଙ୍କ ପରି ପଡ଼ିଛ । ପାଖରେ ପାଣିନାହିଁ । ମୁଁ ଦୁଧତକ ତୁମ ଉପରେ ଢାଳି ଦେଲି ।’’

 

କ୍ଷୀଣ ସ୍ୱରରେ ଗାବ୍ରିଏଲ୍‌ କହିଲା, ‘‘ତୁମେ ମୋ ଜୀବନ ରଖିଲ କୁମାରୀ–ମୁଁ ତ ତୁମ ନାଁ ଜାଣେନା ।’’

 

‘‘ଜାଣିବାର କିଛି କାରଣ ନାହିଁ । କାରଣ ମୋ ସାଥିରେ ତୁମର ବୋଧହୁଏ ଆଉ କିଛି କାମ ନାହିଁ ।’’

 

‘‘ମୋ ନାଁ ଗାବ୍ରିଏଲ୍‍ ଓକ୍‌ ।’’

 

‘‘କିନ୍ତୁ ମୋ ନାଁ ନୁହେଁ । ଜଣାଯାଉଛି ତୁମେ ତୁମ ନାଁଟାକୁ ଖୁବ୍‌ ଭଲପାଅ । ମୁଁ ଭାବେ ମୋ ନାଁଟା ଶୁଣିବାକୁ ଭଲଲାଗେନା ।’’

 

‘‘ଧନ୍ୟବାଦ । ତୁମ ହାତଟା ମୋ ଆଡ଼କୁ ଟିକିଏ ଦିଅ ।’’

 

ଗାବ୍ରିଏଲ୍‌ର ଏ କଥାରେ ତରୁଣୀ ବିସ୍ମିତ ହୋଇଗଲା । ଟିକିଏ ପରେ କହିଲା, ‘‘ହଉ ହେଲା ।’’ ସେ ଗାବ୍ରିଏଲ୍‍ ଆଡ଼କୁ ନିଜ ହାତ ବଢ଼ାଇ ଦେଲା ।

 

ଓକ୍‌ କିଛି ସମୟ ହାତଟିକୁ ଧରିଲା । ତରୁଣୀଟି କହିଲା, ‘‘ଡେରି ହେଉଛି ।’’ କିନ୍ତୁ ସେ ହାତଟା ଟାଣି ନେଲାନାହିଁ । ତରୁଣୀ ପୁଣି କହିଲା, ‘‘ତୁମେ ମୋ ହାତରେ ଚୁମ୍ୱନ ଦେବାପାଇଁ ଚାହୁଁଛ ବୋଧହୁଏ । ଯଦି ଚାହୁଁଥାଅ, ତା କରିପାର ।’’

 

ସରଳ ଭାବରେ ଗାବ୍ରିଏଲ୍‍ ଉତ୍ତର ଦେଲା, ‘‘ମୁଁ ସେ କଥା କିଛି ଭାବୁ ନଥିଲି । କିନ୍ତୁ ବର୍ତ୍ତମାନ–’’

 

‘‘ନାଁ, ତା ଆଉ ହୋଇ ପାରିବ ନାହିଁ ।’’ ତରୁଣୀ ଏଥର ହାତଟାକୁ ଭିଡ଼ି ନେଲା ଓ ଟିକିଏ ଚିଡ଼େଇଲା ପରି କହିଲା, ‘‘ଏଥର ମୋନାଁ ଖୋଜି ବାହାର କର ।’’ ଏହା କହି ସେ ଘର ଭିତରୁ ଦୌଡ଼ି ଚାଲିଗଲା ।

 

ଗାବ୍ରିଏଲ୍‌ର ପରିଦର୍ଶନ

 

ତା ପରଠୁ ଯୁବକ ଗାବ୍ରିଏଲ୍‍ ଓକ୍‌ ବରାବର ସେଇ ସୁନ୍ଦରୀ ତରୁଣୀ କଥା ଭାବିବାକୁ ଲାଗିଲା । ସେ ପ୍ରତିଦିନ ଗାଈ ଦୁହିଁବାକୁ ଆସିଲାବେଳେ ଗାବ୍ରିଏଲ୍‍ ଝରକାବାଟେ ତାକୁ ଚାହିଁ ରହିଥାଏ; କିନ୍ତୁ କଅଣ କହିବ ଆଉ କେମିତି କହିବ କିଛି ଠିକ୍‌ କରି ନପାରି ସେ ନୀରବ ରହେ । ପଚରା ଉଚରା କରି ସେ ବୁଝିଲା ସେ ତରୁଣୀଟିର ନାଁ ବାଥସେବା ଏଭର୍‍ଡ଼ିନ୍‍ । ତା’ଛଡ଼ା ତା ଗାଈ ଆଉ ଆଠ ଦିନ ପରେ ଦୁହାଁ ହବନାହିଁ ବୋଲି ବି ଶୁଣିଲା । ତା ମନଟା ଖରାପ ହୋଇଗଲା । ଶେଷରେ ସେଦିନ ଆସି ପହଞ୍ଚିଲା । ଗାଈ ଆଉ ଦୁଧ ଦେଲାନାହିଁ । ବାଥସେବା ଏଭର୍‍ଡ଼ିନ୍‌ ଆଉ ସେ ପାହାଡ଼ ଆଡ଼େ ଆସିଲା ନାହିଁ । ଗାବ୍ରିଏଲ୍‌ କିନ୍ତୁ ତରୁଣୀକୁ ପାସୋରି ପାରିଲା ନାହିଁ । ସେ ଏବେ ବୁଝି ପାରିଲା ଯେ ସେ ବାଥସେବାର ପ୍ରେମରେ ପଡ଼ିଯାଇଛି । ତାକୁ ବିବାହ କରିବା କଥା ଚିନ୍ତା କଲା ।

‘‘ମୁଁ ନିଶ୍ଚୟ ତାକୁ ବିଭାହେବି । ତା ନହେଲେ ମୋ ମଣିଷପଣିଆଁ ରହିବ ନାହିଁ ।’’ ମନକୁ ମନ ସେ କହି ପକାଇଲା । ତା’ପରେ ବାଥସେବାର ମାଉସୀ ଘରକୁ ଯିବାପାଇଁ କିଛି ଗୋଟେ ଆଳ ଖୋଜିବାକୁ ଲାଗିଲା । ଶେଷରେ ଗୋଟେ ମଉକା ମିଳିଗଲା । ଗୋଟେ ମେଣ୍ଢାଛୁଆର ମା’ ମରିଗଲା । ଓକ୍‌ ଛୁଆଟିକୁ ଗୋଟେ ବୋଝରେ ପୂରାଇ ତା କ୍ଷେତ ପାର ହୋଇ ବାଥସେବାର ମାଉସୀ ଶ୍ରୀମତୀ ହଷ୍ଟଙ୍କ ଘରଆଡ଼େ ଚାଲିଲା ।

ଶ୍ରୀମତୀ ହଷ୍ଟ ଘରେ ଥିଲେ । ଗାବ୍ରିଏଲ୍‍ ତାଙ୍କୁ କହିଲା, ‘‘ମୁଁ କୁମାରୀ ଏଭର୍‍ଡ଼ିନ୍‍ଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଚାହେଁ । ଦୟାକରି ତାଙ୍କୁ ଖବର ଦେବେ କି ?’’

‘‘ସେ ତ ବାହାରକୁ ଯାଇଛି । ତେବେ ଆପଣ ଭିତରକୁ ଆସନ୍ତୁ, ଅପେକ୍ଷା କରନ୍ତୁ ।’’

‘‘ଧନ୍ୟବାଦ ।’’ ଗାବ୍ରିଏଲ୍‌ ତାଙ୍କ ପଛେ ପଛେ ନିଆଁ ଉହ୍ମେଇ ପାଖକୁ ଗଲା । କହିଲା, ‘‘ମୁଁ କୁମାରୀ ଏଭର୍‍ଡ଼ିନ୍‌ଙ୍କ ପାଇଁ ଗୋଟିଏ ମେଣ୍ଢାଛୁଆ ଆଣିଥିଲି । ଭାବିଲି ସେ ସେଇଟିକୁ ପୋଷିପାରନ୍ତି । ଅନେକ ଝିଅ ସେମିତି ପୋଷନ୍ତି କିନା !’’

 

‘‘ହଁ, ସେ ପୋଷିପାରେ । ସେ ଅବଶ୍ୟ ଏଠିକି କେବଳ ବୁଲି ଆସିଛି । ଆପଣ ଯଦି ଅପେକ୍ଷା କରିବେ, ସେ ଏଇ ଅଳ୍ପ ସମୟରେ ଫେରିବ ।’’

 

ନିଆଁ ପାଖରେ ବସି ଗାବ୍ରିଏଲ୍‌ କହିଲା, ‘‘ହଁ, ମୁଁ ଅପେକ୍ଷା କରିବି । ମୁଁ ଖାଲି ଏଇ ମେଣ୍ଢାଛୁଆ ନେଇ ଆସି ନଥିଲି । ଆସିଥିଲି ତାଙ୍କୁ ପଚାରିବାକୁ, ସେ ବିବାହ କରିବାକୁ ଚାହାଁନ୍ତି କି-?’’

 

‘‘ସତେ ନା କ’ଣ ?’’

 

‘‘ହଁ, କାରଣ ସେ ଯଦି ରାଜି ହୁଅନ୍ତି ମୁଁ ତାଙ୍କୁ ବିବାହ କଲେ ବିଶେଷ ଖୁସି ହେବି । ଆଚ୍ଛା, କହିପାରିବେକି, ତାଙ୍କର ଆଉ କେହି ଯୁବକ ବନ୍ଧୁ ଅଛନ୍ତି କି ନା ?’’

 

‘‘କାହିଁକି, ହଁ–ଢେର୍‌ ଅଛନ୍ତି । ଦେଖ ଓକ୍‌, ସେ ଖୁବ୍‌ ସୁନ୍ଦରୀ ଆଉ ପାଠ ପଢ଼ାରେ ବି ଖୁବ୍‍ ଭଲ । ତାର ଯୁବକ ବନ୍ଧୁମାନେ ଅବଶ୍ୟ କେବେ ଏଠିକି ଆସନ୍ତି ନାହିଁ । ହେଲେ ତାର ପ୍ରାୟ ଡଜନେ ଖଣ୍ଡେ ଯୁବକ ବନ୍ଧୁଥିବେ ।’’

 

‘‘ତା’ହେଲେ ଛାଡ଼ନ୍ତୁ ।’’ ଦୁଃଖରେ ଓକ୍‌ କହିଲା । ‘‘ମୁଁ ତ ଜଣେ ସାଧାରଣ ଲୋକ । ମୋର କେବଳ ଆଶା ଥିଲା ଯେ ମୁଁ ପ୍ରଥମ….. । ହଉ, ମୋର ଆଉ ଅପେକ୍ଷା କରିବା ଦର୍କାର ନାହିଁ । ବିଦାୟ ଶ୍ରୀମତୀ ହଷ୍ଟ ।’’

 

ଗାବ୍ରିଏଲ୍‍ ପ୍ରାୟ ଦୁଇଶହ ଗଜ ଯାଇଛି ତା ପଛରୁ ପାଟି ଶୁଭିଲା । ସେ ପଛକୁ ଚାହିଁ ଦେଖିଲା ଝିଅଟିଏ ହାତରେ ଗୋଟେ ଧଳା ରୁମାଲ ହଲାଇ ତା ପଛରେ ଧାଇଁଛି । ଦେଖିଲା ସେ ବାଥସେବା ଏଭର୍‍ଡ଼ିନ୍‌ । ପାଖକୁ ଆସି ସେ ଦମ୍‌ ନେଇ କହିଲା, ‘‘କୃଷକ ଓକ୍‌, ମୁଁ ଜାଣିନଥିଲି ଯେ ତୁମେ ମୋତେ ବିବାହ କରିବା ପ୍ରସ୍ତାବ ନେଇ ଆସିଛ । ଜାଣିଥିଲେ ମୁଁ ସାଙ୍ଗେ ସାଙ୍ଗେ ବଗିଚାରୁ ଚାଲିଆସିଥାନ୍ତି । ମୁଁ ଗୋଟେ କଥା ତୁମକୁ କହିବାକୁ ଧାଇଁଛି । ମୋ ମାଉସୀ ଯାହା କହିଲେ, ମୋର ଢେର୍‌ ଯୁବକ ବନ୍ଧୁ ଅଛନ୍ତି, ସେ କଥା ପୂରା ଭୁଲ । ମୋର କେହି ପ୍ରେମିକ ନାହିଁ କି ନଥିଲା-। ମୋର ଅନେକ ବନ୍ଧୁ ଅଛନ୍ତି ବୋଲି ତୁମକୁ ଧାରଣା ଦେଇ ଫେରାଇ ଦେବାଟା ମୁଁ ଭଲ ମନେ କଲିନାହିଁ ।’’

 

ହସି ହସି ଗାବ୍ରିଏଲ୍‍ କହିଲା, ‘‘ସତ କହୁଛି, ଏ କଥା ଶୁଣି ମୁଁ ଭାରି ଖୁସି ।’’ ସେ ତରୁଣୀର ହାତ ଧରିବାପାଇଁ ହାତ ବଢ଼ାଇଲା, କିନ୍ତୁ ବାଥସେବା ଶୀଘ୍ର ପଛକୁ ହାତ ନେଇଗଲେ । ଗାବ୍ରିଏଲ୍‍ କହିଲା, ‘‘ମୋର ଛୋଟ କିନ୍ତୁ ଆରାମଦାୟକ କ୍ଷେତଟିଏ ଅଛି । ଆମେ ଯେତେବେଳେ ବିଭା ହୋଇଯିବା ମୁଁ ଏବ ଅପେକ୍ଷା ଦୁଇଗୁଣ ପରିଶ୍ରମ କରିପାରିବି ବୋଲି ମୋର ଦୃଢ଼ ବିଶ୍ୱାସ ।’’

 

ପଛକୁ ଘୁଞ୍ଚିଯାଇ ବାଥସେବା କହିଲା, ‘‘କାହିଁକି, ମୁଁ ତ ତୁମକୁ ବିବାହ କରିବି ବୋଲି କେବେ କହିନାହିଁ ?’’

ଆକୁଳ ହୋଇ ଗାବ୍ରିଏଲ୍‍ କହିଲା, ‘‘ଜଣକ ପଛରେ ଏମିତି ଧାଇଁବା ଆଉ ଶେଷରେ ତାକୁ ଚାହେଁ ନା ବୋଲି କହିବା ଖାଲି କାଳ୍ପନିକ ଗପ ।’’

ବ୍ୟଗ୍ର ହୋଇ ବାଥସେବା କହିଲା, ‘‘ମୁଁ ଖାଲି ଏତିକି କହିବାକୁ ଆସିଥିଲି ଯେ ମୋର କେହି ପ୍ରେମିକ ନାହିଁ । ମୁଁ କାହାରି ଅଧୀନରେ ରହିବାକୁ ଘୃଣା କରେ । ଅବଶ୍ୟ ଦିନେ ମୋତେ ବିବାହ କରିବାକୁ ପଡ଼ିପାରେ । ପ୍ରକୃତରେ ତୁମ ପଛେ ପଛେ ଧାଇଁବା ଆଗରୁ, ତୁମକୁ ବିବାହ କରିବାକୁ ମୁଁ ଚାହେଁ କି ନା ସେ କଥା ଭାବିବାକୁ ମୋର ସମୟ ନଥିଲା ।’’

ଏ କଥାରେ ଗାବ୍ରିଏଲ୍‍ ମନରେ ପୁଣି ଆନନ୍ଦ ଆସିଲା । ସେ କହିଲା, ‘‘ହଉ ହେଲା । ଏବେ ମିନିଟିଏ ଦୁଇ ମିନିଟ୍‌ ଚିନ୍ତା କର । ମୁଁ ଅପେକ୍ଷା କରୁଛି । କୁମାରୀ ଏଭର୍‍ଡ଼ିନ୍‌, କହ, ତୁମେ ମୋତେ ବିବାହ କରିବ ? ମୁଁ ତୁମକୁ ପ୍ରାଣଭରି ପ୍ରେମ କରେ ।’’

‘‘କିନ୍ତୁ ଅକାର । ମୁଁ ତୁମକୁ ବିଭା ହେବାକୁ ଚାହେଁ ନା । ବିବାହଟା ଅବଶ୍ୟ ଗୋଟେ ଦୃଷ୍ଟିରୁ ଖୁବ୍‌ ଭଲ । ତେବେ କୌଣସି ବର ନଥାଇ ବିଭାବେଦିରେ କନ୍ୟା ହେବାକୁ ମୋର ଆପତ୍ତି ନାହିଁ । କିନ୍ତୁ ସେଟାତ ସମ୍ଭବ ନୁହେଁ । ତେଣୁ ମୁଁ ବିଭା ହେବି ନାହିଁ–ଅନ୍ତତଃ ବର୍ତ୍ତମାନ ପାଇଁ ।’’

ରାଗିଯାଇ ଗାବ୍ରିଏଲ୍‍ କହିଲା, ‘‘ଏମିତି ନିର୍ବୋଧ କଥା ମୁଁ କେବେ ଶୁଣିନାହିଁ ।’’ ତା’ପରେ ପୁଣି ଧୀର ଭାବରେ କହିଲା, ‘‘କିନ୍ତୁ କାହିଁକି ତୁମେ ମୋତେ ବିଭାହେବାକୁ ଚାହୁଁନା ?’’

‘‘କାରଣ ମୁଁ ତୁମକୁ ପ୍ରେମ କରେନା ।’’

‘‘କିନ୍ତୁ ମୁଁ ତ ତୁମକୁ ପ୍ରେମ କରେ । ତୁମେ ମୋତେ ଟିକିଏ ଭଲ ପାଇଲେ ଚଳିଯିବ ।’’

‘‘ବାଃ, ବେଶ୍‌ ଚମତ୍କାର କଥା ! ତା’ପରେ ତୁମେ ମୋତେ ଘୃଣା କରିବ, ଜାଳି ପୋଡ଼ି ମାରିବ ।’’

‘‘ମୋଟେ ନୁହେଁ । ମୁଁ ସବୁବେଳେ ତୁମକୁ ପ୍ରେମ କରିବି । ମୁଁ ମଲାଯାଏ ତୁମକୁ ପାଖେ ପାଖେ ରଖିବି ।’’

ସାମାନ୍ୟ ବିବ୍ରତ ହୋଇ ବାଥସେବା କହିଲା, ‘‘ମୋ ପାଇଁ ତୁମେ ଯେତେବେଳେ ଏତେ ବ୍ୟଗ୍ର, ତୁମକୁ ବିଭା ହେବାକୁ ମନା କରିଦେବାଟା ଗୋଟେ ସାଂଘାତିକ ଭୁଲ ହୋଇଯିବ ।’’

ଟିକିଏ ପରେ ମନକୁ ଦୃଢ଼ କରି ସେ ପୁଣି କହିଲା, ‘‘ମିଷ୍ଟର ଓକ୍‌, ତୁମେ ମୋ ଅପେକ୍ଷା ଧନୀ । ମୋର ଗୋଟାଏ ପେନି ବି ସମ୍ୱଳ ନାହିଁ । ଶିକ୍ଷାରେ ମୁଁ ତୁମଠୁଁ ଉଚ୍ଚରେ, ଆଉ ମୁଁ ତୁମକୁ ଟିକିଏ ହେଲେ ପ୍ରେମ କରେନା । ଏ ହେଲା ମୋ କଥା । ଆଉ ତୁମ କଥା । ତୁମେ ଚାଷୀ । ଚାଷ ଆରମ୍ଭ କରିଛ ମାତ୍ର । ତେଣୁ ତୁମର କୌଣସି ପଇସାବାଲା ସ୍ତ୍ରୀଙ୍କୁ ବିଭାହେବା ଦର୍କାର । ତା ପଇସାରେ ତୁମେ ତୁମ ଚାଷ ବଢ଼େଇପାରିବ ।’’

ବିସ୍ମୟ ଏବଂ ପ୍ରଶଂସାପୂର୍ଣ୍ଣ ଦୃଷ୍ଟିରେ ତା’ଆଡ଼କୁ ଚାହିଁ ଗାବ୍ରିଏଲ୍‍ କହିଲା, ‘‘ଠିକ୍‍ ସେଇକଥା ମୁଁ ମନେ ମନେ ଭାବୁଥିଲି ।’’

ତାର ଏଇ ସରଳତା ଓ ସାଧୁତାରେ ବାଥସେବା ବିରକ୍ତ ହୋଇ ଉଠିଲା । ରାଗିଯାଇ ସେ କହିଲା, ‘‘ତା’ହେଲେ ତୁମେ ଆସି ମୋତେ ହଇରାଣ କରୁଥିଲ କାହିଁକି ?’’

‘‘କାରଣ ଯାହା ଭଲ ହେବ ବୋଲି ମୁଁ ଭାବୁଛି ତା କରି ପାରୁନାହିଁ ।’’

ଆହୁରି ରାଗି ଯାଇ ବାଥସେବା କହିଲା, ‘‘ମିଷ୍ଟର ଓକ୍‌, ତୁମେ ସତ କଥାଟା କହିପକାଇଛ । ତା’ପରେ ତୁମେ କ’ଣ ଆଶା କରୁଛ, ମୁଁ କେବେ ତୁମକୁ ବିବାହ କରିପାରେ ?’’

ବଡ଼ ଆକୁଳ ହୋଇ ଓକ୍‌ କହିଲା, ‘‘ମୋତେ ଭୁଲ ବୁଝନା । ତୁମେ ମୋ ପାଇଁ ଉପଯୁକ୍ତ ନୁହଁ ବୋଲି କହିବାଟା ବୋକାମି । ଶୁଣିଛି ଉଏଦରବେରିରେ ତୁମ ମଉସା ମୋଠୁ ଢେର୍‌ ବେଶି ଧନୀ ଚାଷୀ । ଛାଡ଼, ସନ୍ଧ୍ୟାରେ ମୁଁ ଆସିବି । ପୁଣି ଦେଖା ହବତ ? ଅବଶ୍ୟ ଏତେ ଚଞ୍ଚଳ ତୁମେ କିଛି ସିଦ୍ଧାନ୍ତ କରିବାକୁ ମୁଁ କହୁନାହିଁ ।’’

‘‘ନା, ନା, ମୋତେ ଆଉ ବାଧ୍ୟ କରନାହିଁ । ମୋର ତୁମ ପ୍ରତି ପ୍ରେମ ନାହିଁ । ତେଣୁ ଖାଲି ଲୋକହସା ହେବା କଥା ।’’ ଏହା କହି ସେ ହସି ଉଠିଲା ।

ଏମିତି ଉପହସିତ ହେବାକୁ କିଏ ଭଲ ପାଇବ ? ଦୃଢ଼ ଆଉ ଧୀର ଭାବରେ ଓକ୍‌ କହିଲା, ‘‘ଠିକ୍‌ ଅଛି । ମୁଁ ଆଉ ତୁମକୁ ଏ ବିଷୟରେ କିଛି କହିବି ନାହିଁ ।’’

ମୁହଁ ବୁଲାଇ ସେ ପାହାଡ଼ ଉପରଆଡ଼କୁ ଚାଲିଲା ।

 

ଗାବ୍ରିଏଲ୍‌ ସର୍ବସ୍ୱ ହରାଇଲା

 

ଦିନେ ଗାବ୍ରିଏଲ୍‌ ଖବର ପାଇଲା, ବାଥସେବା ଏଭର୍‍ଡ଼ିନ୍‌ ସେ ଜାଗାରୁ ଚାଲିଗଲାଣି । ଶୁଣିଲା ସେ ଉଏଦରବେରି ବୋଲି ଗୋଟେ ଜାଗାକୁ ଯାଇଛି; କିନ୍ତୁ ସବୁଦିନ ପାଇଁ ଯାଇଛି କି ବୁଲିବାକୁ ଯାଇଛି, ସେକଥା ଜାଣି ପାରିଲା ନାହିଁ ।

 

ଗାବ୍ରିଏଲ୍‌ର ଦୁଇଟା କୁକୁର ଥିଲେ । ବଡ଼ ଜର୍ଜ ଖୁବ୍‌ ଚାଲାକ ଆଉ ବିଶ୍ୱସ୍ତ; କିନ୍ତୁ ସେ ବୁଢ଼ା ହୋଇଯାଇଥିଲା । ସାନଟି ଜର୍ଜର ଛୁଆ । ସେ ମେଣ୍ଢା ଜଗିବା କାମ ଶିଖୁଥିଲା, ବୁଢ଼ା ଜର୍ଜ ମଲା ପରେ ତା କାମ କରିବ । କାମ କରିବାକୁ ସେ ଭାରି ବ୍ୟଗ୍ର କିନ୍ତୁ ତା ମୁଣ୍ଡରେ ବିଶେଷ ବୁଦ୍ଧି ନଥିଲା । ମେଣ୍ଢାପଲଙ୍କୁ ଗୁହାଳକୁ ଘଉଡ଼ି ଆଣିବାକୁ ତାକୁ ଛାଡ଼ିଦେଲେ ସେ ପଛରୁ ସମସ୍ତଙ୍କୁ ଘଉଡ଼ି ଆଣିବ । ଗାବ୍ରିଏଲ୍‍ ତାକୁ ଡାକି ବନ୍ଦ ନ କରିବାଯାଏ ସେ ମେଣ୍ଢାପଲ ପଛେ ପଛେ ଗୋଡ଼େଇ ତାଙ୍କୁ ଦୁନିଆଁ ସାରା ବୁଲେଇ ଆଣିବ ।

 

ଦିନେ ରାତିରେ ଗାବ୍ରିଏଲ୍‍ ଘରକୁ ଫେରି ସବୁଦିନ ପରି ତା କୁକୁରଙ୍କୁ ଡାକିଲା; କିନ୍ତୁ ଜର୍ଜ ଏକୁଟିଆ ଆସିଲା । ଗାବ୍ରିଏଲ୍‌ ଭାବିଲା ସାନ କୁକୁରଟା ପରେ ଆସିବ । ସେ ଘର ଭିତରକୁ ଯାଇ ଅଳ୍ପ ସମୟ ଭିତରେ ନିଘୋଡ଼ ନିଦରେ ଶୋଇପଡ଼ିଲା । ପାହାନ୍ତାବେଳକୁ ମେଣ୍ଢାଙ୍କ ବେକ ଘଣ୍ଟିଗୁଡ଼ା ଖୁବ୍‌ ଜୋରରେ ବାଜି ଉଠିଲା । ସେ ଶବ୍ଦରେ ଗାବ୍ରିଏଲ୍‌ର ନିଦ ଭାଙ୍ଗିଗଲା । ସେ ଜାଣିପାରିଲା ଯେ କୌଣସି କାରଣରୁ ମେଣ୍ଢାଗୁଡ଼ା ହୁରୁଡ଼ି ଦୌଡ଼ି ପଳାଉଛନ୍ତି । ସେଥିପାଇଁ ଘଣ୍ଟିଗୁଡ଼ା ଏଡ଼େ ଜୋରରେ ବାଜୁଛି । ତରତରରେ ଜାମାପଟା ପିନ୍ଧି ସେ ପାହାଡ଼ ଆଡ଼କୁ ଧାଇଁଲା । ଦେଖିଲା ତାର ଦୁଇଶହ ମେଣ୍ଢା କୁଆଡ଼େ ଉଭେଇ ଯାଇଛନ୍ତି । କେବଳ ପଚାଶଟା ମେଣ୍ଢା ଆଉ ତାଙ୍କ କଅଁଳା ଛୁଆ ଗୋଟେ ବାଡ଼ଘେରା ଜାଗାରେ ଅଲଗା ଥିଲେ । ବାକି ମେଣ୍ଢାଙ୍କର ପତ୍ତା ନାହିଁ-। ଗାବ୍ରିଏଲ୍‌ ବାଡ଼ ପାଖକୁ ଗଲା । ଦେଖିଲା ବାଡ଼ରୁ ଖଣ୍ଡେ ଭାଙ୍ଗି ଯାଇଛି ଆଉ ସେଇ ବାଟରେ ମେଣ୍ଢାଙ୍କ ଖୁରା ଚିହ୍ନ ପଡ଼ିଛି । ଚିହ୍ନଗୁଡ଼ା ପାହାଡ଼ର ଉଠାଣି ଆଡ଼େ ଯାଇଛି । ପାହାଡ଼ ତାଳୁରେ ଗୋଟେ ବଡ଼ ଗାତ ଥିଲା । ଗାବ୍ରିଏଲ୍‌ ସେ ଆଡ଼େ ଯାଇ ଦେଖିଲା ତା ସାନ କୁକୁରଟା ସେଇ ଗାତ କଡ଼ରେ ଠିଆ ହୋଇଛି ।

 

ଗାବ୍ରିଏଲ୍‌ର ଛାତି ଥରି ଉଠିଲା । ସେ ଧୀରେ ଧୀରେ ଗାତଟା ପାଖକୁ ଗଲା । ଦେଖିଲା ଗାତ ଚାରିପାଖେ ଥିବା କାଠବାଡ଼ ଗୋଟେ ଜାଗାରେ ଭାଙ୍ଗିଛି, ଆଉ ସେଠି ମେଣ୍ଢାଙ୍କ ଖୁରାଚିହ୍ନ ପଡ଼ିଛି । କୁକୁରଟା ଆସି ତା’ହାତ ଚାଟି ଲାଗିଲା । ତା କାମ ପାଇଁ ସେ ମୁନିବଠାରୁ ନିଶ୍ଚୟ କିଛି ପୁରସ୍କାର ଆଶା କରୁଥିଲା । ଗାବ୍ରିଏଲ୍‌ ଗାତ ଭିତରକୁ ଚାହିଁଲା । ଦେଖିଲା ଗାତ ଭିତରେ ଦୁଇଶହ ମେଣ୍ଢାଙ୍କର ମଲାଦେହ ଗଦା ହୋଇଛି ।

 

ନିରୀହ ମେଣ୍ଢାଗୁଡ଼ିଙ୍କର ଏ ଦୁର୍ଦ୍ଦଶା ଦେଖି ପ୍ରଥମେ ତା ମନରେ ଭୀଷଣ ଦୁଃଖ ଆସିଲା-। ତା’ପରେ ସେ କିନ୍ତୁ ଆଉ ଗୋଟେ ଭାବନାରେ ପଡ଼ିଗଲା । ତା’ ଜୀବନସାରାଲାଗି ସେ ଯାହା କିଛି କରିଥିଲା, ମୁହୂର୍ତ୍ତକେ ସବୁ ଶେଷ ହୋଇଯାଇଛି । କାହା ପାଖରେ ମୂଲିଆ ନରହି ନିଜେ ମେଣ୍ଢା ପାଳକ ହେବାପାଇଁ ସେ ଯେଉଁ ଆଶା କରିଥିଲା, ତାହା ସବୁଦିନ ପାଇଁ ପାଣିଫୋଟକା ପରି ଉଭେଇଗଲା ।

 

ଘଟଣାଟା କେମିତି ଘଟିଛି, ଗାବ୍ରିଏଲ୍‌ ଅନୁମାନ କରିନେଲା । ବିଚରା କୁକୁର ଭାବିଲା, ମେଣ୍ଢାଙ୍କୁ ଘଉଡ଼ିବା ତା କାମ । ତେଣୁ ସେ ତାଙ୍କ ପଛରେ ଯେତେ ଗୋଡ଼େଇବ ସେତେଭଲ । ସେ ମେଣ୍ଢାଗୁଡ଼ାଙ୍କୁ ଗୋଟେ କଣକୁ ତଡ଼ି ନେଇଛି । ମେଣ୍ଢାଗୁଡ଼ା ହୁରୁଡ଼ି ବାଡ଼ ଭାଙ୍ଗି ଜୋରରେ ଦୌଡ଼ି ପଳାଇଛନ୍ତି । ଖାତର ପୁରୁଣା ଓ ଦୁର୍ବଳ କାଠବାଡ଼ ସେମାନଙ୍କ ଆଘାତରେ ଭାଙ୍ଗିଯାଇଛି, ଆଉ ସବୁଯାକ ଗାତରେ ପଡ଼ି ମରିଛନ୍ତି । ଗାବ୍ରିଏଲ୍‌ ମେଣ୍ଢାଗୁଡ଼ା ଜଣକଠାରୁ ଧାରରେ କିଣିଥିଲା, ଆଉ ତାକୁ ମାସକୁ ମାସ ପଇସା ସୁଝିବା କଥା । ସେ ଦେଖିଲା ଯେ ତା ନିଜର ଯେଉଁ ମେଣ୍ଢାତକ ଅଛନ୍ତି ସବୁଯାକ ବିକିଲେ ଯାଇ ସେ ତା ଧାର ସୁଝିପାରିବ । ସେ ତା ମେଣ୍ଢାତକ ଓ କ୍ଷେତ ସବୁକିଛି ବିକିଦେଇ ଧାର ସୁଝିଦେଲା । ଏବେ ତାର ନିଜର ହୋଇ ଆଉ କିଛି ରହିଲା ନାହିଁ ।

 

କ୍ଷେତରେ ଅଗ୍ନିକାଣ୍ଡ

 

ଦୁଇମାସ ବିତିଗଲା । ଫେବୃୟାରୀ ମାସର ଦିନକର କଥା । ସେ ଦିନ କାଷ୍ଟର୍‌ବ୍ରିଜ୍‌ ସହରରେ ଗୋଟେ ହାଟ ହୁଏ । ସେ ହାଟକୁ ମୂଲିଆମାନେ ଆସନ୍ତି । କ୍ଷେତ ମାଲିକମାନେ ବର୍ଷକ ପାଇଁ ଏଠୁ ମୂଲିଆ ବାଛି ନିଅନ୍ତି । ସେଦିନ ହାଟର ଗୋଟେ କଡ଼ରେ ଦୁଇରୁ ତିନି ଶହ ଯାଏଁ ମୂଲିଆ ଠିଆହୋଇଥାନ୍ତି । ଗାବ୍ରିଏଲ୍‌ ଓକ୍ ବି ତାଙ୍କ ଭିତରେ ଥାଏ । ତା ମୁହଁରେ ଦୁଃଖ ଆଉ ଆଖିରେ ଭାବନାର ଚିହ୍ନ । ଧୀର ସ୍ଥିର ଭାବେ ସେ ତା ମେଣ୍ଢା ଜଗା ବାଡ଼ି ଖଣ୍ଡି ହାତରେ ଧରି ଠିଆ ହୋଇଥାଏ । ଦି ତିନି ଜଣ ଚାଷୀ ତା ପାଖକୁ ଆସିଲେ । ବୁଝିଲେ ଯେ ସେ ତା ନିଜ କ୍ଷେତରେ କାମ କରୁଥିଲା । ମୁଣ୍ଡ ହଲାଇ ସମସ୍ତେ ତା ପାଖରୁ ଚାଲିଗଲେ । ବେଳ ବୁଡ଼ି ଅଂନ୍ଧାର ହୋଇଆସିଲା । ତଥାପି କେହି ଗାବ୍ରିଏଲ୍‍କୁ ମୂଲିଆ କରି ନେଲେ ନାହିଁ । ସେ ପଚାରି ବୁଝିଥିଲା ଯେ ତା ପରଦିନ ସଟ୍‌ସଫୋର୍ଡ଼ରେ ଗୋଟେ ହାଟ ହବ । ସଟ୍‌ସଫୋର୍ଡ଼ ସେଠୁ ଦଶମାଇଲ ଦୂର, ଉଏଦରବେରି ଆର ପାଖରେ ।

 

‘‘ଉଏଦରବେରି !’’ ଗାବ୍ରିଏଲ୍‌ ଭାବିଲା । ଦୁଇମାସ ଆଗେ ବାଥସେବା ସେଠିକି ଯାଇଛି-। ଗାବ୍ରିଏଲ୍‌ ଠିକ୍‌ କଲା ସେ ସଟ୍‌ସଫୋର୍ଡ଼ ହାଟକୁ ଯିବ । ରାତିରେ ଉଏଦରବେରି ଯିବାପାଇଁ ଠିକ୍‍କରି ସେ ସାଙ୍ଗେ ସାଙ୍ଗେ ଯାତ୍ରା ଆରମ୍ଭ କରିଦେଲା ।

 

ଚାରି ପାଞ୍ଚମାଇଲ ଗଲା ପରେ ଗାବ୍ରିଏଲ୍‌ ଗୋଟେ କ୍ଷେତର ଫାଟକ ପାଖରେ ପହଞ୍ଚିଲା । ସେଇବାଟେ କ୍ଷେତ ଭିତରେ ଥିବା ଘରକୁ ରାସ୍ତା । ଘରଟା ଫାଟକ ପାଖରୁ ଖଣ୍ଡେ ଦୂରରେ । ସେ ଫାଟକ ପାଖରେ ବସିପଡ଼ି ଭାବିଲା କେଉଁଠି ଗୋଟେ ଶସ୍ତା ହୋଟେଲ ଖୋଜିବ କି କାହା ଶୁଖିଲା ଘାସ ଭାଡ଼ି ତଳେ ରାତିଟା କଟେଇଦବ । ହଠାତ୍‌ ପ୍ରାୟ ମାଇଲିଏ ଦୂରରେ ସେ ଗୋଟେ ବଡ଼ ଧରଣର ଆଲୁଅ ଦେଖିଲା । ଆଲୁଅଟା ଆସ୍ତେ ଆସ୍ତେ ବଢ଼ୁଛି । ଗାବ୍ରିଏଲ୍‍ ଭଲଭାବେ ସେ ଆଡ଼କୁ ନିରେଖି ଚାହିଁଲା । ଜାଣିଲା ସେଠି ନିଆଁ ଲାଗିଛି । ସେ ଫାଟକ ଡେଇଁ ନିଆଁ ଆଡ଼କୁ ଧାଇଁଲା । ପାଖରେ ପହଞ୍ଚି ଦେଖିଲା କ୍ଷେତ ଭିତରେ ଗୋଟେ ଘାସ ଭାଡ଼ିରେ ନିଆଁ ଲାଗି ପ୍ରବଳ ଭାବରେ ଜଳୁଛି । ଗାବ୍ରିଏଲ୍‌ ଦେଖିଲା ସେଠି ଆଉ କେତେ ଜଣ ଲୋକ ମଧ୍ୟ ଅଛନ୍ତି-। ସମସ୍ତେ ପାଟିକରି ଏପାଖ ସେପାଖ ଦୌଡ଼ୁଛନ୍ତି । ସେ ଏକୁ, ଏ ତାକୁ ୟା କର ତା କର ବୋଲି କହି ଲାଗିଛନ୍ତି । ଅଥଚ ଗୋଳମାଳିଆ ଅବସ୍ଥା ହୋଇ ସେମାନେ କ’ଣ କରିବେ କିଛି ଠିକ୍‌ କରି ପାରୁନାହାନ୍ତି ।

 

ପାଖରେ ଥିବା ଲୋକଙ୍କୁ ଡାକି ଗାବ୍ରିଏଲ୍‍ କହିଲା, ‘‘ପବନଟାକୁ ଆଗେ ରୋକ । ଏ ଗଦା ତଳ ଯଦି ନିଆଁ ଧରିଯାଏ ତା’ହେଲେ ଘରଆଡ଼େ ମାଡ଼ିଯିବ । ଶୀଘ୍ର ଗୋଟେ ପାଲ ନେଇ ଆସ ।’’ ପାଲଟେ ଅଣାଗଲା । ସେଟାକୁ ପରଦା ପରି ଘାସଗଦା କଡ଼ରେ ଟଣାଗଲା । ପବନ ଆଉ ଗଦା ତଳକୁ ଯାଇ ପାରିଲା ନାହିଁ । ତେଣୁ ନିଆଁ ଶିଖା ତଳକୁ ନଯାଇ ଉପରକୁ ଉଠିଲା । ଗାବ୍ରିଏଲ୍‌ ଘାସଗଦା ଉପରକୁ ଚଢ଼ିଯାଇ ନିଆଁଟାକୁ ତା ମେଣ୍ଢାଚରା ବାଡ଼ିରେ ପିଟିବାକୁ ଲାଗିଲା, ଆଉ ପାଣି ଓ ଗୋଟେ ସିଡ଼ି ଆଣିବାକୁ ଲୋକଙ୍କୁ କହିଲା ।

 

ସେତେବେଳକୁ ଗାଁର ଦଳେ ଲୋକ ଆସି ପହଞ୍ଚିଗଲେଣି । ନିଆଁ ଲିଭାଇବାପାଇଁ ସେମାନେ ସବୁ ପ୍ରକାର ଚେଷ୍ଟା କରୁଥାନ୍ତି । ଆଉ ଗୋଟେ ବଡ଼ ଘାସ ଗଦା ପାଖରେ ନିଆଁ ଧାସଠୁ ଦୂରରେ ଦୁଇଜଣ ସ୍ତ୍ରୀଲୋକ ଠିଆ ହୋଇଥାନ୍ତି । ଜଣେ ଆଉଜଣକୁ କହୁଥାଏ ‘‘ସେ ଜଣେ ମେଣ୍ଢାରଖୁଆଳ । ତା ହାତରେ ସେ ବାଡ଼ି ଦେଖ ।’’

 

ଅନ୍ୟ ଜଣକ ବଡ଼ପାଟିରେ ପଚାରିଲା, ‘‘ସେ କାହା ମେଣ୍ଢାରଖୁଆଳ ?’’ କିନ୍ତୁ କେହି ତାକୁ ଚିହ୍ନିନଥିଲେ ।

 

ତା’ପରେ ସେ ପୁଣି ଲୋକମାନଙ୍କୁ ପଚାରିଲା, ‘‘ନିଆଁଟା କ’ଣ ପୂରା ଦବିଗଲା ? ଘରଟା ଏଥର ନିରାପଦତ ?’’

 

ପାଖରେ ଥିବା ଜଣେ ଲୋକ ଉତ୍ତର ଦେଲା, ‘‘ହଁ, ଆଉ ବିପଦ ନାହିଁ । ସେଇ ସାହସୀ ମେଣ୍ଢାରଖୁଆଳ ଧନ୍ୟ ।’’

 

ପ୍ରଥମ ତରୁଣୀ ଗାବ୍ରିଏଲ୍‌ ଆଡ଼େ ଚାହିଁ କହିଲା, ‘‘ସେ ଖୁବ୍‌ କଠିନ ପରିଶ୍ରମ କରିଛି । ସେ ହେଲେ ମୋ ମେଣ୍ଢାରଖୁଆଳ ହୋଇଥାନ୍ତା ।’’

 

ଗାବ୍ରିଏଲ୍‌ ଘାସ ଗଦା ଉପରୁ ତଳକୁ ଓହ୍ଲାଇଲା । ତରୁଣୀଟି ତା ସାଥୀକୁ କହିଲା, ‘‘ମେରିଆନ୍‌, ତାକୁ ଯାଇ କହ, ତା ସାହାଯ୍ୟ ପାଇଁ ଏ କ୍ଷେତର ଚାଷୀ ତାକୁ ଧନ୍ୟବାଦ ଦେବାକୁ ଚାହାନ୍ତି ।’’

 

ମେରିଆନ୍‌ ଗାବ୍ରିଏଲ୍‍ ପାଖକୁ ଯାଇ ଖବରଟା କହିଲା । ‘‘ତୁମ ମାଲିକ କେଉଁଠି ?’’ ଗାବ୍ରିଏଲ୍‍ ପଚାରିଲା ।

 

‘‘ମାଲିକ ନୁହଁନ୍ତି, ମାଲିକାଣୀ ।’’

 

ଆଶ୍ଚର୍ଯ୍ୟ ହୋଇ ଗାବ୍ରିଏଲ୍‌ ପଚାରିଲା, ‘‘ଜଣେ ନାରୀ ଚାଷୀ ?’’

 

‘‘ହଁ ନାରୀ । ଆଉ ବେଶ୍‌ ଧନୀ ମଧ୍ୟ ।’’ ଜଣେ ଗାଁଲୋକ କହିଲା ।

 

‘‘ସେ ଅଳ୍ପଦିନ ହେଲା ଏଠିକି ଆସିଛନ୍ତି । ତାଙ୍କ ମାମୁଁ ମରିଗଲେ । ସେ ମାମୁଁଙ୍କ ସମ୍ପତ୍ତିବାଡ଼ି ସବୁ ପାଇଲେ ।’’

 

‘‘ସେଇଠି ସେ କଳାଲୁଗାଟା ମୁଣ୍ଡରେ ପକେଇ ଇଆଡ଼େ ପିଠିକରି ଠିଆ ହୋଇଛନ୍ତି ।’’ ମେରିଆନ୍‌ ଉତ୍ତର ଦେଲା ।

 

ଗାବ୍ରିଏଲ୍‌ର ମୁହଁ ସାରା କଳା ବଲବଲ, ଅପରିଷ୍କାର । ତାକୁ ଯେପରି ସହଜରେ ଚିହ୍ନିହେବ ନାହିଁ, ସେଇମିତି ମୁହଁରେ ସେ ତରୁଣୀ ନିକଟକୁ ଗଲା । ମୁଣ୍ଡର ଟୋପି କାଢ଼ି ଖୁବ୍‌ ନମ୍ର ଭାବରେ କହିଲା, ‘‘ଆପଣଙ୍କର ମେଣ୍ଢାରଖୁଆଳ ଦର୍କାର ଆଜ୍ଞା ?’’

 

ତରୁଣୀ ମୁହଁର ଆବରଣ ଆଡ଼େଇ ତା ଆଡ଼କୁ ଚାହିଁ ବିସ୍ମିତ ହୋଇଗଲେ । ଗାବ୍ରିଏଲ୍‌ ଆଉ ତାର ହୃଦୟହୀନା ପ୍ରେମିକା ସାମନାସାମନି ।

 

ବାଥସେବା କିଛି କହି ପାରିଲା ନାହିଁ । ଗାବ୍ରିଏଲ୍‌ ପୁଣି ଥରେ ଧୀର ଭାବରେ କହିଲା, ‘‘ଆପଣଙ୍କର ମେଣ୍ଢାରଖୁଆଳ ଲୋଡ଼ା ?’’

 

ଏଇ ଅପ୍ରତ୍ୟାଶିତ ଦେଖାରେ ବାଥସେବା ମନରେ ଆନନ୍ଦ ଆସିଲା । ଗାବ୍ରିଏଲ୍‌ର ଏ ଅବସ୍ଥା ଦେଖି ସେ ଅବଶ୍ୟ ମନେମନେ ଦୁଃଖିତ ହେଲା, କିନ୍ତୁ ନିଜର ଅବସ୍ଥା ପାଇଁ ସେ ଗର୍ବ ଆଉ ଆନନ୍ଦ ଅନୁଭବ କଲା ।

 

ଗମ୍ଭୀର ହୋଇ ସେ କହିଲା, ‘‘ହଁ, ମୋର ମେଣ୍ଢାରଖୁଆଳ ଦର୍କାର, କିନ୍ତୁ..... ।’’

 

ଜଣେ ଗାଁବାଲା କହିଲା, ‘‘ସେଥିପାଇଁ ଏ ଲୋକ ସବୁଠୁ ଉପଯୁକ୍ତ ମା’ ।’’

 

ଅନ୍ୟମାନେ ତା କଥାକୁ ସମର୍ଥନ କଲେ ।

 

‘‘ତା’ହେଲେ ମୋ ଖମାରୀ ସାଥୀରେ କଥାବାର୍ତ୍ତା କରିବାକୁ ତାକୁ କହ ।’’ ଏତିକି କହି ସେ ଖମାର ଘର ଭିତରକୁ ଚାଲିଗଲା ।

 

ଗାଁଲୋକେ ଚାଲିଗଲେ । ଗାବ୍ରିଏଲ୍‌ ଆଉ ଖମାରୀ ମଜୁରି ପତ୍ର ବିଷୟରେ କଥାବାର୍ତ୍ତା ହେଲେ । ତା’ପରେ ଖମାରୀ କହିଲା, ‘‘ସବୁତ ଛିଡ଼ିଲା, ମୁଁ ଏଥର ଘରକୁ ଯାଉଛି ।’’

 

‘‘ମୋ ଲାଗି ରହିବା ଘର ଖଣ୍ଡେ ଯୋଗାଡ଼ କରିଦେଇ ପାରିବେ ?’’

 

‘‘ନାଁ, ମୋ ଦ୍ୱାରା ହୋଇ ପାରିବ ନାହିଁ । ତୁମେ ବରଂ ଉଏଦରବେରି ଗାଁକୁ ଯା, ସେଠି ଜାଗା ପାଇଯିବ ।’’ ଏତିକି କହି ଖମାରୀ ଚାଲିଗଲା ।

 

ଗାବ୍ରିଏଲ୍‌ ଧୀରେ ଧୀରେ ଗାଁ ଆଡ଼କୁ ଚାଲିଲା । ବାଥସେବା ସାଥିରେ ତାର ଏ ଦେଖାରେ ସେ ବି ବିସ୍ମିତ ହୋଇଗଲା । ନରକୋମ୍ୱର ସେଇ ତରୁଣୀଟି ଏଡ଼େ ବେଗେ ଜଣେ ଧୀର ସ୍ଥିର କାର୍ଯ୍ୟଦକ୍ଷ ରମଣୀରେ କିପରି ପରିଣତ ହୋଇଗଲା, ସେ କିଛି ବୁଝି ପାରିଲା ନାହିଁ ।

 

ଦୁଃସମ୍ୱାଦ

 

ଗାଁ ଭିତରକୁ ଆସିବା ଆଗରୁ ଗାବ୍ରିଏଲ୍‍ ଗାଁ ଗିର୍ଜା ପାଖରେ ପହଞ୍ଚିଲା । ଗିର୍ଜା କାନ୍ଥ କଡ଼େ କଡ଼େ କେତେଗୁଡ଼ାଏ ବଡ଼ ବଡ଼ ଗଛ । ସେଇବାଟେ ଆସୁ ଆସୁ ସେ ଦେଖିଲା ଗୋଟେ ଗଛତଳେ କିଏ ଜଣେ ଠିଆ ହୋଇଛି । ପାଖକୁ ଯାଇ ଦେଖିଲା ଜଣେ ପତଳା ତରୁଣୀ । ଦେହରେ ଖାଲି ଖଣ୍ଡେ ପତଳା ପୋଷାକ । କୋଟ୍‌ ବା ଟୋପି କିଛି ନାହିଁ । ଗାବ୍ରିଏଲ୍‌ ତାକୁ ପଚାରିଲା–‘‘ଉଏଦରବେରି ଯିବାକୁ ଏଇଟା ଠିକ୍‌ ବାଟ ?’’

 

‘‘ହଁ । ଗାଁଟା ଏଇ ପାହାଡ଼ ତଳେ । ତୁମେ କ’ଣ ଉଏଦରବେରିର ଲୋକ ନୁହଁ ?’’

 

‘‘ନା, ମୁଁ ନୂଆ ମେଣ୍ଢାରଖୁଆଳ । ଆଜି ଆସିଛି ।’’

 

‘‘ତୁମେ ମୋତେ ଏଠି ଦେଖିଛ ବୋଲି କାହା ଆଗରେ କହିବ ନାହିଁ, ଅନ୍ତତଃ ଦୁଇ ତିନି ଦିନ ପାଇଁ ।’’

 

‘‘ତୁମେ ଯଦି ମନାକରୁଛ, ମୁଁ କାହାକୁ କହିବି ନାହିଁ ।’’

 

‘‘ଧନ୍ୟବାଦ । ମୁଁ ଖୁବ୍‌ ଗରିବ । ମୋ ବିଷୟରେ ଲୋକେ କିଛି ଜାଣିବା ମୋର ଇଚ୍ଛା ନୁହେଁ ।’’ ଏତିକି କହି ତରୁଣୀ ଚୁପ୍‌ ହେଲା । ତା ଦେହ ଥରିଯାଉଥାଏ ।

 

‘‘ଏଡ଼େ ଥଣ୍ଡା ରାତି । ତୁମର ଗୋଟେ କୋଟ୍‌ ପିନ୍ଧିବାର ଥିଲା । ତେବେ ତୁମେ ତ ଖୁବ୍‌ ଗରିବ ବୋଲି କହୁଛ । ଏଇ ମୋ ପାଖରେ ଯାହା ଅଛି ନିଅ । ମୋଟେ ଗୋଟେ ସିଲିଂ, ମାତ୍ର ସେତିକି ମୋ ପାଖେ ଅଛି ।’’

 

ଗାବ୍ରିଏଲ୍‍ର କଥା ଶୁଣି ତରୁଣୀଟି ହାତ ବଢ଼ାଇଲା । ତା ହାତରେ ଗାବ୍ରିଏଲ୍‌ର ହାତ ବାଜିବା ମାତ୍ରେ ସେ ଜାଣିଲା ଯେ ତରୁଣୀଟିର ଦେହସାରା ବରଡ଼ାପତ୍ର ପରି ଥରୁଛି ।

 

ଖୁବ୍‌ ଧୀରେ ସେ ପଚାରିଲା, ‘‘କଥା କ’ଣ ?’’

 

‘‘କିଛି ନୁହଁ । ଦୟାକରି ତୁମେ ଏଥର ଯାଅ । ନିୟମ କର, ମୋତେ ଏଠି ଦେଖିଛ ବୋଲି କାହାକୁ କହିବ ନାହିଁ ।’’

 

‘‘ହଉ ହେଲା, ମୁଁ କାହାକୁ କହିବି ନାହିଁ ।’’

 

ତରୁଣୀଟି ସେଇ ଗଛମୂଳେ ପିତୁଳା ପରି ଠିଆ ହୋଇ ରହିଲା, ଆଉ ଗାବ୍ରିଏଲ୍‌ ଉଏଦରବେରି ଗାଁ ଆଡ଼କୁ ଚାଲିଲା । ପ୍ରଥମେ ସେ ଗାଁ ପାନ୍ଥଶାଳାକୁ ଯାଇ ଘରକଥା ବୁଝିଲା । ଜନ୍‌ ବୋଲି ଜଣେ ଲୋକ ପାଖରେ ରହିବା ପାଇଁ ଜାଗା ଖଣ୍ଡିଏ ଠିକ୍‌ କଲା । ଏଇ ଜନ୍‌ ବାଥସେବାଙ୍କ କ୍ଷେତରେ କାମ କରେ । ସାରାଦିନର ପରିଶ୍ରମ ଯୋଗୁ ଗାବ୍ରିଏଲ୍‍ ବଡ଼ କ୍ଳାନ୍ତ ହୋଇପଡ଼ି ଥିଲା । କେମିତି ଚଞ୍ଚଳ ଯାଇ ଶୋଇପଡ଼ିବ ବୋଲି ସେ ଭାବୁଥାଏ । ସେମାନେ ପାନ୍ଥଶାଳାରୁ ଯିବାକୁ ବାହାରିଲାବେଳକୁ ହେନେରୀ ବୋଲି ଜଣେ ଲୋକ ଧାଇଁ ଧାଇଁ ଆସି ପହଞ୍ଚିଲା । ସେ ବି ବାଥସେବାଙ୍କ କ୍ଷେତରେ କାମ କରେ ।

 

ଜନ୍‌ ପଚାରିଲା, ‘‘କଥା କ’ଣ ହେନେରୀ ?’’

 

‘‘ସେଇ ଖମାରୀ ପେନିଉଏଜ୍‌–ମୁଁ କହୁଥିଲି ନା ସେଇଟା ଗୋଟେ ଚୋର !’’

 

‘‘କଣ କିଛି ଚୋରି କରି ଧରାପଡ଼ିଛି ?’’

 

‘‘ଚୋରି ବୋଲି ପଚାରୁଛ ! ଆମେ ସବୁ ଆସିଲା ପରେ କୁମାରୀ ଏଭର୍‍ଡ଼ିନ୍‌ ପୁଣି ଥରେ ବାହାରକୁ ଆସିଲେ, ସବୁ ନିରାପଦ କି ନା ଦେଖିବା ପାଇଁ । ଦେଖିଲେ ଖମାରୀ ପେନିଉଏଜ୍‌ ଅଖାଏ ବାର୍ଲି ଧରି ଖମାର ଘରୁ ଖସିଯାଉଛି । ସେ କେମିତି ରାଗି ଯାଇଥିବେ ଅନୁମାନ କର । ଲୋକଟା ମୋଟରେ ପାଞ୍ଚ ଅଖା ବାର୍ଲି ନେଇ ଯାଇଛି ବୋଲି ମାନିଲା । ସେ ତାକୁ ସେଇଠି ସାଙ୍ଗେ ସାଙ୍ଗେ କାମରୁ ବାହାର କରିଦେଲେ । କଥା ହେଲା ଏବେ ଖମାରୀ ହବ କିଏ ?’’

 

‘‘ଆଜି ରାତିଟା କୁମାରୀ ଏଭର୍‍ଡ଼ିନ୍‌ଙ୍କ ଲାଗି କି ଦୁର୍ଯୋଗପୂର୍ଣ୍ଣ ।’’ ତା ମୁହଁରୁ କଥାଟା ସରିଛି କି ନାହିଁ, ଆଉ ଜଣେ ମୂଲିଆ ଧାଇଁ ଧାଇଁ ଆସି କହିଲା, ‘‘ଗୋଟେ ଖବର ଶୁଣିଛ ? ଗାଁ ସାରା ରାଷ୍ଟ୍ର ହୋଇଗଲାଣି । କୁମାରୀ ଏଭର୍‍ଡ଼ିନ୍‌ଙ୍କ ସାନ ଚାକରାଣୀ ଫାନିରବିନ୍‌ର ପତ୍ତା ମିଳୁନାହିଁ । ତେଣୁ ସେ ଆମ ଭିତରୁ ଦି’ ଚାରିଜଣଙ୍କ ସାଥିରେ କଥାବାର୍ତ୍ତା କରିବାକୁ ଚାହାଁନ୍ତି । ଏଣେ ଖମାରୀ ଘଟଣା, ତେଣେ ଚାକରାଣୀ ଘଟଣା–ସେ କ’ଣ କରିବେ ଠିକ୍‌ କରିପାରୁନାହାନ୍ତି ।’’

 

ସମସ୍ତେ ଖମାର ଘର ଆଡ଼େ ଚାଲିଲେ । ସେଠି ପହଞ୍ଚିଲାବେଳକୁ ବାଥସେବା ତାଙ୍କ ଶୋଇଲା ଘର ଝରକା ପାଖରେ ଠିଆ ହୋଇଥିଲେ । ବଡ଼ ବ୍ୟସ୍ତ ହୋଇ ସେ ପଚାରିଲେ, ‘‘ତୁମ ଭିତରେ ମୋ ଲୋକ କେହି ଅଛନ୍ତି ?’’

 

ଜନ୍‌ ଉତ୍ତର ଦେଲା, ‘‘ହଁ, ଆମେ କେତେ ଜଣ ଅଛୁ ।’’

 

‘‘ଗାଁ ଲୋକ କେହି ଫାନିରବିନ୍‌କୁ ଦେଖିଛନ୍ତି କି ନାହିଁ କାଲି ସକାଳେ ମୁଁ ଯାଇ ଗାଁରେ ପଚାରି ବୁଝିବି । ଆମେ ନିଆଁ ପାଖରେ ଥିଲାବେଳେ ସେ ନିଶ୍ଚୟ ଏଠୁ ଚାଲିଯାଇଥିବ । ମେରିଆନ୍‌ କହୁଛି ସେ ଗଲାବେଳେ ଖାଲି ଖଣ୍ଡେ ପତଳା ଜାମା ପିନ୍ଧି ଯାଇଛି । ଟୋପି ବି ନେଇନାହିଁ । ତେଣୁ ବଡ଼ ସନ୍ଦେହ ହେଉଛି ।’’

 

‘‘ତା’ହେଲେ ସେ କୌଣସି ଯୁବକକୁ ଭେଟିବାକୁ ଯାଇନି ।’’ ଜନ୍‌ କହିଲା । ‘‘ତା’ହେଲେ ସେ ପୋଷାକପତ୍ର ପିନ୍ଧି ଯାଇଥାନ୍ତା । ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି ମୁଁ ବୁଝି ପାରୁନାହିଁ ?’’

 

ଆଉ ଗୋଟେ ଝରକା ପାଖରୁ ମେରିଆନ୍‌ କହିଲା, ‘‘ମୋର ମନେହେଉଛି ସେ କିଛି ଗୋଟେ ଗଣ୍ଠିଲି ଧରିଥିଲା । କିନ୍ତୁ ମୁଁ ଭଲଭାବେ ଦେଖି ପାରିଲି ନାହିଁ । ଏଠି ତାର କେହି ବନ୍ଧୁ ନାହାନ୍ତି । ତା ଯୁବକ ସାଙ୍ଗ କାଷ୍ଟର୍‌ବ୍ରିଜରେ ରହେ । ମୁଁ ଜାଣେ ସେ ଜଣେ ସୈନିକ ।’’

 

‘‘ତୁ ତା ନାଁ ଜାଣୁ ?’’ ବାଥସେବା ପଚାରିଲେ ।

 

‘‘ନାଁ, ସେ କେବେ ମୋ ଆଗେ କହିନାହିଁ ।’’

 

ବାଥସେବାଙ୍କର ଆଉ ଜଣେ ଲୋକ ଉଇଲିୟମ୍‌ କହିଲା, ‘‘କାଷ୍ଟର୍‍ବ୍ରିଜ୍‌ ସେନା ଛାଉଣୀକୁ ଗଲେ ମୁଁ ତା ନାଁଟା ଜାଣିପାରିବି ।’’

 

‘‘ଠିକ୍‌ ଅଛି । ସେ ଯଦି ଆଜି ରାତିରେ ନଫେରେ କାଲି ଯାଇ ସେ ଲୋକଟାକୁ ଖୋଜିବାକୁ ଚେଷ୍ଟା କରିବ । ତାର କେହି ବନ୍ଧୁବାନ୍ଧବ ନାହାନ୍ତି । ତା ଦାୟିତ୍ୱ ମୋ ଉପରେ । ତା’ପରେ ଏଇ ଖମାରୀଟାର ଏ ବଦ୍‌ମାସ କାମ । ଛାଡ଼, ତା କଥା ଏଇଲେ ଦର୍କାର ନାହିଁ ।’’

 

ଲୋକମାନଙ୍କୁ ବିଦା କରିଦେଇ ସେ ଝରକା ବନ୍ଦ କଲେ । ଲୋକମାନେ ଯାହା କିଛି ସମ୍ଭବ କରିବେ ବୋଲି ପ୍ରତିଶ୍ରୁତି ଦେଇ ଚାଲିଗଲେ ।

 

ମାଲିକାଣୀ ଏଭର୍‍ଡ଼ିନ୍‌

 

ତା ପରଦିନ ସକାଳେ ଏଭର୍‍ଡ଼ିନ୍‌ଙ୍କ ଖମାରଘର ଉପର ମହଲାରେ ବେଶ୍‌ ହସଖୁସି ଶୁଣାଗଲା । ବାଥସେବା ଆଉ ତାଙ୍କ ଚାକରାଣୀ ଲିଡ଼ି ଆବୁରୁ ଜାବୁରୁ ହୋଇ ପଡ଼ିଥିବା ଜିନିଷ ସଜାଉଥିଲେ । ଗୋଟେ ଦରଜା ଅଳ୍ପ ଖୋଲାଥିଲା । ବାହାରେ ଚାକରାଣୀ ମେରିଆନ୍‌ କିଛି ଗୋଟେ ଜିନିଷ ଜୋରରେ ମାଜୁଥିଲା । ଘର ଭିତରକୁ ସେ ଶବ୍ଦ ଶୁଭୁଥିଲା ।

 

ବାଥସେବା ସେଇ ଖୋଲା ଦରଜାବାଟେ ତାକୁ ଚାହିଁ କହିଲେ, ‘‘ମାଜିବା ଟିକିଏ ବନ୍ଦକର । କ’ଣ ଗୋଟେ ଶବ୍ଦ ଶୁଭୁଛି ।’’

 

ମେରିଆନ୍‌ ମଜା ବନ୍ଦ କଲା । ଗୋଟେ ଘୋଡ଼ାର ଟାପୁ ଶବ୍ଦ ସାମନା ପାଖ ଦରଜା ଆଡ଼କୁ ଆସୁଥିବା ଶୁଣାଗଲା । ଟିକିଏ ପରେ ଘୋଡ଼ା ଚଢ଼ାଳି ଦରଜା ପାଖରେ ପହଞ୍ଚି ଘୋଡ଼ା ଚାବୁକରେ କବାଟରେ ଠକ୍‌ ଠକ୍‌ କଲେ ।

 

ରାନ୍ଧୁଣୀ କବାଟ ଖୋଲିଦେଲା । ଗମ୍ଭୀର କଣ୍ଠରେ କେହି ଜଣେ ପଚାରିଲା, ‘‘କୁମାରୀ ଏଭର୍‍ଡ଼ିନ୍‌ ଘରେ ଅଛନ୍ତି ?’’

 

‘‘ମୁ ଦେଖିଆସେ ଆଜ୍ଞା’’, କହି ରାନ୍ଧୁଣୀ ଘର ଭିତରକୁ ଆସି କହିଲା, ‘‘ମିଷ୍ଟର୍‌ ବୋଲ୍‌ଡ଼୍‌ଉଡ଼୍‌ ତୁମ ସାଥିରେ ଦେଖା କରିବାକୁ ଅପେକ୍ଷା କରିଛନ୍ତି ।’’

 

‘‘ଏମିତି ମଇଳା ମଳିଛିଆ ହୋଇ ମୁଁ ତାଙ୍କ ସାଙ୍ଗେ ଦେଖା କରି ପାରିବି ନାହିଁ । ପଚାରି ଆସ କ’ଣ ଦର୍କାର ।’’

 

ରାନ୍ଧୁଣୀ ଫେରିଯାଇ ଏ ଖବରଟା ଜଣେଇଦେଲା । ବୋଲ୍‍ଡ଼୍ଉଡ଼୍‌ କହିଲେ, ‘‘ମୁଁ ବୁଝିବାକୁ ଆସିଥିଲି ଫାନିରବିନ୍‌ର କିଛି ଖବର ମିଳିଲାକି ।’’

 

‘‘ନାଁ, ଆଜ୍ଞା । ତେବେ ଆମେ ଆଜି ରାତିରେ କିଛି ଖବର ପାଇବା ଆମର ଅନୁମାନ କାଷ୍ଟର୍‌ବ୍ରିଜରେ ତାର ଯୁବକ ବନ୍ଧୁ ରହେ । ଉଇଲିୟମ୍‌ ସେଠିକି ଯାଇଛନ୍ତି ।’’

 

ଘୋଡ଼ା ଟାପୁଶବ୍ଦ ଦୂରରୁ ଦୂରକୁ ଚାଲିଗଲା, ଆଉ କବାଟ ବନ୍ଦ ହେଲା । ବାଥସେବା ପଚାରିଲେ, ‘‘ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ କିଏ ?’’

 

‘‘ସାନ ଉଏଦରବେରିର ଜଣେ ଚାଷୀ ।’’

 

‘‘ସେ ବିବାହିତ ?’’

 

‘‘ନା ।’’

 

‘‘ତାଙ୍କ ବୟସ କେତେ ?’’

 

‘‘ପ୍ରାୟ ଚାଳିଶ ବର୍ଷ ହେବ । ବେଶ୍‌ ସୁନ୍ଦର ଆଉ ଧନୀଲୋକ ।’’

 

‘‘ସେ ଫାନି କଥା ପଚାରୁଥିଲେ କାହିଁକି ?’’

 

‘‘ପିଲାଦିନୁ ଫାନିର ଆପଣାର କେହି ନାହାନ୍ତି । ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ ତାକୁ ପାଳିଥିଲେ, ଆଉ ତୁମ ମାମୁଁଙ୍କ ପାଖରେ ରଖାଇଦେଇଥିଲେ । ସେ ଭାରି ଦୟାଳୁଲୋକ; କିନ୍ତୁ ସ୍ତ୍ରୀମାନଙ୍କ ପ୍ରତି ତାଙ୍କର କିଛି ଅନୁରକ୍ତି ନାହିଁ । ତାଙ୍କୁ ପାଇବା ପାଇଁ କେତେ ଝିଅ ଚେଷ୍ଟା କରିଛନ୍ତି, କିନ୍ତୁ ସେ କାହାକୁ ହେଲେ ଚାହିଁ ଦେଇ ନାହାନ୍ତି ।’’

 

‘‘ତେବେ ସେ ବୋଧହୁଏ ଫାନିକୁ ଖୋଜାଖୋଜି କରିବେ । ହଉ, ମୁଁ ଯାଏ । ଲୁଗାପଟା ବଦଳେଇବି । ଅଧଘଣ୍ଟାଏ ଭିତରେ ମଜୁରିଆମାନେ ମୋ ପାଖକୁ ଆସିବେ ।’’

 

ଅଧଘଣ୍ଟାଏ ପରେ । ପୁରୁଣା ଖମାରଘର ହଲ୍‌ ଭିତରେ ବାଥସେବା ମଜୁରିଆମାନଙ୍କ ସାଥିରେ କଥାହେଲେ–

 

‘‘ପ୍ରଥମେ ମୁଁ ତୁମକୁ ଦୁଇଟି ବିଷୟ କହୁଛି । ଖମାରୀ ଚୋରି କରିବାରୁ ତାକୁ ବାହାର କରିଦିଆଯାଇଛି । ମୁଁ ଠିକ୍‌ କରିଛି, ବର୍ତ୍ତମାନ ଆଉ ଖମାରୀ ରଖିବି ନାହିଁ । ମୁଁ ନିଜେ ସବୁ ବୁଝାବୁଝି କରିବି ।’’

 

ଏ କଥା ଶୁଣି ମଜୁରିଆମାନେ ଖୁସିରେ ପରସ୍ପରକୁ ଚାହିଁଲେ । ଦ୍ୱିତୀୟ କଥା ହେଲା, ଫାନି ଖବର କେହି କିଛି ପାଇଲେ କି ?

 

‘‘ନା’’ ସେମାନେ ଉତ୍ତର ଦେଲେ ।

 

‘‘ଉଇଲିୟମ୍‌ କାଷ୍ଟର୍‌ବ୍ରିଜ୍‌ ଗଲା ନାହିଁକି ?’’

 

‘‘ହଁ, ଯାଇଛି, ଏ ଯାଏ ଫେରିନାହିଁ । ଦଶଟା ଭିତରେ ନିଶ୍ଚୟ ଫେରିବ ବୋଲି ସେ କହିଯାଇଛି ।’’

 

ହାତ ଘଡ଼ିକୁ ଚାହିଁ ବାଥସେବା କହିଲେ, ‘‘ଦଶଟା ବାଜିବାକୁ ପନ୍ଦର ମିନିଟ୍‌ ଅଛି । ସେ ବୋଧହୁଏ ଶୀଘ୍ର ଆସିଯିବ । ଏ ଭିତରେ ତୁମ ମଜୁରି ନେଇଯାଅ ।’’ ସେ ମଜୁରିଆମାନଙ୍କ ମଜୁରି ହିସାବ ଖାତା ବାହାର କରି ଜଣ ଜଣ କରି ନାଁ ଡାକିଲେ ।

 

‘‘ଜୋସେଫ୍‌ ଆସିଛି ।’’

 

‘‘ହ ଆଜ୍ଞା ।’’

 

‘‘ତୁମର କେତେ ପାଇବାର ଅଛି ?’’

 

‘‘ନ ସିଲିଂ ଛ ପେନ୍‌ସ୍‌ ।’’

 

‘‘ଠିକ୍‌ । ଏଇ ନିଅ । ଆଉ ଏ ଦଶସିଲିଂ ବକ୍‌ସିସ୍‌ ।’’

 

ଜଣ ଜଣ କରି ସମସ୍ତଙ୍କୁ ବାଥସେବା ତାଙ୍କ ମଜୁରି ଆଉ ଦଶ ସିଲିଂ ବକ୍‌ସିସ୍‌ ଦେଇଦେଲେ । ତା’ପରେ ଖାତା ବନ୍ଦ କରି କହିଲେ–ସମସ୍ତଙ୍କ କାମ ଛିଡ଼ିଗଲା ବୋଧହୁଏ ।

 

ସେତିକି ବେଳକୁ ଗାବ୍ରିଏଲ୍‌ ଆସି ପହଞ୍ଚିଲା । ସେ କବାଟକୁ ଆଉଜି ଠିଆ ହୋଇଥାଏ-। ତାକୁ ଚାହିଁ ବାଥସେବା କହିଲେ, ‘‘ତୁମ କାମ କ’ଣ ବୁଝିଲତ ଗାବ୍ରିଏଲ୍‌ ଓକ୍‌ ?’’

 

‘‘ହଁ ବୁଝିଲି । ଆପଣଙ୍କୁ ଅଶେଷ ଧନ୍ୟବାଦ କୁମାରୀ ଏଭର୍‍ଡ଼ିନ୍‌ ।’’

 

ତାଙ୍କର ଉଦାସିଆ ବ୍ୟବହାର ଦେଖି ଗାବ୍ରିଏଲ୍‌ ବିସ୍ମିତ ହୋଇଗଲା ଏଇ ସୁନ୍ଦରୀ ତରୁଣୀ ଆଉ ଗାବ୍ରିଏଲ୍‌ ପରସ୍ପରର ଅପରିଚିତ ନୁହନ୍ତି ବୋଲି କେହି କଳ୍ପନା କରି ପାରିବ ନାହିଁ । ଖୁବ୍‌ ତଳୁ ଖୁବ୍‌ ଉପରକୁ ହଠାତ୍‌ ଉଠିଯିବା ଯୋଗୁ ବୋଧହୁଏ ତାଙ୍କର ଏ ବ୍ୟବହାର ।

 

ଏତିକିବେଳେ କାହାର ପାଦଶବ୍ଦ ଶୁଣାଗଲା । ସମସ୍ତେ ଏକାବେଳେ କହିଉଠିଲେ, ‘‘ଏଇତ ଉଇଲିୟମ୍‍ କାଷ୍ଟର୍‍ବ୍ରିଜ୍‌ରୁ ଫେରିଲାଣି ।’’

 

ଉଇଲିୟମ୍‌ ଘର ଭିତରକୁ ଆସିଲାରୁ ବାଥସେବା ପଚାରିଲେ ‘‘ଆଉ ଖବର କ’ଣ ?’’

 

‘‘ସେ ବୋଧହୁଏ ତାର ସେଇ ସୈନିକବନ୍ଧୁ ସାଥିରେ ଚାଲିଯାଇଛି ।’’

 

‘‘ନା, ଫାନି ପରି ଦୃଢ଼ମନା ବାଳିକା ତା କରିପାରେନା ।’’

 

‘‘ମୁଁ କାଷ୍ଟର୍‍ବ୍ରିଜ୍‌ ସେନା ଛାଉଣୀକୁ ଗଲି । ଶୁଣିଲି ଏକାଦଶ ବାହିନୀ ସେଠୁ ଚାଲିଗଲାଣି । ତା’ ବଦଳରେ ନୂଆବାହିନୀ ଆସିଛି । ଗଲା ସପ୍ତାହରେ ଏକାଦଶ ବାହିନୀ ମେଲଚେଷ୍ଟର ଚାଲି ଯାଇଛି । ଭାବିଲି ଫାନିର ସେଇ ବନ୍ଧୁ ଏଇ ବାହିନୀର ସୈନ୍ୟ । ଫାନି ନିଶ୍ଚୟ ତା ପଛେ ପଛେ ଚାଲି ଯାଇଛି ।’’

 

‘‘ସେ ଲୋକର ନାଁ କ’ଣ ବୁଝିଛ ?’’

 

‘‘ନାଁ, ସେଠି କେହି ଜାଣନ୍ତି ନାହିଁ ।’’

 

ଗାବ୍ରିଏଲ୍‌ ଚୁପ୍‌ଚାପ୍‌ ଠିଆ ହୋଇ ଖୁବ୍‌ ଚିନ୍ତା କରୁଥାଏ; କିନ୍ତୁ ତା ମନରେ ସନ୍ଦେହ ଥିବାରୁ ସେ କିଛି କହିଲା ନାହିଁ ।

 

ବାଥସେବା କହିଲେ, ‘‘ଆଜି ରାତିରେ ଆଉ କିଛି ଖବର ପାଇବାର ଆଶା ନାହିଁ । ତୁମ ଭିତରୁ ଜଣେ ବରଂ ବୋଲ୍‌ଡ଼୍‌ଉଡ଼୍‌ଙ୍କ ପାଖକୁ ଯାଇ ଏ କଥା କହି ଦେଲେ ଭଲ ହେବ ।’’ ତା’ପରେ ସେ ଠିଆହେଲେ ଓ କହିଲେ; ‘‘ଏବେ ମାଲିକ ବଦଳରେ ତୁମେ ଜଣେ ମାଲିକାଣୀ ପାଇଛ । ତୁମେ ଯଦି ଭଲ ଭାବେ ମୋ କାମ କର, ମୁଁ ତୁମକୁ ଭଲ ଭାବରେ ଚଳାଇବି । କେହି ଭାବ ନାହିଁ ଯେ ମୁଁ ଜଣେ ସ୍ତ୍ରୀ ଲୋକ, ତେଣୁ କେଉଁଟା ଭଲ କାମ, କେଉଁଟା ମନ୍ଦ କାମ, ମୁଁ ଜାଣି ପାରିବି ନାହିଁ ।’’

 

ସମସ୍ତେ ଉତ୍ତର ଦେଲେ; ‘‘ନା ଆଜ୍ଞା, ତା’ଭାବିବୁ ନାହିଁ ।’’ ବାଥସେବା ସେ ଘରୁ ବାହାରି ଚାଲିଗଲେ ।

 

ଉପହାରପତ୍ର

 

ଫେବୃୟାରୀ ତେର ତାରିଖ, ରବିବାର ଉପରବେଳା । ବାଥସେବା ଆଉ ଲିଡ଼ି ନିଆଁ ପାଖରେ ବସିଥିଲେ । ସବୁବେଳେ କଥା କହିବା ଲିଡ଼ିର ଅଭ୍ୟାସ । ଯାହା ତା ମନେପଡ଼ିଲା ସେ ବିଷୟରେ ସେ କହି ଚାଲିଥାଏ । ତାର ଗୋଟେ ପ୍ରଶ୍ନ ହେଲା, ‘‘ଆଜି ସକାଳେ ଗିର୍ଜାରେ ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ଙ୍କ ବ୍ୟବହାର ଲକ୍ଷ କଲ ତ ?’’

 

ନିର୍ଲିପ୍ତ ଭାବରେ ବାଥସେବା କହିଲେ, ‘‘ନା, ମୁଁ ଲକ୍ଷ୍ୟ କରିନାହିଁ । ସେ କ’ଣ କଲେକି-?’’

 

‘‘ପ୍ରାର୍ଥନାବେଳେ ସେ ଥରେ ହେଲେ ତୁମ ଆଡ଼େ ଚାହିଁଲେ ନାହିଁ ।’’

 

‘‘ଚାହାନ୍ତେ କାହିଁକି ? ମୁଁ ତ ତାଙ୍କୁ କହି ନଥିଲି ।’’

 

‘‘ତା ମୁଁ ଜାଣେ । ତେବେ ଅନ୍ୟ ସମସ୍ତେ ତ ତୁମଆଡ଼େ ଚାହୁଁଥିଲେ । ସେ ନଚାହିଁବାଟା ଅସୁନ୍ଦର ହେଲାନାହିଁ ? ସେଟା ତାଙ୍କ ପ୍ରକୃତି । ଧନ୍ୟ ଭଦ୍ର ଲୋକ ନା, ସେଥିପାଇଁ କୋଉଥିକି ଖାତିର ନାହିଁ ।’’

 

କଥାର ମୋଡ଼ ବଦଳାଇବା ପାଇଁ ବାଥସେବା କହିଲେ, ‘‘ଆହା, କାଲି ମୁଁ ଯେଉଁ ଉପହାର ପତ୍ର କିଣିଥିଲି, ସେ କଥା ତ ଏକାବେଳେ ଭୁଲି ଯାଇଛି ।’’

 

‘‘ଉପହାର ପତ୍ର ! କାହାପାଇଁ ? ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ଙ୍କ ପାଇଁ ?’’

 

ହସି ହସି ବାଥସେବା କହିଲେ, ‘‘ମୋଟେ ନୁହେଁ । ସେଟା ଟେଡ଼ି କୋଗାନ୍‌ ପାଇଁ । ମୁଁ ତାଙ୍କୁ କିଛି ଦେବି ବୋଲି କହିଥିଲି । ଏଇଟା ପଠେଇ ଦେଲେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯିବେ । ଲିଡ଼ି, ମୋ ଦୁଆତ କଲମ ଆଣ, ମୁଁ ପତ୍ରଟା ଉପରେ ଠିକଣାଟା ଲେଖିଦିଏ ।’’

 

ଖଣ୍ଡେ ସୁନ୍ଦର ଉପହାର କାର୍ଡ଼ ବାହାର କରି ସେ ଲିଡ଼ିକୁ ଦେଖାଇଲେ । କାର୍ଡ଼ରେ କେତେ ପ୍ରେମପୂର୍ଣ୍ଣ ଲେଖା । ଟିକିଏ ଭାବି ହସି ହସି ଲିଡ଼ି କହିଲା, ‘‘ଏ ଖଣ୍ଡ ସେଇ ବୋକା ବୋଲ୍‌ଡ଼୍‌ଉଡ଼୍‌ ପାଖକୁ ପଠାଇ ଦେଲେ ସେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଆନ୍ତେ, ଆଉ ଭାରି ମଜା ହୁଅନ୍ତା ।’’

 

ବାଥସେବା ଖୁବ୍‌ ଚିନ୍ତା କରି ଲିଡ଼ି ଆଡ଼େ ଚାହିଁଲେ । ବୋଲ୍‌ଡ଼୍‌ଉଡ଼୍‌ଙ୍କ ବ୍ୟବହାର ବଡ଼ ବିରକ୍ତିକର । ସେ ଏ ଅଞ୍ଚଳର ସବୁଠୁ ଧନୀଲୋକ । ଏକମାତ୍ର ସେ ବାଥସେବା ପ୍ରତି କୌଣସି ଆକର୍ଷଣ ଦେଖାଉ ନଥିଲେ । ସେଥିପାଇଁ ବାଥସେବା ମନେ ମନେ ଖୁବ୍‌ ବିରକ୍ତ ହେଉଥିଲେ । ଲିଡ଼ି କଥା ଶୁଣି ସେ କହିଲେ, ‘‘କିନ୍ତୁ ସେ ଏ ପତ୍ରର ରହସ୍ୟ କିଛି ବୁଝିବେ ନାହିଁ ।’’

 

‘‘ବରଂ ଏଟା କିଏ ପଠାଇଛି ବୋଲି ଭାବିଭାବି ସେ ଘାବରେଇଯିବେ ।’’

 

‘‘ଠିକ୍‌ ଅଛି ।’’ ବାଥସେବା କଲମ ଧରି କାର୍ଡ଼ଟା ଉପରେ ବୋଲ୍‌ଡ଼୍‍ଉଡ଼୍‌ଙ୍କ ଠିକଣା ଲେଖିଦେଲେ । ଲିଡ଼ି ମହମବତିଟା ଲଗାଇଦେଇ ଚିଠି ମୁଦର ଜଉ ଆଣିଲା । ବାଥସେବା ଗୋଟେ ମୁଦ ମୋହର ଆଣି ଜଉ ଉପରେ ମାରି ଦେଲେ । ଜଉ ଉପରେ କେତୋଟି ଅକ୍ଷର ଛାପି ହୋଇଗଲା । ହସି ହସି ବାଥସେବା କହିଲେ, ଚମତ୍କାର । ଏକୁ ଦେଖିଲେ ଯେ କୌଣସି ଧର୍ମଯାଜକ ବି ଘାବରେଇ ଯିବ ।’’

 

ଜଉମୁଦର ଉପରର ଅକ୍ଷରଗୁଡ଼ିକ ହେଲା ‘‘ମୋତେ ବିବାହ କର ।’’

 

ଏଇ ପରି କିଛି ନଭାବି ନଚିନ୍ତି ମଜାଦେଖିବାକୁ ସେ କାମଟା କରିଦେଲେ ପୁରୁଷଙ୍କ ପ୍ରେମ କିପରି ସାଂଘାତିକ ହୋଇଉଠେ, ସେ ବିଷୟରେ ବାଥସେବା ଅଜ୍ଞ । ଏଇ କାମ ଶେଷରେ କି ବିପଦ ସୃଷ୍ଟି କରିବ ସେ ଭାବି ପାରିଲେ ନାହିଁ ।

 

ବୋଲ୍‌ଡ଼୍‌ଉଡ଼୍‌ କାର୍ଡ଼ ଖଣ୍ଡକ ପାଇଲେ । ଗେଲେ ଗେଲେ ପଠାଯାଇଥିବା ଏଇ ପତ୍ର ବୋଲ୍‌ଡ଼୍‌ଉଡ଼୍‌ଙ୍କୁ ଗଭୀର ଚିନ୍ତାରେ ପକାଇଲା । ସେ ଭାବିଲେ ନିଶ୍ଚୟ କିଛି ବିଶେଷ କାରଣରୁ କେହି ଏ ପତ୍ର ପଠାଇଛି । କିଛି କାରଣ ନଥାଇ କେହି ରହସ୍ୟରେ ଏଟା ପଠାଇ ଥାଇପାରେ ବୋଲି ସେ ଭାବି ପାରିଲେ ନାହିଁ । ରାତିସାରା ତାଙ୍କୁ ଭଲ ନିଦ ହେଲାନାହିଁ । ସବୁବେଳେ ଏଇ ଉପହାର ପତ୍ର ପଠାଇଥିବା ରହସ୍ୟମୟୀ ନାରୀ କଥା ସେ ଭାବିବାକୁ ଲାଗିଲେ ।

 

ତା ପରଦିନ ସକାଳେ ବୋଲ୍‌ଡ଼୍‌ଉଡ଼୍‌ ତାଙ୍କ ଫାଟକ ପାଖରେ ତାଙ୍କ ପିଅନକୁ ଅପେକ୍ଷା କରି ରହିଲେ । ହୁଏତ ଠିକଣାଟା କାହା ହାତଲେଖା ଡାକ ପିଅନ ଚିହ୍ନିପାରେ । ଡାକଗାଡ଼ି ଆସିଲା-। ଗାଡ଼ି ଚାଳକ ଖଣ୍ଡେ ଚିଠି ବୋଲ୍‌ଡ଼୍‌ଉଡ଼୍‌ଙ୍କ ହାତକୁ ବଢ଼ାଇ ଦେଲା । ସେ ଚିଠିଟା ନେଇ ଉପର ଠିକଣାଟା ନଦେଖି ଚିଠିଟା ଖୋଲିଦେଲେ ।

 

ଡାକ ପିଅନ କହିଲା, ‘‘ଆଜ୍ଞା, ଚିଠିଟା ବୋଧହୁଏ ଆପଣଙ୍କ ପାଖକୁ ନୁହେଁ, ଆପଣଙ୍କ ମେଣ୍ଢାରଖୁଆଳ ପାଖକୁ ।’’ ବୋଲ୍‌ଡ଼୍‌ଉଡ଼୍‌ ଏଥର ଠିକଣାଟା ପଢ଼ିଲେ । ଲେଖାଥିଲା, ‘‘ଉଏଦରବେରିର ନୂଆ ମେଣ୍ଢାରଖୁଆଳ ପାଇବେ । ପ୍ରେରକ-କାଷ୍ଟର୍‌ବ୍ରିଜ୍‌ ।’’

 

‘‘ଭୁଲ ହୋଇଗଲା,’’ ସେ କହିଲେ । ‘‘ଏଟା ମୋର କିମ୍ୱା ମୋ ମେଣ୍ଢାରଖୁଆଳର ଚିଠି ନୁହେଁ । ଏଟା କୁମାରୀ ଏଭର୍‌ଡ଼ିନ୍‌ଙ୍କ ଲୋକ ଗାବ୍ରିଏଲ୍‌ ଓକ୍‌ର । ତୁମେ ତା’ହେଲେ ଚିଠିଟା ନେଇଯାଅ, ତାକୁ ଦେଇଦେବ, ଆଉ କହିବ ଭୁଲରେ ମୁଁ ଏଟା ଖୋଲିଦେଇଛି ।’’

 

ସେତିକିବେଳେ ଦୂରରେ ଜଣେ ଲୋକ ଦେଖାଗଲା । ସେ ଗାବ୍ରିଏଲ୍‌ ଓକ୍‌ ! ବୋଲ୍‌ଡ଼୍‌ଉଡ଼୍‌ କହିଲେ, ‘‘ଅପେକ୍ଷାକର ! ଏଇତ ଦୂରରେ ସେ ଲୋକ । ମୁଁ ନିଜେ ଚିଠିଟା ନେଇ ତାଙ୍କ ପାଖକୁ ଯିବି ।’’

 

କିଛି ଦୂର ଯାଇ ବୋଲ୍‌ଡ଼୍‌ଉଡ଼୍‌ ଗାବ୍ରିଏଲ୍‌କୁ ଭେଟିଲେ । ଚିଠିଟା ତା ହାତକୁ ବଢ଼ାଇଦେଇ କହିଲେ, ‘‘ଦଶମିନିଟ୍‌ ତଳେ ଡାକଗାଡ଼ି ଗଲା, ଡାକପିଅନ ଏ ଚିଠିଟା ମୋ ହାତକୁ ଦେଇଦେଲା । ମୁଁ ଠିକଣାଟା ନପଢ଼ି ଚିଠିଟା ଖୋଲିଦେଇଛି । ଏଟା ବୋଧହୁଏ ତୁମ ଚିଠି । ମୋ ଭୁଲ ପାଇଁ କ୍ଷମା କରିବ ।’’

 

‘‘ସେଥିରେ କିଛି ଯାଏଆସେନା ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ ।’’ –ସେ ଚିଠିଟା ନେଇ ଖୋଲିଲା-। ହସ୍ତାକ୍ଷର ତାର ଅଜଣା । ଚିଠିରେ ଲେଖାଥିଲା- ‘‘ପ୍ରିୟବନ୍ଧୁ, ମୁଁ ତୁମ ନାଁ ଜାଣେନା । ତଥାପି ମୋର ଆଶା ତୁମେ ଚିଠିଟା ପାଇବ । ସେଦିନ ରାତିରେ ତୁମେ ମୋତେ ଯେଉଁ ଦୟା କରିଛ, ସେଥିପାଇଁ ଅଶେଷ ଧନ୍ୟବାଦ । ତୁମେ ମୋତେ ଏକ ସିଲିଂ ଦେଇଥିଲ । ଏଥିସହ ମୁଁ ତାହା ଫେରାଇ ଦେଉଛି । ସୁଖର କଥା ମୁଁ ଯାହାଙ୍କୁ ପ୍ରେମ କରୁଥିଲି, ତାଙ୍କ ସଙ୍ଗେ ନିକଟରେ ମୋର ବିବାହ ହେଉଛି । ସେ ହେଲେ ଏକାଦଶ ଡ୍ରାଗୁନ୍‌ ବାହିନୀର ସର୍ଜେଣ୍ଟ ଟ୍ରୟ, ବର୍ତ୍ତମାନ ଏଇ ସହରରେ ଅଛନ୍ତି । ଦୟା କରି କିଛିକାଳ ପାଇଁ ଏ କଥା ଗୁପ୍ତ ରଖିବ । ଆମେ ଶୀଘ୍ର ସ୍ୱାମୀ ସ୍ତ୍ରୀ ଭାବରେ ଉଏଦରବେରି ଯାଇ ସମସ୍ତଙ୍କୁ ବିସ୍ମିତ କରିଦେବୁ । ଏଇ ସର୍ଜେଣ୍ଟ ଉଏଦରବେରିରେ ବଢ଼ିଛନ୍ତି । ତୁମ ଦୟାପାଇଁ ପୁଣିଥରେ ଧନ୍ୟବାଦ ।

 

ତୁମର, ଫାନି ରବିନ ।’’

 

‘‘ଆପଣ ଏ ଚିଠିଟା ପଢିଛନ୍ତି ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ ? ଯଦି ପଢ଼ି ନଥାନ୍ତି, ତେବେ ଆପଣଙ୍କର ଏଟା ପଢ଼ିବା ଦର୍କାର । ମୁଁ ଜାଣେ ଆପଣ ଫାନି ବିଷୟରେ ଆଗ୍ରହୀ ।’’ ଗାବ୍ରିଏଲ୍‌ କହିଲା ।

 

ବୋଲ୍‌ଡ଼୍‌ଉଡ୍‌ ଚିଠିଟା ନେଇ ପଢ଼ିଲେ । ଦୁଃଖିତ ହୋଇ ସେ କହିଲେ, ‘‘ବିଚାରୀ ଫାନି ! ଏ ବାହାଘର ଏ ଯାଏ ହୋଇନାହିଁ, ହୋଇ ନପାରେ ମଧ୍ୟ । ସେ ତ ଏଥିରେ ତାର ଠିକଣା ଦେଇନାହିଁ ।’’

 

‘‘ଏଇ ସର୍ଜେଣ୍ଟ ଟ୍ରୟ କି ଭଳି ଲୋକ ?’’ ଗାବ୍ରିଏଲ୍‌ ପଚାରିଲା ।

 

‘‘ଲୋକଟା ଖୁବ୍‌ ଚାଲାକ, ସବୁ କାମକୁ ପାରଙ୍ଗମ । ତେବେ ଏ ଘଟଣାରେ ତାଠୁ ବିଶେଷ କିଛି ଆଶା କରାଯାଇ ପାରେନା, ତା ଉପରେ ଭରସା ନାହିଁ । ବିଚାରୀ ଫାନି କେଡ଼େ ନିର୍ବୋଧ !’’

‘‘ହଉ ମୁଁ ଏଥର ଯାଏ । ଭଗବାନ୍‌ କରନ୍ତୁ, ଫାନି ବିଷୟରେ ଆପଣଙ୍କର ସନ୍ଦେହ ସତ ନହେଉ ।’’

 

ବୋଲ୍‌ଡ଼୍‌ଉଡ଼୍‌ଙ୍କର ହଠାତ୍‌ ମନେପଡ଼ିଲା, ସେ ଉପହାର ପତ୍ର କଥା ଡାକପିଅନକୁ ପଚାରିବାକୁ ଭୁଲିଯାଇଛନ୍ତି । ଗାବ୍ରିଏଲ୍‌ ହୁଏତ ଅକ୍ଷରଗୁଡ଼ା ଚିହ୍ନିପାରେ । ସେ ପକେଟରୁ ଚିଠିଟା ବାହାର କରି ପଚାରିଲେ, ‘‘ଏଟା କାହାର ଲେଖା କହିପାରିବ ?’’

 

ଗାବ୍ରିଏଲ୍‌ ଠିକଣାଟା ଉପରେ ଆଖି ପକାଇ ଦେଇ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ‘‘କାହିଁକି, କୁମାରୀ ଏଭର୍‍ଡ଼ିନ୍‌ଙ୍କର ।’’

 

ତାକୁ ଧନ୍ୟବାଦ ଦେଇ ବୋଲ୍‌ଡ଼୍‌ଉଡ଼୍‌ ଘରକୁ ଫେରିଲେ । ଚିଠିଟା ଆଲ୍‌ମିରାରେ ରଖିଦେଲେ । ଜଳଖିଆ ଖାଇସାରି ବସି ଏ ବିଷୟରେ ଚିନ୍ତା କରିବାରେ ଲାଗିଲେ ।

 

ବିବାହ ପ୍ରସ୍ତାବ

 

ଶନିବାର ଦିନ ବାଥସେବା କାଷ୍ଟର୍‍ବ୍ରିଜ୍‍ ବଜାରକୁ ଗଲେ । ଦୋକାନରେ ପହଞ୍ଚିଲାବେଳକୁ ବୋଲ୍‌ଡ଼୍‌ଉଡ଼୍‌ ସେଠି ଥିଲେ । ମନରେ ଦମ୍ଭ ଧରି ସେ ପ୍ରଥମଥର ପାଇଁ ବାଥସେବାଙ୍କ ଆଡ଼େ ଚାହିଁଲେ । ତାଙ୍କର ଘନ କଳା କେଶ, ବର୍ତ୍ତୁଳ ଓଠ ଆଉ ଗଳା, ଆଖି, ଭ୍ରୂଲତା, ନାକ, ସବୁ ବୋଲ୍‌ଡ଼୍‌ଉଡ଼୍‌ଙ୍କ ଆଖିକି ସୁନ୍ଦର ଦିଶିଲା । ଏଇ ସୁନ୍ଦରୀ ତରୁଣୀ ପ୍ରକାରାନ୍ତରେ ତାଙ୍କୁ କହିଛନ୍ତି, ‘‘ମୋତେ ବିବାହକର ।’’ କାହିଁକି ସେ ଏ ଅଦ୍ଭୁତ କାମ କଲେ ?

 

ବାଥସେବା ଦେଖିଲା ଯେ ସେ ଶେଷରେ ବୋଲ୍‌ଡ଼୍‌ଉଡ଼୍‌ଙ୍କ ଦମ୍ଭ ଭାଙ୍ଗି ଦେଇଛନ୍ତି । ସେ ଯୁଆଡ଼େ ଗଲେ ବୋଲ୍‌ଡ଼୍‌ଉଡ଼୍‌ଙ୍କ ଆଖି ତାଙ୍କ ପଛେ ପଛେ । ଏହା ତାଙ୍କର ବିରାଟ ବିଜୟ; କିନ୍ତୁ ତାଙ୍କର ଖେଳ ଏଇ ଲୋକ ଉପରେ ଭଲ କି ମନ୍ଦ ପ୍ରଭାବ ପକାଇବ ସେ ବୁଝିନଥିଲେ । ବୋଲ୍‌ଡ଼୍‌ଉଡ଼୍‌ କି ଧରଣର ଲୋକ ସେ ଏଯାଏ ଜାଣିନଥିଲେ । ବୋଲ୍‌ଡ଼୍‌ଉଡ଼୍‌ଙ୍କ ଚରିତ୍ର ସାଧାରଣ ନୁହେଁ । ତାଙ୍କ ଚରିତ୍ରରେ କିଛି ହାଲୁକା ବେଖାତିର ଭାବ ନଥିଲା । ରହସ୍ୟ ତାଙ୍କ ପାଖରେ ମୋଟେ ନଥିଲା । ସେ ସବୁବେଳେ ଭାବୁଥିଲେ, କିଏ କାଳେ ତାଙ୍କୁ ଉପହାସ କରିବ । ବର୍ତ୍ତମାନ ମଧ୍ୟ ତାଙ୍କର ଭୟହେଲା କାଳେ ବାଥସେବା ତାଙ୍କୁ ଥଟ୍ଟା କରିବେ । ତେଣୁ ସେ ତାଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ସାହସ କଲେନାହିଁ । ଶେଷରେ ତାଙ୍କ ନିଜ କାମ ଶେଷ ନକରି ମଧ୍ୟ ସେ ବଜାର ଛାଡ଼ି ଚାଲିଗଲେ ।

 

ପରିଶେଷରେ କିନ୍ତୁ ବୋଲ୍‌ଡ଼୍‌ଉଡ଼୍‌ ବାଥସେବାଙ୍କ ପାଖକୁ ନଯାଇ ରହିପାରିଲେ ନାହିଁ, କାରଣ ସବୁବେଳେ ବାଥସେବା ତାଙ୍କ ଚିନ୍ତା ରାଜ୍ୟକୁ ଦଖଲ କରି ବସିଲେ । ସେ ଶେଷରେ ବାଥସେବାଙ୍କ ବୈଠକଖାନାରେ ଯାଇ ପହଞ୍ଚିଲେ ଓ ଆନ୍ତରିକ ସରଳତାର ସହ କହିଲେ, ‘‘ମୁଁ ଜାଣୁଛି କୁମାରୀ ଏଭର୍‍ଡ଼ିନ୍‌, ତୁମକୁ ଦେଖିଲା ପରଠୁ ମୋର ଆଉ ନିଜତ୍ୱ ନାହିଁ । ମୁଁ ତୁମକୁ ବିବାହ କରିବା ପ୍ରସ୍ତାବ ଦେବାକୁ ଆସିଛି ।’’

 

ବାଥସେବା ଏହା ଶୁଣି ବିସ୍ମିତ ହୋଇଗଲେ, କିନ୍ତୁ ସେ ନିଜର ବିସ୍ମୟ ଚାପି ରଖିବାକୁ ଚେଷ୍ଟାକଲେ ।

 

ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ କହି ଚାଲିଥାନ୍ତି, ‘‘ମୋତେ ଏବେ ଏକଚାଳିଶ ବର୍ଷ । ସମସ୍ତେ ମୋତେ ଚିରକୁମାର ବୋଲି କହନ୍ତି । ଏଟା ସତ ଯେ ଏ ପର୍ଯ୍ୟନ୍ତ ମୁଁ ବିବାହ ବିଷୟ ଚିନ୍ତା କରିନାହିଁ; କିନ୍ତୁ ମଣିଷ ବଦଳିଯାଏ । ତୁମକୁ ଦେଖିଲା ପରେ ମୁଁ ବି ବଦଳିଯାଇଛି । ମୁଁ କେବଳ ତୁମକୁ ସ୍ତ୍ରୀ ରୂପେ ପାଇବାକୁ ଚାହେଁ ।’’

 

ବାଥସେବା ଥରିଥରି କହିଲେ, ‘‘ମିଷ୍ଟର୍‌ ବୋଲ୍‌ଡ଼୍‌ଉଡ଼୍‌, ମୁଁ ଆପଣଙ୍କୁ ଭକ୍ତି କରେ; କିନ୍ତୁ ମୁଁ ଭାବୁଛି ଆପଣଙ୍କ ଏ ପ୍ରସ୍ତାବ ଗ୍ରହଣ କରି ପାରିବି ନାହିଁ ।’’

 

‘‘ତୁମ ବିନା ମୋ ଜୀବନ ଭାରାକ୍ରାନ୍ତ ହୋଇଯିବ । ମୁଁ ତୁମକୁ ଚାହେଁ, ତୁମକୁ ପ୍ରାଣଭରି ଭଲପାଏ । ମୋର ଆଶା ତୁମେ ମୋ କଥା ଶୁଣିବ ।’’

 

ବାଥସେବା ମନେ ମନେ ଚିନ୍ତାକଲେ, ସେଇ ଉପହାର ପତ୍ରଟି ମୋର ପଠେଇବାର ନଥିଲା । ତା’ପରେ କହିଲେ, ‘‘ମୋତେ କ୍ଷମା କରନ୍ତୁ । ସେ କାର୍ଡ଼ଟା ଖାଲି ମୋର ଗୋଟେ ଚିନ୍ତାହୀନ ରହସ୍ୟ ।’’

 

‘‘ନା ନା, ତାକୁ ଚିନ୍ତାହୀନ କହନାହିଁ । ସେକଥା କହିଲେ ମୋତେ ବଡ଼ କଷ୍ଟ ହେଉଛି । ମୁଁ ତା ସହି ପାରିବି ନାହିଁ ।’’

 

ଅତି ଧୀର ଭାବରେ ବାଥସେବା ଉତ୍ତର ଦେଲେ, ‘‘କିନ୍ତୁ ମୋର ଆପଣଙ୍କ ପ୍ରତି ପ୍ରେମ ନାହିଁ ଏ କଥାତ ମୁଁ ନିଶ୍ଚୟ କହିବି ।’’

 

‘‘କିନ୍ତୁ ଟିକିଏ ଭାବ । ମୋତେ ବିବାହ କରି ତୁମେ ବେଶ୍‌ ଚଳିଯାଇ ପାରିବ । ମୁଁ ଅବଶ୍ୟ ତୁମଠାରୁ ଯଥେଷ୍ଟ ବୟସ୍କ କିନ୍ତୁ ବିଶ୍ୱାସ କର, ଅନ୍ୟ ଯେକୌଣସି ଲୋକଠାରୁ ମୁଁ ତୁମର ଅଧିକ ଯତ୍ନ ନେବି । ଘର ଧନ୍ଦା ବିଷୟରେ ତୁମକୁ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ । ବେଶ୍‌ ଆରାମରେ ରହିବ । କ୍ଷେତରେ ବା ଗୋରୁ ଗୁହାଳରେ ତୁମକୁ କିଛି କରିବାକୁ ହେବନାହିଁ । ସେସବୁ କାମ ପାଇଁ ମୁଁ ଲୋକ ରଖିଦେଇ ପାରିବି । ତୁମ ନିଜର ଗୋଟେ ଗାଡ଼ି ରହିବ । ତୁମେ ଯାହା ଚାହିଁବ ମୁଁ ଦେବି । ଏକା ଭଗବାନ୍‌ ଜାଣନ୍ତି, ମୋ ପାଇଁ ତୁମର ମୂଲ୍ୟ କେତେ ।’’

 

ବାଥସେବାଙ୍କର ତରୁଣୀ ହୃଦୟ ବୋଲ୍‌ଡ଼୍‌ଉଡ଼୍‌ଙ୍କ ପ୍ରତି ସହାନୁଭୂତିରେ ଭରିଗଲା । ବିଚଳିତ ହୋଇ ସେ କହିଲେ, ‘‘ତା କହନ୍ତୁ ନାହିଁ । ଆପଣଙ୍କ ପାଇଁ ମୋ ମନରେ କୌଣସି ଭାବନା ନାହିଁ; କିନ୍ତୁ ଆପଣ ମୋ ପାଇଁ ଏତେ ବିବ୍ରତ ହେବା ମୁଁ ସହି ପାରୁନାହିଁ । ଦୟାକରି ବର୍ତ୍ତମାନ ସେ କଥା ବନ୍ଦ କରନ୍ତୁ । ମୁଁ କିଛି ଭାବି ପାରୁନାହିଁ । ଆପଣ ଏକଥା କହିବେ ବୋଲି ମୁଁ କଳ୍ପନା କରିନଥିଲି । ଆପଣଙ୍କୁ ଏ କଷ୍ଟ ଦେଇଥିବାରୁ ମୁଁ ଦୁଃଖିତ ।’’

 

‘‘ତା’ହେଲେ କହ, ତୁମେ ଏ ପ୍ରସ୍ତାବ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁନାହିଁ । ମୁଁ ପୁଣି ତୁମ ସାଥିରେ ଏ ବିଷୟରେ କଥାବାର୍ତ୍ତା କରିବି ?’’

 

‘‘ହଉ ହେଲା ।’’

 

‘‘ମୁଁ ପୁଣି କାଲି ଆସିବି ।’’

 

‘‘ନା, କାଲି ନୁହେଁ । ମତେ ଭାବିବାକୁ ସମୟ ଦିଅନ୍ତୁ ।’’

 

‘‘ହଉ, ମୁଁ ଅପେକ୍ଷା କରିବି ।’’

 

ଦ୍ୱିତୀୟ ଘଟଣା

 

ଜୁନ୍‌ମାସ ପହିଲା । ମେଣ୍ଢାମାନଙ୍କର ଲୋମକଟା ସରିଯାଇଥାଏ । ସେ ଉପଲକ୍ଷେ ବାଥସେବା ତାଙ୍କ ଲୋକମାନଙ୍କୁ ଗୋଟେ ଭୋଜି ଦେଉଥାନ୍ତି । ଘର ପାଖ ଘାସ ପଡ଼ିଆରେ ଗୋଟେ ଲମ୍ୱା ଟେବୁଲ୍‌ ପଡ଼ିଥାଏ । ବୈଠକଖାନା ଘରର ଚଉଡ଼ା ଝରକା ପାଖକୁ ଲାଗି ଟେବୁଲ୍‌ର ଗୋଟାଏ ମୁଣ୍ଡ । କୁମାରୀ ଏଭର୍‌ଡ଼ିନ୍‌ ଘର ଭିତରେ ଝରକା ପାଖରେ ବସିଥାନ୍ତି । ତେଣୁ ଲୋକମାନଙ୍କ ମେଳକୁ ନଆସି ମଧ୍ୟ ସେ ତାଙ୍କ ଭିତରେ ଥାନ୍ତି । ବାଥସେବା ଖୁବ୍‌ ବିବ୍ରତ ଜଣାପଡ଼ୁଥାନ୍ତି । ତାଙ୍କ କହିବା ଅନୁସାରେ ଶେଷ ଜାଗାଟା ଖାଲିଥାଏ । ଖିଆପିଆ ଆରମ୍ଭ ହେବା ଉପରେ । ସେ ଗାବ୍ରିଏଲ୍‌କୁ ଡାକି ଖାଲି ପଡ଼ିଥିବା ଜାଗାରେ ବସିବାକୁ କହିଲେ । ଗାବ୍ରିଏଲ୍‌ ସାଙ୍ଗେ ସାଙ୍ଗେ ସେଠି ଯାଇ ବସିଲା । ଏତିକିବେଳେ ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ ଆସି ପହଞ୍ଚିଲେ । ସିଧାସଳଖ ଝରକା ପାଖକୁ ଯାଇ ସେ ବିଳମ୍ୱ ପାଇଁ ଦୁଃଖ ପ୍ରକାଶ କଲେ ।

 

ଗାବ୍ରିଏଲ୍‍କୁ ବାଥସେବା କହିଲେ, ‘‘ତୁମେ ଦୟାକରି ସେଠୁ ଉଠ, ଆଉ ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ଙ୍କୁ ବସିବାକୁ ଦିଅ ।’’

 

ଗାବ୍ରିଏଲ୍‌ ଚୁପ୍‌ଚାପ୍‌ ଉଠିଯାଇ ତା ପୂର୍ବ ଜାଗାରେ ବସିଲା ।

 

ବୋଲ୍‍ଡ଼୍‍ଉଡ଼୍‍ ନୂଆ ସୁନ୍ଦର ପୋଷାକ ପିନ୍ଧିଥାନ୍ତି । ମୁହଁର ଭାବ ବେଶ୍‌ ପ୍ରଫୁଲ୍ଲ । ବେଶ୍‌ ଖୁସିରେ କଥାବାର୍ତ୍ତା କରୁଥାନ୍ତି । ଗାବ୍ରିଏଲ୍‌ ଲକ୍ଷ୍ୟ କଲା ଯେ ସେ ବରାବର ବାଥସେବାଙ୍କ ଆଡ଼େ ଚାହିଁ ଅଳ୍ପ ଅଳ୍ପ ହସୁଛନ୍ତି ।

 

ଖିଆପିଆ ସରିଲା । ସୂର୍ଯ୍ୟ ପଶ୍ଚିମ ଆକାଶରେ ତଳକୁ ତଳକୁ ଖସିଗଲେ । ସେମାନେ ସମସ୍ତେ କିଛି ସମୟ ବସି ହସଖୁସି ଗପରେ ମାତିଗଲେ । ବାଥସେବା ସେଯାଏ ସେଇ ଝରକା ପାଖରେ ବସି କ’ଣ ଗୋଟେ ବୁଣୁଥାନ୍ତି । ବେଳେବେଳେ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିବାକୁ ମୁଣ୍ଡଟେକି ବାହାରକୁ ଚାହୁଁଥାନ୍ତି । ଗାବ୍ରିଏଲ୍‌ ହଠାତ୍‌ ଦେଖିଲା, ବୋଲ୍‌ଡ଼ଉଡ଼୍‍ ତାଙ୍କ ଜାଗାରେ ନାହାନ୍ତି । ସେ କେତେବେଳେ ଗଲେ, କୁଆଡ଼େ ଗଲେ, ତାକୁ ଜଣାନାହିଁ । ସେ ଏକଥା ଭାବୁଥିବା ବେଳେ ଲିଡ଼ି ବତି ଲଗାଇ ବୈଠକ ଖାନାକୁ ଆଣିଲା । ଦେଖାଗଲା ବୋଲ୍‌ଡ଼୍‌ଉଡ଼୍‌ ଘର ଭିତରେ ବାଥସେବାଙ୍କ ପାଖରେ ବସିଛନ୍ତି ।

 

ଆସ୍ତେ ଆସ୍ତେ ଗୋଧୂଳିର କ୍ଷୀଣ ଆଲୁଅ ଚାଲିଯାଇ ପୂରା ଅନ୍ଧାର ହୋଇଗଲା । ଲୋକମାନେ ଯିବାକୁ ବାହାରିଲେ । ବାଥସେବା ହସିହସି ସେମାନଙ୍କୁ ବିଦାୟ ଦେଲେ । ମିଷ୍ଟର ବୋଲ୍‌ଡ଼୍‍ଉଡ଼୍‌ ଝରକାର କବାଟ ବନ୍ଦ କରିଦେଇ ଘର ଭିତରେ ରହିଲେ । କେବଳ ଗାବ୍ରିଏଲ୍‍ ବାହାରେ ଗଛ ମୂଳେ ବୁଲଚାଲ କଲା, ଆଉ ଅନ୍ୟମାନେ ନିଜ ନିଜ ଘରକୁ ଚାଲିଗଲେ ।

 

ଘର ଭିତରେ ବୋଲ୍‍ଡ଼୍ଉଡ଼୍‌ ଆଉ ବାଥସେବା ଏକା । ଖଣ୍ଡେ ଛୋଟ ଚଉକି ପଛରେ ଏଭର୍‍ଡ଼ିନ୍‌ ଠିଆହୋଇଥାନ୍ତି । ବୋଲ୍‍ଡ଼୍ଉଡ଼୍‌ ଚଉକି ଉପରେ ଆଣ୍ଠେଇ ଓ ଲଇଁପଡ଼ି ବାଥସେବାଙ୍କ ହାତଟି ଧରିଥାନ୍ତି । ଥରିଲା ଗଳାରେ ବାଥସେବା କହୁଥାନ୍ତି, ‘‘ମୁଁ ଆପଣଙ୍କୁ ଭଲ ପାଇବାକୁ ଚେଷ୍ଟା କରିବି ।’’ ତାଙ୍କର ସ୍ୱାଭାବିକ ଆତ୍ମବିଶ୍ୱାସ ନଥିଲା ପରି ଜଣାଯାଉଥିଲା । ସେ କହିଲେ, ‘‘ଯଦି ମୁଁ ପ୍ରକୃତରେ ବୁଝିବି ଯେ ଆପଣଙ୍କ ସ୍ତ୍ରୀ ହୋଇ ଚଳିପାରିବି, ତେବେ ଆପଣଙ୍କୁ ବିବାହ କରିବାକୁ ରାଜି ହେବି; କିନ୍ତୁ ମୁଁ ଏବେ କୌଣସି ନିଶ୍ଚିତ ଜବାବ ଦେଇ ପାରିବି ନାହିଁ । ଆପଣତ କିଛି ଦିନ ପାଇଁ ବାହାରକୁ ଯାଉଛନ୍ତି, ଆପଣ ଫେରିଲେ ମୁଁ ଉତ୍ତର ଦେବି, ଦୟାକରି ଅପେକ୍ଷା କରନ୍ତୁ । ପାଞ୍ଚ ଛଅ ସପ୍ତାହ ପରେ ମୁଁ ଆପଣଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ପାରିବି ବୋଲି ମୋର ଆଶା; କିନ୍ତୁ ମନେରଖନ୍ତୁ, ମୁଁ ବର୍ତ୍ତମାନ ସୁଦ୍ଧା ପ୍ରତିଶ୍ରୁତି ଦେଇନାହିଁ ।’’

 

‘‘ସେଇ ଯଥେଷ୍ଟ । ମୁଁ ଆଉ ଅଧିକ କିଛି ଚାହେଁନା । ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରି ପାରିବି । ଶୁଭ ରାତ୍ରି ।’’

 

ମନରେ ଆନନ୍ଦ ଆଉ ମୁହଁରେ ହସ ଭରି ବୋଲ୍‍ଡ଼୍ଉଡ଼୍‌ ଚାଲିଗଲେ । ତା’ପରେ ବାଥସେବା ଶୋଇବା ଆଗରୁ ସବୁ ଠିକ୍‌ ଆଉ ନିରାପଦ ଅଛିକି ନାହିଁ ଦେଖିବାପାଇଁ ଖମାର ଘର ଚାରିପାଖେ ଥରେ ବୁଲି ଆସିବା ପାଇଁ ବାହାରିଲେ । ଫେରିବାବେଳେ ତାଙ୍କୁ ଏକ ଫାର୍‌ ଗଛର ତୋଟା ଭିତରଦେଇ ଆସିବାକୁ ହେଲା । ସେ ଜାଗାଟା ସବୁବେଳେ ଅନ୍ଧାରୁଆ । ସେବାଟେ ଆସିଲାବେଳେ ତାଙ୍କୁ ଟିକିଏ ମାଡ଼ିମାଡ଼ି ପଡ଼େ । ଆଜି ରାତି ସେଇବାଟେ ତରତର ହୋଇ ଆସିଲାବେଳେ ତାଙ୍କୁ ପାଦ ଶବ୍ଦ ଶୁଭିଲା । କେହି ଜଣେ ରାସ୍ତା ଆର ପାଖରୁ ଆସୁଥିଲା ପରି ଜଣାଗଲା । ପାଦ ଶବ୍ଦ ପାଖେଇ ଆସିଲା । କେହି ଜଣେ ତାଙ୍କ ପାଖ ଦେଇ ଚାଲିଗଲାବେଳେ ବାଥସେବାଙ୍କ ପୋଷାକରେ କଣ ଗୋଟେ ଲାଗି ଟାଣିହୋଇଗଲା । ସେ ତଳେ ପଡ଼ିଗଲେ । ଉଠି ଠିକ୍‌ ହେଲାବେଳକୁ ଗରମ ପୋଷାକ ଆଉ ବୋତାମ ତାଙ୍କ ଦେହରେ ବାଜିଲା ।

 

ଏକ ପୁରୁଷ କଣ୍ଠରୁ ଶୁଭିଲା, ‘‘କ୍ଷମା କରିବେ । ଆପଣ କିଛି ଆଘାତ ପାଇ ନାହାନ୍ତି ତ-?’’

 

ବାଥସେବା ତାଙ୍କ ପୋଷାକଟା ଟାଣିବାକୁ ଚେଷ୍ଟାକରି କହିଲେ, ‘‘ନା ।’’

 

‘‘ଆମେ ଦୁହେଁ କେମିତି ଛନ୍ଦି ହୋଇ ଯାଇଛେ ବୋଧହୁଏ ।’’

 

‘‘ହଁ ।’’ ବାଥସେବା ପୁଣି ତାଙ୍କ ପୋଷାକଟା ଟାଣିବାରେ ଲାଗିଲେ, କିନ୍ତୁ ବୃଥା ।

 

‘‘ମୋତେ ଆପଣଙ୍କ ଲଣ୍ଠନଟା ଦିଅନ୍ତୁ । ମୁଁ ପୋଷାକଟା ଛଡ଼ାଇ ଦେବି ।’’ ଅପରିଚିତ ବ୍ୟକ୍ତି କହିଲା ।

 

ବାଥସେବାଙ୍କ ହାତରୁ ଲଣ୍ଠନଟା ନେଇ ସେ ତେଜି ଦେଲା । ବାଥସେବା ନିଜର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଯେଉଁ ଲୋକ ସାଥିରେ ସେ ଛନ୍ଦି ହୋଇଯାଇଛନ୍ତି, ସେ ବେଶ୍‌ ସୁନ୍ଦର । ପିତଳ ବୋତାମ ଲଗା ନାଲି କୋଟ୍‌ ପିନ୍ଧିଛି–ଜଣେ ସୈନିକ । ଦେଖାଗଲା ତାଙ୍କ ଜୋତାର କଣ୍ଟା ବାଥସେବାଙ୍କ ପୋଷାକର ତଳ ଅଂଶରେ ଲାଗିଯାଇଛି ।

 

‘‘ମୁଁ ଗୋଟେ ମିନିଟରେ ଏଟା ଖୋଲି ଦେଉଛି ।’’ ଅପରିଚିତ ବ୍ୟକ୍ତି କହିଲେ ।

 

‘‘ଧନ୍ୟବାଦ ! ମୁଁ ନିଜେ ଖୋଲିଦେଇପାରିବି ।’’

 

ସେ ଲଇଁପଡ଼ି ପୋଷାକଟା ଛଡ଼ାଇବାକୁ ଚେଷ୍ଟା କଲେ; କିନ୍ତୁ ସେଟା କଣ୍ଟା ଦେହରେ ଗୁଡ଼େଇ ହୋଇ ଯାଇଥିଲା, ତେଣୁ ସହଜରେ ଖୋଲି ହେଲାନାହିଁ । ସୈନିକ ଜଣକ ମଧ୍ୟ ଆଣ୍ଠେଇପଡ଼ି ତାଙ୍କୁ ସାହାଯ୍ୟ କରିବାକୁ ବସିଲେ । ଦୁହିଁଙ୍କ ମଝିରେ ଲଣ୍ଠନଟା । ଆଲୁଅ ତାଙ୍କ ମୁହଁରେ ପଡ଼ିଥାଏ । ବାଥସେବା ମୁହଁ ଟିକିଏ ଉପରକୁ ଟେକିଦେଲେ । ସୈନିକ ସେଇ ଅବସରରେ ସିଧା ତାଙ୍କ ମୁହଁକୁ ଚାହିଁଦେଲେ । ବାଥସେବା ଆଖି ତଳକୁ କଲେ; କିନ୍ତୁ ସେଇ ମୁହୂର୍ତ୍ତକ ଭିତରେ ସେ ଦେଖିନେଲେ ସୈନିକ ଜଣେ ସୁନ୍ଦର ତରୁଣ ।

 

ବାଥସେବା ପୁଣି ଥରେ ତାଙ୍କ ପୋଷାକଟା ଛଡ଼ାଇବାକୁ ଚେଷ୍ଟାକରି ବ୍ୟର୍ଥ ହେଲେ । ସୈନିକ ଜଣକ କହିଲା, ‘‘ମୁଁ ଚେଷ୍ଟା କରେ,’’ ସେ ଧୀରେ ଧୀରେ କଣ୍ଟାରୁ ପୋଷାକଟାକୁ ଛଡ଼ାଇ ଦେଲେ । ବାଥସେବା ଉଠି ଠିଆ ହୋଇ ତାଙ୍କ ମୁହଁକୁ ଆଉ ଥରେ ଚାହିଁନେଲେ ।

 

ହଠାତ୍‌ ତରୁଣ ସୈନିକଟି କହିଲା, ‘‘ଆପଣଙ୍କର ଏ ସୁନ୍ଦରମୁହଁଟି ଦେଖି ପାରିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ।’’

 

ବିରକ୍ତ ହୋଇ ବାଥସେବା ରୁକ୍ଷ ସ୍ୱରରେ କହିଲେ, ‘‘ମୁଁ ତ ମୁହଁ ଦେଖାଇବାକୁ ଆସିନଥିଲି ।’’

 

ଅଳ୍ପ ହସି ସୈନିକ କହିଲା, ‘‘ଆପଣଙ୍କ ରୁକ୍ଷତା ପାଇଁ ମୁଁ ଆପଣଙ୍କୁ ଅଧିକ ଭଲପାଏ ।’’

 

ବାଥସେବା କଣ କହିବେ ଭାବି ପାରିଲେ ନାହିଁ ।

 

‘‘ମୁଁ ଅନେକ ସୁନ୍ଦରୀ ନାରୀ ଦେଖିଛି; କିନ୍ତୁ ତୁମପରି ସୁନ୍ଦରୀ ଦେଖି ନାହିଁ ।’’

 

‘‘ଆପଣ କିଏ ?’’ ବାଥସେବା ପଚାରିଲେ ।

 

‘‘ମୋ ନାଁ ସର୍ଜେଣ୍ଟ ଟ୍ରୟ । ମୁଁ ଉଏଦରବେରିରେ ରହୁଛି ।’’

 

ଖୁବ୍ ତରତରରେ ‘ଧନ୍ୟବାଦ’ ବୋଲି କହି ବାଥସେବା ଚାଲିଗଲେ । ଘରେ ପହଞ୍ଚି ଭାବିଲେ, ଏମିତି ଚାଲିଆସିବାଟା ଠିକ୍‌ ହେଲାନାହିଁ । ସର୍ଜେଣ୍ଟ ଖୁବ୍‌ ଭଦ୍ର ଆଉ ଦୟାଳୁ । ମିଷ୍ଟର ବୋଲ୍‍ଡ଼୍ଉଡ଼୍‌ ଦିନେ ହେଲେ ତ ତାଙ୍କୁ ସୁନ୍ଦରୀ ବୋଲି କହିନାହାନ୍ତି !

 

ଘାସ କ୍ଷେତର ଦୃଶ୍ୟ

 

ସପ୍ତାହେ ଦୁଇ ସପ୍ତାହ ପରେ ବୋଲ୍‍ଡ଼୍ଉଡ଼୍‌ ବାହାରକୁ ଚାଲିଗଲେ । ବାଥସେବା ଅନେକଟା ଆଶ୍ୱସ୍ତି ଅନୁଭବ କଲେ । କ୍ଷେତରେ ମଜୁରିଆମାନେ ଶୁଖିଲା ଘାସ ବିଡ଼ା ବାନ୍ଧି ରଖୁଥାନ୍ତି । ବାଥସେବା କାମ ଦେଖିବାପାଇଁ କ୍ଷେତ ଆଡ଼େ ବୁଲିଗଲେ । ପ୍ରାୟ ସମାନ ସଂଖ୍ୟାରେ ପୁରୁଷ ଆଉ ନାରୀ ମଜୁରିଆ କାମ କରୁଥାନ୍ତି । ସେମାନେ ପ୍ରଥମ କ୍ଷେତର ଘାସବିଡ଼ା ବାନ୍ଧି ଗାଡ଼ିରେ ଲଦୁଥାନ୍ତି । ଗାଡ଼ି ପଛ ପାଖରେ ଜଣେ ଲୋକ ଗୋଟାଏ ନାଲିକୋଟ୍ ପିନ୍ଧି ମନ ଖୁସିରେ ଘାସ ଲଦୁଥାଏ । ସେ ସର୍ଜେଣ୍ଟ ଟ୍ରୟ । ମଉଜପାଇଁ କାମ କରିବାକୁ ଆସିଥାନ୍ତି । ବାଥସେବା କ୍ଷେତ ଭିତରକୁ ଗଲାମାତ୍ରେ ଟ୍ରୟ ତାଙ୍କୁ ଦେଖି ତାଙ୍କ ପାଖକୁ ଆସିଲେ । ସମ୍ମାନ ଦେଖାଇ ତାଙ୍କ ମୁଣ୍ତରେ ସୈନିକ ଟୋପିଟାକୁ ସାମାନ୍ୟ ଉଠାଇ ସେ କହିଲେ, ‘‘କୁମାରୀ ଏଭର୍‍ଡ଼ିନ୍, ସେଦିନ ରାତିରେ ଆପଣଙ୍କ ସାଥିରେ କଥାବାର୍ତ୍ତା କରିଛି ବୋଲି ମୁଁ ମୋଟେ ଜାଣି ପାରିଲିନାହିଁ । ଅଜଣା ଲୋକପରି କଥାବାର୍ତ୍ତା କରିଥିବାରୁ ମୁଁ କ୍ଷମା ମାଗୁଛି । ମୁଁ ଏ ଜାଗାରେ ଅପରିଚିତ ନୁହେଁ । ମୋ ପିଲାଦିନେ ଏ କ୍ଷେତରେ ମୁଁ ଆପଣଙ୍କ ମାମୁଁଙ୍କୁ ବହୁତ ସାହାଯ୍ୟ କରିଛି । ଆପଣଙ୍କ ପାଇଁ ମୁଁ ସେଇଆ କରୁଛି ।’’

 

ବିଶେଷ ଆଗ୍ରହ ନଦେଖାଇ ବାଥସେବା ଉତ୍ତର ଦେଲେ, ‘‘ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ସର୍ଜେଣ୍ଟ ଟ୍ରୟ ।’’

 

ଟ୍ରୟଙ୍କ ମନରେ ଆଘାତ ଲାଗିଲା । ସେ କହିଲେ, ‘‘ଧନ୍ୟବାଦ ଦେବାର କ’ଣ ଅଛି ? ଆପଣ ଏ କଥା ଭାବୁଛନ୍ତି କାହିଁକି ?’’

 

‘‘ଶୁଣି ଖୁସି ହେଲି, କାରଣ ଆପଣଙ୍କୁ ଧନ୍ୟବାଦ ଦେବାପାଇଁ ମୋର ବିଶେଷ ଇଚ୍ଛା ନାହିଁ ।’’

 

‘‘ମୁଁ ଦୁଃଖିତ ଯେ କଥା କହିବାରେ ମୁଁ ଯେଉଁ ଭୁଲ କରିଛି, ମୋର ହୃଦୟ ତାକୁ ସୁଧାରି ପାରିବ ନାହିଁ । ବୁଝି ପାରୁନାହିଁ, ଜଣେ ନାରୀକୁ ସୁନ୍ଦରୀ ବୋଲି କହିବାରେ ଅପରାଧ କ’ଣ ? ଏବେ ବି ମୁଁ କହୁଛି, ଅନ୍ୟର ପ୍ରେମ ଅପେକ୍ଷା ଆପଣଙ୍କର ଅଭିଶାପ ବରଂ ଭଲ ।’’–ସର୍ଜେଣ୍ଟ କହିଲେ ।

 

ବାଥସେବା ବିସ୍ମିତ ଆଉ ବିଚଳିତ ହୋଇଗଲେ । କିଛି ସମୟପାଇଁ ତାଙ୍କ ତୁଣ୍ତରୁ କଥା ବାହାରିଲା ନାହିଁ । ତା’ପରେ ସେ ଉଦାସ ଭାବରେ କହିଲେ, ‘‘କୌଣସି ଅପରିଚିତ ଲୋକ ମୋର ପ୍ରଶଂସା କରିବାର ସାହସ ଆଉ ଅନଧିକାରକୁ ମୁଁ ପସନ୍ଦ କରେ ନାହିଁ । ସେଦିନ ରାତିରେ ଆପଣ ମୋତେ କିଛି ନକହି ବି ଚାଲିଯାଇପାରିଥାନ୍ତେ ।’’

 

‘‘କିନ୍ତୁ ସେପରି ଚାଲିଯିବାକୁ ମୋର ମନ ହେଲାନାହିଁ । ମନର କୌଣସି ଭାବକୁ ସାଙ୍ଗେ ସାଙ୍ଗେ ପ୍ରକାଶ କରି ଦେବାରେ ଆନନ୍ଦ ଅଛି । ଆପଣ ଅସୁନ୍ଦରୀ ଆଉ ବୁଢ଼ୀ ହୋଇଥିଲେ ମଧ୍ୟ ମୁଁ ସେଇପରି ଭାବରେ କହିପକାଇଥା’ନ୍ତି ।’’

 

ବାଥସେବା ଆଗକୁ ଚାଲିଲେ, କିନ୍ତୁ ସର୍ଜେଣ୍ଟଙ୍କ କଥା ଶୁଣି ସେ ନହସି ରହିପାରିଲେ ନାହିଁ । ଟ୍ରୟ ତାଙ୍କ ପଛେ ପଛେ ଯାଇ କହିଲେ, ‘‘କୁମାରୀ ଏଭର୍‍ଡ଼ିନ୍, ଆପଣ ମୋତେ କ୍ଷମା କରିଛନ୍ତି ତ ?’’

 

‘‘ମୋଟେ ନୁହେଁ ।’’

 

‘‘କାହିଁକି ?’’

 

‘‘ଆପଣଙ୍କର ଏପରି କଥା ଯୋଗୁଁ ।’’

 

‘‘ମୁଁ କହିଥିଲି, ଆପଣ ସୁନ୍ଦରୀ । ଏବେ ବି ସେଇଆ କହୁଛି–କାରଣ ଆପଣ ସୁନ୍ଦରୀ । ମୋ ରୋକ୍‌ ଠୋକ୍ କଥାରେ ଆପଣ ସନ୍ତୁଷ୍ଟ ନହୋଇ ପାରିଥାନ୍ତି, କିନ୍ତୁ କଥାଟା ନିଶ୍ଚୟ ନିରାଟ ସତ । ତା’ହେଲେ ମୁଁ କ୍ଷମା ନପାଇବି କାହିଁକି ?’’

 

‘‘ଦେଖନ୍ତୁ, ଆପଣ ଆଉ ସେ କଥା ଭାବନ୍ତୁ ନାହିଁ । ମୋ ମନରେ ଦୁଃଖ ଦେବା ବୋଧହୁଏ ଆପଣଙ୍କର ଉଦ୍ଦେଶ୍ୟ ନଥିଲା । ଆପଣ ଏଠି ସାହାଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ; କିନ୍ତୁ ମୁଁ ଆପଣଙ୍କ ସାଥିରେ କଥା ନହେଲେ ଆପଣ ଦୟାକରି ମୋତେ କିଛି କହିବେ ନାହିଁ ।’’

 

‘‘ମୋ ପାଇଁ ତାହା ଅତି ଦୁଃଖଦାୟକ । ଆପଣ ତ କେବେ ମୋ ସାଥିରେ ଆଗ ହୋଇ କଥାବାର୍ତ୍ତା କରିବେ ନାହିଁ । ମୁଁ ବି ବେଶି ଦିନ ଏଠାରେ ରହିପାରିବି ନାହିଁ । ମୋତେ ମୋ ସେନାଛାଉଣୀକୁ ଫେରିବାକୁ ହେବ । ତେଣୁ ମୋ ନୀରସ ଜୀବନରୁ ଏଇ ଆନନ୍ଦଟିକ ଛଡ଼ାଇ ନିଅନ୍ତୁ ନାହିଁ କୁମାରୀ ଏଭର୍‍ଡ଼ିନ୍ ।’’

 

କିଛିଟା ଆଗ୍ରହରେ ବାଥସେବା ପଚାରିଲେ, ‘‘ଆପଣ କେବେ ଏଠାରୁ ଯାଉଛନ୍ତି ?’’

 

‘‘ଏଇ ମାସେ ଭିତରେ ।’’

 

‘‘କିନ୍ତୁ ଆପଣ ମୋ ସାଥିରେ କଥା ହେବାପାଇଁ କ’ଣ ପ୍ରକୃତରେ ଆଗ୍ରହୀ ? ଏଟା ଖାଲି ମୁହଁର କଥା ।’’

 

‘‘ନା ନା, ମୁହଁର କଥା ନୁହେଁ । ସେଦିନ ରାତିରେ ଆପଣଙ୍କ ସାଥିରେ ଦେଖା ହେଲା ପରଠୁ ମୁଁ ଆପଣଙ୍କ ବିନା ଆଉ କାହା କଥା ଭାବିନାହିଁ ।’’

 

‘‘କାହିଁକି, ଆପଣଙ୍କର ମୋର ଦେଖା ତ ମୋଟେ ଘଡ଼ିକ ପାଇଁ !’’

 

‘‘ସେଥିରେ କିଛି ଯାଏ ଆସେନା । ବିଜୁଳି ପଲକ ମାତ୍ରେ ତାର କାମ କରିଥାଏ । ମୁଁ ସେଇଠି ସାଙ୍ଗେ ସାଙ୍ଗେ ଆପଣଙ୍କୁ ପ୍ରେମ କରି ବସିଲି, ଏବେବି ପ୍ରେମ କରୁଛି ।’’

 

‘‘ଅସମ୍ଭବ । ମଣିଷ ଅନ୍ତରରେ ଏମିତି ହଠାତ୍ କୌଣସି ଭାବ ଆସି ପାରେନା । ମୁଁ ଆଉ କିଛି ଶୁଣିବାକୁ ଚାହେଁନା ।’’

 

‘‘କିନ୍ତୁ ଏଇ କେତେଟା ସପ୍ତାହ ଆପଣ ମୋ ସାଥିରେ କଥାବାର୍ତ୍ତା କରିବେ ତ ?’’

 

‘‘ହଁ କଥାବାର୍ତ୍ତା କରିବି । ତେବେ ମୁଁ ସଠିକ୍ କିଛି କହି ପାରୁନାହିଁ । ଆପଣ କାହିଁକି ଆସି ମୋତେ ଗୋଳମାଳରେ ପକାଇଦେଲେ ?’’

 

ବୋଧହୁଏ ମୁଁ ଫାଶ ବସାଇବାକୁ ଯାଇ ନିଜେ ସେଥିରେ ପଡ଼ି ଯାଇଛି । ବେଳେ ବେଳେ ଏମିତି ହୁଏ । ଯାହାହେଉ ଆପଣଙ୍କ କ୍ଷେତରେ କାମ କରିବାକୁ ମତେ ଅନୁମତି ଦେବେ ତ-?’’

 

‘‘ଯଦି ଆପଣଙ୍କର ଇଚ୍ଛା, ମୋର ଆପତ୍ତି ନାହିଁ ।’’

 

‘‘ଧନ୍ୟବାଦ କୁମାରୀ ଏଭର୍‍ଡ଼ିନ୍ । ଆଉ ଗୋଟେ କାମ ଆପଣ କରିବେ ?’’ ଲଇଁପଡ଼ି ସେ ଚୁପ୍ କରି କ’ଣ କହିଦେଲେ ।

 

ଲାଜରେ ଲାଲ ପଡ଼ିଯାଇ ବାଥସେବା କହିଲେ, ‘‘ନା ନା, ମୁଁ ତା କରିପାରିବି ନାହିଁ ।’’

 

‘‘ନିଶ୍ଚୟ ପାରିବେ, କେହି ଜାଣିବେ ନାହିଁ ।’’

 

ବାଥସେବା କେମିତି ଦୁର୍ବଳତା ଅନୁଭବ କଲେ । ଶେଷରେ କହିଲେ, ‘‘ଯଦି ମୁଁ ତା କରେ, ତେବେ ଲିଡ଼ିକୁ ମଧ୍ୟ ସାଙ୍ଗରେ ଆଣିବି ।’’

 

‘‘ଲିଡ଼ିକୁ ସାଥିରେ ଆଣିବାର କିଛି କାରଣତ ମୁଁ ଦେଖୁନାହିଁ । ଏକା ଆପଣଙ୍କ ସାଥିରେ ଦେଖା କରିବାକୁ ମୁଁ ଚାହେଁ ।’’

 

ବାଥସେବାଙ୍କ ଚାହାଣୀରୁ ଜଣାଗଲା ସେ ଯେମିତି ଏ କଥାରେ ରାଜି ।

 

ଧୀର ଭାବରେ ସେ କହିଲେ ‘‘ହେଲା, ମୁଁ ଆସିବି, ଲିଡ଼ିକୁ ଆଣିବି ନାହିଁ, କିନ୍ତୁ ଖୁବ୍ ଅଳ୍ପ ସମୟ ପାଇଁ ।’’

 

‘‘ପାଞ୍ଚ ମିନିଟ୍‌ରୁ ଅଧିକ ସମୟ ଦର୍କାର ହେବନାହିଁ ।’’

 

ଗଛ ବୁଦା ମଝିର ଖାଲ

 

ବାଥସେବାଙ୍କ ଖମାର ଘରଠୁ ମାଇଲିଏ ଦୂରରେ ଏକ ବିସ୍ତୀର୍ଣ୍ଣ ପାହାଡ଼ିଆ ପଡ଼ିଆ । ସେଠି ଚାଷ ହୁଏ ନାହିଁ । ଏ ସମୟରେ ସେଠି ଅନେକ ଉଚ୍ଚା ଉଚ୍ଚା କଅଁଳପତ୍ରଭରା ବୁଦା ବଢ଼ିଥାଏ-। ସନ୍ଧ୍ୟାର ଅଳ୍ପ ପୂର୍ବରୁ ବାଥସେବା ସେଠି ପହଞ୍ଚିଲେ । ବୁଦାର କଅଁଳିଆ ପତ୍ର ତାଙ୍କ କାନ୍ଧରେ ବାଜୁଥାଏ । ପାହାଡ଼ ଉପରେ ପହଞ୍ଚି ସେ ଟିକିଏ ଅଟକିଗଲେ । ପାହାଡ଼ ଆରପାଖେ ତଳେ ଟ୍ରୟଙ୍କ ନାଲି କୋଟ୍ ଦେଖାଗଲା । ବାଥସେବା ମନରେ ଟିକିଏ କୁଣ୍ଠାବୋଧ କଲାପରି ଜଣାଗଲା । ତା’ପରେ ସେ ହଠାତ୍ ପାହାଡ଼ ତଳ ଆଡ଼କୁ ଟ୍ରୟଙ୍କ ପାଖକୁ ଧାଇଁଲେ । ତାଙ୍କ ଆଖି ଦୁଇଟା ଖୁବ୍ ଉଜ୍ଜ୍ୱଳ ଦିଶୁଥାଏ । ଆଉ ସେ ଜୋରରେ ନିଃଶ୍ୱାସ ମାରୁଥାନ୍ତି । ବୁଦାଗୁଡ଼ାକ ମଝିରେ ଗୋଟେ ଖାଲ ପାଖରେ ସେ ପହଞ୍ଚିଲେ । ଟ୍ରୟ ପାହାଡ଼ ପାଦ ଦେଶରେ ଠିଆହୋଇ ତାଙ୍କ ଆଡ଼କୁ ଚାହିଁଥାନ୍ତି । ଟିକିଏ ପରେ ସେ ଉପରକୁ ଉଠି ଆସିଲେ । ବାଥସେବା ଓହ୍ଲାଇବାରେ ସାହାଯ୍ୟ କରିବାକୁ ତାଙ୍କ ଆଡ଼କୁ ହାତ ବଢ଼ାଇ ଦେଇ କହିଲେ, ‘‘ଆପଣଙ୍କୁ ଦେଖିବା ଆଗରୁ ବୁଦାର ଖସ୍ ଖସ୍ ଶବ୍ଦରୁ ମୁଁ ଜାଣିଲି ଆପଣ ଆସୁଛନ୍ତି ।’’

 

ଖାଲଟା ବେଶି ଗଭୀର ନୁହେଁ । ତେଣୁ ସୂର୍ଯ୍ୟକିରଣ ବାଥସେବାଙ୍କ ମୁଣ୍ଡ ଉପରେ ପଡ଼ୁଥିଲା । ଖାଲ ଭିତରେ ଶିଉଳି ଆଉ ଘାସର ମୋଟା ଗାଲିଚା । ବୁଦାଗୁଡ଼ା ଖାଲ ଧାରଯାଏ ମାଡ଼ିଆସିଥିଲା । ଟ୍ରୟ ତାଙ୍କର ଖଣ୍ଡାରେ ଚାରି ପାଖର ବୁଦାଗୁଡ଼ା କାଟିଦେଲେ । ସେମାନେ ବେଶ୍ ଆରାମରେ ଠିଆ ହେବା ପାଇଁ ଜାଗା ହୋଇଗଲା । ତା’ପରେ ହସି ହସି ଟ୍ରୟ କହିଲେ, ‘‘ମୁଁ ଆପଣଙ୍କୁ କହିଥିଲି, ପାଞ୍ଚମିନିଟ୍‌ରୁ ଅଧିକ ସମୟ ଲାଗିବ ନାହିଁ । ଭୟ କରନ୍ତୁ ନାହିଁ । ମୁଁ ଆପଣଙ୍କର କିଛି କ୍ଷତି କରିବି ନାହିଁ । ସକାଳେ ଆପଣଙ୍କୁ କହିଥିଲି, ମୋର କେବଳ ଆପଣଙ୍କ ମୁଣ୍ଡବାଳରୁ କେରାଏ ଦର୍କାର ।’’

 

ସୂର୍ଯ୍ୟ କିରଣରେ ତାଙ୍କ ହାତର ଖଣ୍ଡା ଝଲସି ଉଠିଲା, କେରାଏ ବାଳ ଭୂଇଁରେ ପଡ଼ିଗଲା । ଟ୍ରୟ ଲଇଁପଡ଼ି ସେ କେରାକ ଉଠାଇ ନେଇ ପକେଟରେ ରଖି କହିଲେ, ‘‘ଆପଣଙ୍କର ଖୁବ୍ ସାହସ, ଟିକିଏ ହେଲେ ହଲ ଚଲ ହୋଇନାହାନ୍ତି । ଜଣେ ନାରୀ ପକ୍ଷରେ ଏହା ଆଶ୍ଚର୍ଯ୍ୟ ।’’

 

‘‘ତାର କାରଣ ମୁଁ ମୋଟେ ୟା ଆଶା କରିନଥିଲି । ଆପଣ ମୋ ମୁଣ୍ଡର ବାଳ ନଷ୍ଟ କରିଦେଲେ ।’’ ମନ ଦୁଃଖରେ ବାଥସେବା ସେ ଘାସ ଉପରେ ବସିପଡ଼ିଲେ ।

 

‘‘ଏଥର ମୁଁ ଆପଣଙ୍କଠାରୁ ବିଦାୟ ନେଇ ଚାଲିଯିବି; କିନ୍ତୁ ସ୍ମୃତି ସ୍ୱରୂପ ଏଇ ବାଳ କେରାକ ମୁଁ ପାଖେ ପାଖେ ରଖିଥିବି ।’’ ଏହା କହି ଟ୍ରୟ ବାଥସେବାଙ୍କର ଖୁବ୍ ନିକଟକୁ ଲାଗିଆସିଲେ ଓ ତାଙ୍କ ମୁହଁରେ ନିଜର ମୁହଁ ଲଗାଇଦେଲେ ।

 

ମିନିଟ୍‌କ ଭିତରେ ଟ୍ରୟଙ୍କ ନାଲି କୋଟ୍ ବୁଦା ଗହଳିରେ ଲୁଚିଗଲା; କିନ୍ତୁ ସେଇ ମିନିଟ୍‌କ ଭିତରେ ତାଙ୍କ ମୁହଁ ଲାଲ ପଡ଼ିଗଲା । ସେ ଦେଖିଲେ ତାଙ୍କ ଆଖିରୁ ଲୁହଧାର ଚିବୁକ ଉପର ଦେଇ ଗଡ଼ିଯାଉଛି । ତାଙ୍କୁ ଜଣାଗଲା ସେ ଗୋଟାଏ ବଡ଼ ପାପ କରିପକାଇଛନ୍ତି ।

 

ବାଥସେବା ଏଭର୍‍ଡ଼ିନ୍‍ଙ୍କ ଚରିତ୍ରରେ ନିର୍ବୋଧତା ଆଉ ଦୃଢ଼ତା ମିଶି ରହିଥିଲା । ଆତ୍ମବିଶ୍ୱାସୀ ନାରୀମାନେ ନିଜର ଆତ୍ମବିଶ୍ୱାସ ହରାଇଲେ ଯେମିତି ଅନ୍ୟକୁ ପ୍ରେମ କରନ୍ତି, ଠିକ୍ ସେଇପରି ଏଭର୍‍ଡ଼ିନ୍ ଟ୍ରୟଙ୍କୁ ପ୍ରେମକରି ବସିଲେ । କେହି ଦୃଢ଼ ନାରୀ ତାର ଦୃଢ଼ତା ହରାଇ ବସିଲେ ସେ ଯେ କୌଣସି ଦୁର୍ବଳହୃଦୟା ନାରୀଠାରୁ ଆହୁରି ଦୁର୍ବଳ ହୋଇପଡ଼େ । ଦୁର୍ବଳତା ନୂଆକରି ଦେଖାହେଲେ ତାହା ଦୁଇଗୁଣ ବଢ଼ିଯାଏ ।

 

ବାଥସେବାଙ୍କ ନାରୀ ଦୃଷ୍ଟିରେ ଟ୍ରୟଙ୍କ ଦୋଷ ଦୁର୍ବଳତା ସବୁ ଭିତରେ ବୁଡ଼ି ରହିଲା, ଆଉ ଗୁଣ ଉପରକୁ ଭାସିଉଠିଲା । ଗାବ୍ରିଏଲ୍ ଓକ୍ ପକ୍ଷରେ କିନ୍ତୁ ଠିକ୍ ଓଲଟା । ତାର ଦୋଷ ବାହାରକୁ ଦେଖାଯାଉଥିଲା, କିନ୍ତୁ ଗୁଣ ସବୁ ଭିତରେ ଲୁଚି ରହିଥିଲା ।

 

ବାଥସେବାଙ୍କ ହାବଭାବରେ ପ୍ରେମ ଆଉ ସମ୍ମାନର ପାର୍ଥକ୍ୟ ପରିଷ୍କାର ପ୍ରକାଶ ପାଇଲା । ସେ ବୋଲ୍ଡ଼ଉଡ଼୍‌ଙ୍କ ବିଷୟରେ ଲିଡ଼ି ସହିତ ଖୋଲାଖୋଲି କଥାବାର୍ତ୍ତା କଲେ, କିନ୍ତୁ ଟ୍ରୟଙ୍କ ପ୍ରତି ତାଙ୍କ ହୃଦୟର ଭାବ କାହାକୁ କହିଲେ ନାହିଁ ।

 

ଗାବ୍ରିଏଲ୍ ବାଥସେବାଙ୍କୁ ଭଲପାଉଥିଲା । ଏସବୁ ଦେଖି ସେ ବିବତ୍ର ହୋଇପଡ଼ିଲା । ଏଯାଏ ବାଥସେବା ତାକୁ ପ୍ରେମ କରୁ ନଥିବାରୁ ସେ ବଡ଼ ଦୁଃଖିତ ଥିଲା । ଏବେ ସେ ଦେଖିଲା ଯେ ବାଥସେବା ଗୋଟେ ବାଜେ ଲୋକର ପ୍ରେମରେ ପଡ଼ିଯାଇଛନ୍ତି । ତାର ଦୁଃଖ ଆହୁରି ବଢ଼ିଗଲା । ଶେଷରେ ଏ ବିଷୟରେ ବାଥସେବାଙ୍କ ସାଥିରେ କଥାବାର୍ତ୍ତା କରିବାକୁ ସେ ଠିକ୍ କଲା-। ପ୍ରଥମେ ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ଙ୍କୁ ନେଇ କଥାଟା ଆରମ୍ଭ କରିବ । ବୋଲ୍‌ଡ଼୍‌ଉଡ଼୍‌ ସେତେବେଳକୁ ବାହାରକୁ ଯାଇଥାନ୍ତି । ଦିନେ ସନ୍ଧ୍ୟାରେ ଗୋଟେ ସୁଯୋଗ ମିଳିଲା । ବାଥସେବା ତାଙ୍କ କ୍ଷେତ ଆଡ଼େ ବୁଲିଯାଇଥାନ୍ତି । ଗାବ୍ରିଏଲ୍‍ ସେଇବାଟେ ଚାଲିଲା । ବାଥସେବା ଫେରିଲାବେଳକୁ ବାଟରେ ଦେଖାହେଲେ ।

 

ଅଟକି ଯାଇ ବାଥସେବା କହିଲେ, ‘‘କିଏ ଗାବ୍ରିଏଲ୍ ? ତୁମେ ବି ବୁଲିବାକୁ ଆସିଛ ନା କ’ଣ ?’’

‘‘ମୁଁ କେତେ ଦିନ ହେଲା ତୁମ ସାଥିରେ ଦେଖା କରିବି ବୋଲି ଭାବୁଥିଲି । ଯେଉଁ ଲୋକ ତୁମ ପାଖକୁ ଆସିବା କଥା ସେ ନାହାନ୍ତି–ମୁଁ ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ଙ୍କ କଥା କହୁଛି । ତେଣୁ ମୁଁ ଭାବିଲି ତାଙ୍କ ବଦଳରେ ମୁଁ ଆସି କଥାବାର୍ତ୍ତା କରେ ।’’

‘‘ହଁ ।’’ ଏତିକି କହି ବାଥସେବା ଆଗକୁ ଚାଲିଲେ । କିଛି ସମୟ ଯାଏ ଆଉ କିଛି କହିଲେ ନାହିଁ । ତା’ପରେ ହଠାତ୍ ସେ କହି ଉଠିଲେ, ‘‘ମିଷ୍ଟର ବୋଲ୍‍ଡ଼୍ଉଡ଼୍‌ ମୋ ପାଖକୁ ଆସିବା କଥା ବୋଲି କହିବାରେ ତୁମର ଉଦ୍ଦେଶ୍ୟ କ’ଣ ।’’

‘‘ଶୁଣୁଛି ତାଙ୍କ ସଙ୍ଗେ ତୁମର ବିବାହ ହେବ । ତେଣୁ ସେ ଆସିବା କଥା ।’’

‘‘ଯାହା ଶୁଣୁଛ ତା ସତ ନୁହେଁ । ଆମ ବିବାହର ସମ୍ଭାବନା ନାହିଁ । ତୁମେ ଯେତେବେଳେ ଏକଥା ପକାଇଲଣି, ମୁଁ ଭୁଲଟା ସଂଶୋଧନ କରିଦେବାର ଗୋଟେ ସୁବିଧା ପାଇଲି । ତାଙ୍କୁ ବିବାହ କରିବାକୁ ସେ ମୋତେ କହିଛନ୍ତି; କିନ୍ତୁ ମୁଁ ତାଙ୍କୁ କିଛି ସଠିକ ଉତ୍ତର ଦେଇନି । ସେ ଫେରିଲା ପରେ ପରେ ମୁଁ ତାଙ୍କୁ ସେଇ ଉତ୍ତରଟି ଦେବି, ଆଉ ସେ ଉତ୍ତର ହେବ ମୁଁ ତାଙ୍କୁ ବିବାହ କରିବାକୁ ଚାହେଁନା ।’’

ଦୀର୍ଘଶ୍ୱାସ ପକାଇ ଗାବ୍ରିଏଲ୍ କହିଲା, ‘‘ମଣିଷ ଅନେକ ଭୁଲ କରେ । ମୁଁ ଭାବୁଛି ତୁମର ସର୍ଜେଣ୍ଟ ଟ୍ରୟ ସଙ୍ଗେ ସାକ୍ଷାତ ହୋଇନଥିଲେ ଭଲ ହୋଇଥାନ୍ତା ।’’

‘‘ଏଠି ତ ସର୍ଜେଣ୍ଟ ଟ୍ରୟଙ୍କ କଥା ପଡ଼ି ନାହିଁ । ତଥାପି ମୁଁ କହିବି, ସେ ଶିକ୍ଷିତ ଆଉ ନାରୀର ଉପଯୁକ୍ତ ସ୍ୱାମୀ ।’’

‘‘ମୋର ଅନୁରୋଧ, ତୁମେ ତାଙ୍କୁ ବିଶ୍ୱାସ କରନାହିଁ ।’’

ବାଥସେବା ଖୁବ୍ ରାଗିଗଲେ । ଉତ୍ତେଜିତ ହୋଇ କହିଲେ, ‘‘ଏ ଅଞ୍ଚଳର ଯେ କୌଣସି ଲୋକଠାରୁ ସେ ଭଲ ।’’

ଟ୍ରୟ ଉପରେ ବାଥସେବାଙ୍କର ଦୃଢ଼ ବିଶ୍ୱାସ ଦେଖି ଗାବ୍ରିଏଲ୍ ବଡ଼ ଦୁଃଖିତ ହେଲା । ଆବେଗପୂର୍ଣ୍ଣ ଭାଷାରେ ସେ କହିଲା, ‘‘ତୁମେ ଜାଣ ମୁଁ ତୁମକୁ ଭଲ ପାଏ’’ ଆଉ ସବୁବେଳେ ଭଲପାଉଥିବି । ମୁଁ ଏତେ ବୋକା ନୁହେଁ ଯେ ତୁମକୁ ବିବାହ କରିବାର ଆଶା କରିବି, କାରଣ ମୁଁ ଏବେ ଗରିବ; କିନ୍ତୁ ବାଥସେବା, ମୋ କଥା ଶୁଣ । ମୁଁ ତୁମଠୁ ଛଅବର୍ଷ ବଡ଼ । ମିଷ୍ଟର ବୋଲ୍‌ଡ଼୍‌ଉଡ଼୍‌ ମୋଠୁ ଦଶବର୍ଷ ବଡ଼ । ତଥାପି ମୁଁ ଅନୁରୋଧ କରୁଛି । ତୁମେ ବିଚାର କରି ଦେଖ । ତାଙ୍କ ପାଖରେ ତୁମେ କେଡ଼େ ନିଶ୍ଚିନ୍ତରେ ରହିବ ।’’

ବାଥସେବା ଏତେ ରାଗିଗଲେ ଯେ କିଛି ସମୟ ପାଇଁ କଥା କହି ପାରିଲେ ନାହିଁ । ତା’ପରେ ଅବଜ୍ଞାରେ କହିଲେ, ‘‘ତୁମେ ଦୟାକରି ମୋ ପାଖରୁ ଚାଲିଯିବ ? ’

‘‘ନିଶ୍ଚୟ ଯିବି କୁମାରୀ ଏଭର୍‍ଡ଼ିନ୍ ।’’ ସେ ଦେଖିଲା, ତାର ଆଉ କିଛି କହିବାର ନାହିଁ । ବାଥସେବା ତା କଥା ଶୁଣିବେ ନାହିଁ । ସେ ଚୁପ୍‌ଚାପ୍ ଠିଆହୋଇ ବାଥସେବାଙ୍କୁ ତାଠୁ ଖୁବ୍ ଆଗକୁ ଚାଲିଯିବାକୁ ଦେଲା । ଶେଷରେ ଦୂରରେ ସେ କେବଳ ଛାଇପରି ଦେଖାଗଲା ।

ବାଥସେବା କାହିଁକି ଯେ ତା ପାଖରୁ ଚାଲିଯିବାକୁ ବ୍ୟଗ୍ର ହେଉଥିଲେ ତା ଗାବ୍ରିଏଲ୍ ଖୁବ୍ ଶୀଘ୍ର ଜାଣିପାରିଲା । ବାଥସେବାଙ୍କ ପାଖରେ ଆଉ ଗୋଟେ ମୂର୍ତ୍ତି ଦେଖାଗଲା । ସେ ମୂର୍ତ୍ତି ନିଃସନ୍ଦେହରେ ଟ୍ରୟର । ଗାବ୍ରିଏଲ୍‍ ସାଙ୍ଗେ ସାଙ୍ଗେ ମୁହଁ ବୁଲାଇ ମନ ଦୁଃଖରେ ଘରକୁ ଫେରିଲା-

 

ଦୋଷ ଆଉ କ୍ରୋଧ

 

ଅଧ ଘଣ୍ଟାଏ ପରେ ବାଥସେବା ତାଙ୍କ ଘରେ ପହଞ୍ଚିଲା । ଟ୍ରୟ ସାଥିରେ ଦେଖାହେବାପରେ ତାଙ୍କ ମୁହଁ ଉତ୍ତେଜନାରେ ଲାଲପଡ଼ିଯାଇଥାଏ । ଟ୍ରୟ ତାଙ୍କୁ କହିଥିଲେ ଯେ ସେ କିଛିଦିନପାଇଁ ତାଙ୍କ ସାଙ୍ଗମାନଙ୍କ ପାଖକୁ ବାଥ୍ ଯିବେ । ଦ୍ୱିତୀୟ ଥରପାଇଁ ମଧ୍ୟ ଉଭୟଙ୍କ ମୁହଁ ଏକାଠି ହୋଇଥିଲା ।

 

ବାଥସେବା ଟେବୁଲ୍ ପାଖରେ ବସି ତିନି ମିନିଟ୍ ଭିତରେ ଖଣ୍ଡେ ଚିଠି ଲେଖିପକାଇଲେ-। ମଝିରେ ଅଟକିବାର ନାହିଁ କିମ୍ୱା ଭୁଲ ସଂଶୋଧନ କରିବାର ନାହିଁ–ଚିଠିଖଣ୍ଡ କାଷ୍ଟର୍‌ବ୍ରିଜ୍ ଠିକଣାରେ ବୋଲ୍‍ଡ଼୍ଉଡ଼୍‌ଙ୍କ ପାଖକୁ । ସେଥିରେ ସେ ଦୃଢ଼ଭାବରେ ଲେଖିଥିଲେ ଯେ ସେ ତାଙ୍କୁ ବିବାହ କରି ପାରିବେ ନାହିଁ । ସେ ଗାବ୍ରିଏଲ୍‍ ଆଗରେ କହିଥିଲେ, ବୋଲ୍ଡ଼୍‌ଉଡ଼୍‌ଙ୍କୁ ଉତ୍ତର ଦେବାପାଇଁ ସେ ବୋଲ୍ଡ଼୍ଉଡ଼୍ ଫେରିବାଯାଏ ଅପେକ୍ଷା କରିବେ; କିନ୍ତୁ ବର୍ତ୍ତମାନ ସେ ଦେଖିଲେ ଆଉ ଅପେକ୍ଷା କରି ପାରିବେ ନାହିଁ ।

 

ତା ପରିଦିନ ସନ୍ଧ୍ୟାରେ ବାଥସେବା ଭାବିଲେ ତାଙ୍କ ଚିଠିପାଇ ବୋଲ୍ଡ଼୍ଉଡ଼୍ ହୁଏତ ନିଜେ ଆସିପାରନ୍ତି । ତାଙ୍କୁ ଏଡ଼େଇବା ପାଇଁ ସେ ବୁଲି ବାହାରିଗଲେ । ଲିଡ଼ି ପାଖକୁ ଯିବାକୁ ସେ ଠିକ୍‌କଲେ । ସେତେବେଳେ ଲିଡ଼ି ପାଖ ଗାଁ ୟାଲବେରିରେ ତା ଭଉଣୀ ଭିଣୋଇଙ୍କ ଘରେ ରହୁଥାଏ । ସେ ପ୍ରାୟ ଦୁଇମାଇଲ୍ ବାଟ ଗଲାପରେ ଦେଖିଲେ, ଯାହାକୁ ଏଡ଼େଇବା ପାଇଁ ସେ ବୁଲିବାହାରିଛନ୍ତି, ସେଇ ଲୋକ ୟାଲବେରି ଆଡ଼ୁ ଆସୁଛି ।

 

ବୋଲ୍‌ଡ଼୍‍ଉଡ଼୍‌ ତଳକୁ ମୁହଁକରି ଧୀରେ ଧୀରେ ଆସୁଥାନ୍ତି । ସେମାନେ ପରସ୍ପରର ପାଖାପାଖି ହେବାଯାଏ ସେ ବାଥସେବାଙ୍କୁ ଦେଖି ନଥାନ୍ତି । ତାଙ୍କ ପାଦ ଶବ୍ଦ ଶୁଣି ସେ ଉପରକୁ ମୁହଁ ଟେକିଲେ । ବାଥସେବା ଦେଖିଲେ ତାଙ୍କ ଚେହେରା ବହୁତ ବଦଳି ଯାଇଛି । ସେ ବୁଝିପାରିଲେ ତାଙ୍କ ଚିଠିପାଇ ସେ ପୂରା ଭାଙ୍ଗି ପଡ଼ିଛନ୍ତି । ଘାବରେଇ ଯାଇ ବାଥସେବା କହିଲେ, ‘‘ଆପଣ…....ମିଷ୍ଟର ବୋଲ୍‍ଡ଼୍ଉଡ଼୍‌ ?’’ ବୋଲ୍ଡ଼୍ଉଡ଼୍ ତାଙ୍କଆଡ଼େ ଚାହିଁଲେ । ବାଥସେବା ସେ ଚାହାଣୀରେ ଟିକିଏ ଶଙ୍କିଯାଇ ଗୋଟେ କଡ଼କୁ ଘୁଞ୍ଚିଗଲେ ।

 

‘‘କ’ଣ ମୋତେ ଭୟ କରୁଛ ?’’ ବୋଲ୍‍ଡ଼୍ଉଡ଼୍‌ ପଚାରିଲେ ।

Unknown

 

‘‘ଏ କଥା କାହିଁକି କହିଲେ ?’’

 

‘‘ତୁମେ ଡରିଗଲା ପରି ମୋତେ ଜଣାଗଲା । ସେଟା ଅତି ଆଶ୍ଚର୍ଯ୍ୟ କଥା । କାରଣ ତୁମେ ଜାଣ ତୁମ ପ୍ରତି ମୋର ଅନୁରାଗ ମୃତ୍ୟୁପରି ଦୃଢ଼ ଆଉ ସତ୍ୟ । ତରତରରେ ଖଣ୍ଡେ ଚିଠି ଲେଖିଦେଲେ ତା ଉପରେ କିଛି ପ୍ରଭାବ ପଡ଼ିପାରିବ ନାହିଁ ।’’

 

‘‘ଆପଣ ମୋ ବିଷୟରେ ଏତେ ଭାବି ନଥିଲେ ଭଲ ହୋଇଥାନ୍ତା । ସେଟା ଆପଣଙ୍କର ଉଦାରତା । ମୁଁ ତାର ଯୋଗ୍ୟ ନୁହେଁ; କିନ୍ତୁ ସେ ବିଷୟ ଆଉ ଶୁଣାନ୍ତୁ ନାହିଁ ।’’

 

‘‘ଶୁଣାଇବି ନାହିଁ ? ତେବେ ମୁଁ ତୁମକୁ ବିବାହ କରିବି ନାହିଁ ଏଇ କ’ଣ ଯଥେଷ୍ଟ ? ତୁମ ଚିଠିଟା ଅବଶ୍ୟ ଖୁବ୍ ସରଳ; କିନ୍ତୁ ତାର ଉତ୍ତରରେ ମୋର କ’ଣ କିଛି କହିବାର ନାହିଁ ?’’

 

ବିଚଳିତ ହୋଇ ବାଟଭାଙ୍ଗି ବାଥସେବା ଆଗକୁ ଚାଲିଲେ । ବୋଲ୍ଡ଼୍ଉଡ଼୍‌ ପୁଣି ତାଙ୍କ ପାଖକୁ ଆସି କହିଲେ, ‘‘ବାଥସେବା, ଏଇଟା କ’ଣ ଶେଷ କଥା ?’’

 

‘‘ହଁ ଶେଷ କଥା ।’’

 

‘‘ନା ନା, ମୋତେ ଦୟାକର । ମୋ ମୁଣ୍ଡ ଠିକ୍ ରହୁନାହିଁ । ମୁଁ ଅନୁରୋଧ କରୁଛି । ମାନବିକତା ଦୃଷ୍ଟିରୁ ଜଣେ ନିଃସଙ୍ଗ ଲୋକକୁ ଦୟାକର । ମୋତେ ଦୂରକୁ ଫିଙ୍ଗି ଦିଅ ନାହିଁ ।’’

 

‘‘ମୁଁ ତ ଆପଣଙ୍କୁ ଦୂରକୁ ଫିଙ୍ଗି ଦେଉନାହିଁ । ତା ଛଡ଼ା ଆପଣତ ମୋ ପାଖରେ ନଥିଲେ, ମୁଁ ଦୂରକୁ ଫିଙ୍ଗିବି କିପରି ?’’

 

ତାଙ୍କ ଜାଣିବାରେ ସେ କେବେ ବୋଲ୍ଡ଼୍ଉଡ଼୍‌ଙ୍କୁ ପ୍ରେମ କରି ନାହାନ୍ତି । ଚିଠିଟି ପଠାଇବା ଦିନ ସେ ନଭାବି ନଚିନ୍ତି ଯେଉଁ କାମ କରିଥିଲେ ତାହା ଭୁଲିଯାଇଥିଲେ ।

 

‘‘କିନ୍ତୁ ଏକ ସମୟରେ ତୁମେ ମୋ ଆଡ଼କୁ ଢଳିପଡ଼ିଥଲ । ସେତେବେଳେ ମୁଁ ତୁମ କଥା ମୋଟେ ଭାବି ନଥିଲି । ତୁମେ ସେ ଚିଠି ପଠାଇ ମୋତେ ଆକୃଷ୍ଟ କରିନଥିଲେ, ମୁଁ ତୁମ କଥା ମୋଟେ ଭାବି ନଥାନ୍ତି । ଆଜି ଯଦି ତୁମେ କହ ଯେ ମୋତେ ପ୍ରେରଣା ଦେଇନାହଁ, ମୁଁ ତାର ପ୍ରତିବାଦ କରିବି ।’’–ବୋଲ୍ଡ଼୍ଉଡ଼୍ କହିଲେ ।

 

‘‘ଆପଣ ଯାହାକୁ ପ୍ରେରଣା ବୋଲି କହୁଛନ୍ତି ସେଟା ଗୋଟେ ଅଳସ ମୁହୂର୍ତ୍ତର ମଜାର ଖେଳ ମାତ୍ର । ମୁଁ ସେଥିପାଇଁ ଖୁବ୍ ଅନୁତପ୍ତ । ଆପଣ ତଥାପି ସେ କଥା ମନେପକାଉଛନ୍ତି ?’’

 

‘‘ମୁଁ ସେଥିପାଇଁ ତୁମକୁ ଦୋଷ ଦେଉନାହିଁ । ମୁଁ ବି ସେଥିପାଇଁ ଅନୁତପ୍ତ । ତୁମେ ଯାହାକୁ ମଜାର ଖେଳ ବୋଲି କହୁଛ, ମୁଁ ତାକୁ ଖୁବ୍ ଗୁରୁତ୍ୱ ଦେଇଦେଇଛି । ତୁମର ଏଇ ଖେଳ ଫଳରେ ମୋତେ କି ଦୁଃଖ ଭୋଗିବାକୁ ପଡ଼ିବ ତା ଯଦି ମୁଁ ଭାବିପାରିଥାନ୍ତି ତେବେ ତୁମକୁ ଅଭିଶାପ ଦେଇଥାନ୍ତି; କିନ୍ତୁ ବର୍ତ୍ତମାନ ଆଉ ତା ହୋଇପାରିବ ନାହିଁ । କାରଣ ତୁମକୁ ମୁଁ ଅତି ଗାଢ଼ ପ୍ରେମ କରେ । ତୁମେ ଏକ ମାତ୍ର ନାରୀ ଯାହାକୁ ମୁଁ ପ୍ରେମ କରେ । ତୁମେ ଏବେ ମନାକଲେ ମୁଁ ସହିପାରିବି ନାହିଁ । ତୁମେ ପ୍ରକାରାନ୍ତରେ ମୋତେ କଥା ଦେଇଥିଲ । ତୁମର ସେ ମଧୁର କଥା କୁଆଡ଼େ ଗଲା ? ମୋତେ ଭଲପାଇବାକୁ ଚେଷ୍ଟା କରିବ ବୋଲି ତୁମେ କହିଥିଲ । ସେ ସବୁ କ’ଣ ଭୁଲିଗଲ ?’’

 

ବାଥସେବା ହୃଦୟର ଆବେଗ ଚାପିରଖି ଧୀର ଅଥଚ ଦୃଢ଼ ସ୍ୱରରେ କହିଲେ, ‘‘ମିଷ୍ଟର ବୋଲ୍ଡ଼୍‍ଉଡ଼୍, ମୁଁ ଆପଣଙ୍କୁ କିଛି ପ୍ରତିଶ୍ରୁତି ଦେଇନାହିଁ । ଆପଣ ଯେତେବେଳେ ମୋତେ ଭଲପାଉଛନ୍ତି ବୋଲି କହିଲେ, ମୁଁ ବାଧ୍ୟ ହୋଇ ଜଣେ ନାରୀ ଯାହା କରନ୍ତା, ସେତିକି କରିଛି । ମୁଁ କେମିତି ଜାଣିଥାନ୍ତି ଯେ ଅନ୍ୟମାନଙ୍କୁ ଯାହା ଖେଳ ଆପଣଙ୍କୁ ସେ କାଳ ?’’

 

‘‘ତୁମେ ଏଡ଼େ ନିଷ୍ଠୁର ହୋଇପାରନା । କହ ବାଥସେବା, ତୁମେ ମନାକରି ଲେଖିଥିବା ଚିଠିଟା ବି ଏକ ଖେଳ ।’’

 

‘‘ତା’ହେଲେ ମୁଁ ମିଛ କହିବି, ଆଉ ଆମେ ଦୁହେଁ ସେଥିରେ ଦୁଃଖ ପାଇବା ।’’

 

ହଠାତ୍ ବୋଲ୍ଡ଼୍‍ଉଡ଼୍ ରାଗିଯାଇ କହିଲେ, ‘‘ତୁମେ ଯେପରି ଭାବହୀନା ବୋଲି ଛଳନା କରୁଛ, ପ୍ରକୃତରେ ତା ନୁହଁ । ତୁମ ଅନ୍ତରରେ ଯଥେଷ୍ଟ ପ୍ରେମ ରହିଛି, କିନ୍ତୁ ତାହା ଅନ୍ୟ ଲୋକଆଡ଼କୁ । ମୁଁ ଜାଣେ ସେ ଲୋକ କିଏ ।’’

 

ବାଥସେବା ବୁଝିଲେ ଯେ ବୋଲ୍ଡ଼୍ଉଡ଼୍ କଥାଟା ଟ୍ରୟଙ୍କ ଆଡ଼କୁ ଆଣୁଛନ୍ତି । ଯାହା କିଛି ଘଟିଯାଇଛି, ସେ ନିଶ୍ଚୟ ଜାଣିପାରିଛନ୍ତି । ହଠାତ୍ ବୋଲ୍ଡ଼୍ଉଡ଼୍‌ଙ୍କ ମୁହଁରୁ ଲୋକଟା ନା ବାହାରିପଡ଼ିଲା । ଭୟଙ୍କର ରାଗରେ ସେ ପଚାରିଲେ, ‘ଟ୍ରୟ କାହିଁକି ମୋ ସମ୍ପତ୍ତିରେ ହାତ ମାରିବାକୁ ଗଲା ? ସେ ତୁମ ବାଟରେ ପହଞ୍ଚିବା ଆଗରୁ ତୁମେ ମୋତେ ଗ୍ରହଣ କରିବାକୁ ପ୍ରାୟ ରାଜି ଥିଲ । ମୁଁ ଆଉଥରେ ତୁମକୁ ବିବାହ କଥା ପଚାରିଥିଲେ ତୁମେ ନିଶ୍ଚୟ ରାଜି ହୋଇଥାନ୍ତ । ଏକଥା ତୁମେ ଅସ୍ୱୀକାର କରିପାରିବ ?’’

 

ବାଥସେବା ଟିକିଏ ଥାଥାମାମା ହେଲେ; କିନ୍ତୁ କଥାଟା ଅସ୍ୱୀକାର କରିପାରିଲେ ନାହିଁ । ଖୁବ୍ ଆସ୍ତେ କହିଲେ, ‘‘ନା ମୁଁ ପାରିବି ନାହିଁ ।’’

 

‘‘ମୁଁ ଜାଣେ ତୁମେ ଅସ୍ୱୀକାର କରିପାରିବ ନାହିଁ; କିନ୍ତୁ ମୋର ଅନୁପସ୍ଥିତିରେ ସେ ମୋ ଜିନିଷ ଚୋରି କରିଛି । ଯେତେବେଳେ କେହି ତୁମ କଥା ଚିନ୍ତା କରୁ ନଥିଲା, ସେତେବେଳେ ସେ ତୁମକୁ ନିଜର କରି ନେଲା ନାହିଁ କାହିଁକି ? ଏବେ ସମସ୍ତେ ମୋତେ ଥଟ୍ଟା କରିବେ । ମୁଁ ମୋର ମାନ ସମ୍ମାନ ସବୁ ହରେଇ ବସିଛି । ଯା, ତୁମର ସେ ଲୋକକୁ ବିବାହକର, ଯାଅ ।’’

 

ବୋଲ୍‌ଡ଼୍‌ଉଡ୍‌ଙ୍କ ରାଗ ଦେଖି ବାଥସେବା ଡରିଗଲେ । ସେ ଟିକିଏ ଦୂରେଇ ଯାଇ କହିଲେ, ‘‘ମୁଁ ସାମାନ୍ୟ ବାଳିକା । ମୋତେ ଦୟା କରି ଛାଡ଼ି ଦିଅନ୍ତୁ ।’’

 

ବୋଲ୍ଡ଼୍ଉଡ଼୍‌ଙ୍କ ରାଗ କମିଲାନାହିଁ । ସେ ଭୟଙ୍କର ଭାବେ କହିଲେ, ‘‘ତୁମେ ତା ଆଗରେ ମୋ କଥା କହିବ । ଥଟ୍ଟା କରି କହିବ, ମୋ ପାଇଁ ବୋଲ୍‍ଡ଼୍ଉଡ଼୍ ମରିବାକୁ ବି ତିଆର । ମୁଁ ଜାଣେ ତୁମେ ତାକୁ ସେ ସୁଯୋଗ ଦେଇଛ । ସେ ତୁମକୁ ଚୁମ୍ୱନ ଦେଇଛି, ତାର ନିଜର ବୋଲି ଦାବୀ କରିଛି । ଏକଥା ତୁମେ ଅସ୍ୱୀକାର କରିପାରିବ ?’’

 

କାତର ସ୍ୱରରେ ବାଥସେବା କହିଲେ, ‘‘ମୋତେ ଛାଡ଼ିଦିଅନ୍ତୁ, ମୁଁ ଆପଣଙ୍କର କେହି ନୁହେଁ ।’’

 

ଆହୁରି ରାଗିଯାଇ ବୋଲ୍‍ଡ଼୍ଉଡ଼୍ କହିଲେ, ‘‘ସେ ତୁମକୁ ଚୁମ୍ୱନ ଦେଇଛି–ମୁଁ ଜାଣେ ।’’

 

ବାଥସେବା ମନେ ମନେ ଭୟକରୁଥିଲେ ମଧ୍ୟ ଦୃଢ଼ଭାବରେ ଉତ୍ତର ଦେଲେ, ‘‘ହଁ, ସେ ଚୁମ୍ୱନ ଦେଇଛନ୍ତି । ସତକଥା କହିବାକୁ ମୋର ଲଜ୍ଜାନାହିଁ ।’’

 

‘‘ତା’ହେଲେ ତୁମେ ତାକୁ ଅଭିଶାପ ଦିଅ । ମୁଁ ତୁମକୁ ପାଇବାକୁ ଦୁନିଆର ସବୁ କିଛି ଦେଇଥାନ୍ତି; କିନ୍ତୁ ତୁମେ ଏଇ ଶୟତାନ୍‍ଟାକୁ ଚୁମ୍ୱନର ସୁଯୋଗ ଦେଇଛ । ସମୟ ଆସିବ, ଯେତେବେଳେ ସେ ମୋ ପରି ଦୁଃଖ କଷ୍ଟ ଭୋଗ କରିବ ।’’

 

‘‘ତାଙ୍କୁ ଅଭିଶାପ ଦିଅନ୍ତୁ ନାହିଁ, ଦୟା କରନ୍ତୁ । କାରଣ ମୁଁ ତାଙ୍କୁ ପ୍ରାଣଭରି ଭଲପାଏ ।’’

 

ରାଗରେ ବୋଲ୍ଡ଼୍ଉଡ଼୍ ଜ୍ଞାନ ହରାଇ ବସିଥିଲେ । ସେ କିଛି ନଶୁଣି କହିଲେ, ମୁଁ ‘‘ତାକୁ ଠିକଣା କରିବି । ସେ ମୋର ଏକମାତ୍ର ସୁଖ ଛଡ଼େଇ ନେଇଛି । ଘୋଡ଼ା ଚାବୁକରେ ତା ପିଠିରୁ ଛାଲ ଉତାରି ଦେବି । ତା ଭାଗ୍ୟ ଭଲ ସେ ସେନାଛାଉଣୀକି ଫେରିଯାଇଛି । ସେ ଏଠି ଥିଲେ ମୁଁ କ’ଣ ନା କ’ଣ କରିଦେଇଥାନ୍ତି । ତାକୁ ମୋଠୁ ଦୂରେଇ ରଖ ।’’

 

କିଛି ସମୟ ପାଇଁ ବୋଲ୍ଡ଼୍ଉଡ଼୍ କାଠପରି ଠିଆହୋଇ ରହିଲେ । ତା’ପରେ ହଠାତ୍ ମୁହଁ ବୁଲାଇ ଚାଲିଗଲେ । ଗୋଧୂଳିର ଫିକା ଆଲୁଅରେ ତାଙ୍କ ମୂର୍ତ୍ତି ଲୁଚିଗଲା । ବାଥସେବା ନିଶ୍ଚଳ ହୋଇ ଠିଆ ହୋଇ ରହିଥିଲେ । ହାତ ଦୁଇଟାରେ ମୁହଁ ଘୋଡ଼ାଇ ସେ କଇଁ କଇଁ ହୋଇ କାନ୍ଦିଉଠିଲେ । ସେ ଜାଣିଥିଲେ ଯେ ଟ୍ରୟ ତାଙ୍କ ସେନାଛାଉଣିକୁ ଫେରି ନାହାନ୍ତି । ତାଙ୍କର ବନ୍ଧୁମାନଙ୍କୁ ଦେଖିବାକୁ ବାଥ୍ ସହରକୁ ଯାଇଛନ୍ତି । ଦିନେ ଦୁଇ ଦିନରେ ଉଏଦରବେରି ଫେରିବେ-। ସେ ନିଶ୍ଚିତ ଭାବେ ଜାଣିଲେ, ଯଦି ଫେରିବା ପରେ ଟ୍ରୟ ତାଙ୍କ ପାଖକୁ ଆସନ୍ତି, ଆଉ ଦୈବାତ୍ ବୋଲ୍ଡ଼୍ଉଡ଼୍‌ଙ୍କ ସାଥିରେ ତାଙ୍କର ସାକ୍ଷାତ ହୁଏ, ତେବେ ଭୀଷଣ ଗଣ୍ଡଗୋଳ ଉପୁଜିବ ।

 

ବଡ଼ ବ୍ୟସ୍ତହୋଇ ବାଥସେବା କଇଁ କଇଁ ହୋଇ କାନ୍ଦି ପକାଇଲେ । ତା’ପରେ ରାସ୍ତା କଡ଼ର ଗୋଟେ ପଥର ଉପରେ ବସି ଭାବିବାକୁ ଲାଗିଲେ । ଅନେକ ସମୟ ସେ ସେଠି ବସି ରହିଲେ । ମନରେ ଟ୍ରୟଙ୍କୁ ନେଇ ନାନା ଦୁଶ୍ଚିନ୍ତା । ଶେଷରେ ସେ ଠିକ୍ କଲେ ବର୍ତ୍ତମାନର ପରିସ୍ଥିତିରୁ ରକ୍ଷାପାଇବାର ଗୋଟାଏ ପନ୍ଥା ଅଛି । ବୋଲ୍ଡ଼୍ଉଡ଼୍‌ଙ୍କ ରାଗ ଶାନ୍ତ ହେବାଯାଏ ଟ୍ରୟଙ୍କୁ ତାଙ୍କ ପାଖରୁ ଦୂରେଇ ରଖିବାକୁ ହେବ । ଛୁଟି ଶେଷଯାଏ ଉଏଦରବେରି ନଆସି ବାଥରେ ରହିଯିବାକୁ ତାଙ୍କୁ ପ୍ରବର୍ତ୍ତାଇବାକୁ ପଡ଼ିବ । ସେ ଉଠି ଠିଆ ହୋଇ ପଡ଼ିଲେ । ସେ ନିଜେ ଯାଇ ଏ ବିଷୟ ତାଙ୍କୁ କହିବେ । ଚିଠି ଦେଲେ ହୁଏତ ଠିକ୍ ସମୟରେ ପହଞ୍ଚି ନପାରେ ।

 

ସେତେବେଳକୁ ଅନ୍ଧାର ହୋଇ ଗଲାଣି । ବାଥସେବା ଖମାରକୁ ଫେରି ଗାଡ଼ିରେ ଘୋଡ଼ା ଯୋଚିଲେ । ଚିଠି ଖଣ୍ଡେ ଲେଖି ଘୋଡ଼ାଶାଳରେ ରଖିଦେଲେ, ଗାବ୍ରିଏଲ୍ ସକାଳେ ସେ ଚିଠି ପାଇବ । ଗାଡ଼ିଭିତରେ ବସି ପଡ଼ି ସେ ସାଙ୍ଗେ ସାଙ୍ଗେ ବାଥ୍‌ ରାସ୍ତାରେ ଚାଲିଲେ ।

 

ପୁଣି ଘରଭିତରେ

 

ଗାବ୍ରିଏଲ୍‍ ଚିଠିଟା ପାଇ ଜାଣିଲେ ବାଥସେବା ବାଥ୍ ସହରକୁ ଯାଇଛନ୍ତି । ସେ ଅନୁମାନ କରିନେଲେ ଯେ ବାଥସେବା ଟ୍ରୟ ପାଖକୁ ଯାଇଛନ୍ତି । ଆଗରୁ ସେ ଶୁଣିଥିଲେ, ସର୍ଜେଣ୍ଟ ଟ୍ରୟ ତାଙ୍କ ବନ୍ଧୁମାନଙ୍କ ନିକଟରେ ବାଥରେ ଅଛନ୍ତି । କେତେ ଦିନ ଚାଲିଗଲା । ଗାବ୍ରିଏଲ୍‍ ତାଙ୍କ ମାଲିକାଣୀଙ୍କର କିଛି ଖବର ନପାଇ ବ୍ୟସ୍ତ ହୋଇପଡ଼ିଲେ ।

ଏକ ସପ୍ତାହ ପରେ ଦିନେ ସନ୍ଧ୍ୟାରେ ଗାବ୍ରିଏଲ୍ କୋଗାନ୍‍ଙ୍କ ବଗିଚା ଫାଟକ ପାଖରେ ଠିଆ ହୋଇଥାନ୍ତି । ଶୋଇବାକୁ ଯିବା ପୂର୍ବରୁ ସେ ଥରେ ରାସ୍ତା ଆଡ଼େ ଚାହିଁନେଲେ । ରାସ୍ତାରେ ଦୁଇଜଣ ସ୍ତ୍ରୀ ଲୋକଙ୍କର ସ୍ୱର ଶୁଣାଗଲା । ଗାବ୍ରିଏଲ୍‍ ଜାଣି ପାରିଲେ, ସେ ସ୍ୱର ବାଥସେବା ଓ ଲିଡ଼ିର । ଲିଡ଼ି ବାଥ୍ ସହର କଥା ପଚାରୁ ଥାଏ ଆଉ ବାଥସେବା ତାର ଉତ୍ତର ଦେଉଥାନ୍ତି । ବାଥସେବା ଆଉ ତାଙ୍କ ଘୋଡ଼ା କ୍ଳାନ୍ତ ଜଣାପଡ଼ୁଥାନ୍ତି ।

ବାଥସେବା ଭଲରେ ଭଲରେ ଫେରିଥିବାରୁ ଗାବ୍ରିଏଲ୍ ଖୁବ୍ ଆଶ୍ୱସ୍ତ ହେଲା । ମନରୁ ତାର ସବୁ ଭୟ ପାସୋରି ଗଲା । ଗାଡ଼ି ଚାଲିଯିବା ପରେ ସେ ଫାଟକ ପାଖରେ ଠିଆହୋଇ ରହିଲା । ଅଧଘଣ୍ଟାଏ ପରେ ଗୋଟେ କଳାମୂର୍ତ୍ତି ଆସିବାର ଦେଖାଗଲା । ତାର ପାଖ ଦେଇ ଗଲାବେଳେ ମୂର୍ତ୍ତିଟା କହିଲା, ‘‘ଶୁଭରାତ୍ରି ଗାବ୍ରିଏଲ୍ ।’’

ଗାବ୍ରିଏଲ୍ ଚିହ୍ନିଲା, ସେ ବୋଲ୍ଡ଼୍ଉଡ଼୍ । ସେ ପ୍ରତି ନମସ୍କାର କଲା । ବୋଲ୍ଡ଼୍ଉଡ଼୍ ଆଗକୁ ଚାଲିଗଲେ । ତା’ପରେ ଗାବ୍ରିଏଲ୍‍ ଶୋଇବା ପାଇଁ ଘର ଭିତରକୁ ଗଲା । ବୋଲ୍ଡ଼୍ଉଡ଼୍ ବାଥସେବାଙ୍କ ଘରଆଡ଼େ ଚାଲିଲେ । ଘର ପାଖରେ ପହଞ୍ଚି ସେ ଦେଖିଲେ, ବୈଠକଖାନାରେ ଆଲୁଅ ଜଳୁଛି । ଝରକାର ପରଦା ଟଣା ଯାଇ ନଥିଲା । ବାଥସେବା ଘର ଭିତରେ ଗୁଡ଼େ ଚିଠିପତ୍ର ଦେଖୁଥିଲେ । ସେ ବୋଲ୍ଡ଼୍ଉଡ଼୍‌ଙ୍କ ଆଡ଼କୁ ପିଠି କରିଥିଲେ । ବୋଲ୍ଡ଼୍ଉଡ଼୍ କବାଟରେ ଠକ୍ ଠକ୍ ଆବାଜ୍ କରି ଅପେକ୍ଷା କଲେ ।

ବାଥସେବାଙ୍କ ସାଥିରେ ୟାଲବେରି ରାସ୍ତାରେ ଦେଖା ହେବା ପରଠୁ ସେ ଆଉ ତାଙ୍କ ଘରୁ ପଦାକୁ ବାହାରି ନଥିଲେ । ଘର ଭିତରେ ଏକୁଟିଆ ରାଗ ଆଉ ଦୁଃଖରେ ଚୁପ୍‌ଚାପ୍ ବସିଥାନ୍ତି; କିନ୍ତୁ ଆସ୍ତେ ଆସ୍ତେ ସେ କଥାଟାକୁ ଉପଲବ୍‌ଧି କଲେ । ତେଣୁ ଆଜି ରାତିରେ ସେ ବାହାରକୁ ଆସିଥିଲେ । ସେ ଖବର ପାଇଲେ ଯେ ବାଥସେବା ଫେରିଲେଣି । ତେଣୁ ସେ କ୍ଷମା ମାଗିବା ପାଇଁ ତାଙ୍କ ପାଖକୁ ଆସିଥିଲେ । ବାଥସେବା ବାଥ୍ ଯାଇଥିବା କଥା ସେ ମୋଟେ ଜାଣିନଥିଲେ । ସେ ଜାଣନ୍ତି ଯେ ସେ ୟାଲବେରିରେ ଲିଡ଼ି ପାଖରେ ଅଛନ୍ତି ।

ଠକ୍ ଠକ୍ ଶବ୍ଦ ଶୁଣି ଲିଡ଼ି ଆସି କବାଟ ଖୋଲିଲା । କୁମାରୀ ଏଭର୍‍ଡ଼ିନ୍‍ଙ୍କ ସଙ୍ଗେ ଦେଖା କରିବେ ବୋଲି ବୋଲ୍ଡ଼୍ଉଡ଼୍ କହିଲେ । ଲିଡ଼ି ଘର ଭିତରକୁ ଗଲା । ସେ ସେମିତି ଦୁଆର ପାଖେ ଠିଆ ହୋଇଥାନ୍ତି । ତା’ପରେ ବୈଠକଖାନା ଝରକାରେ ପରଦାଗୁଡ଼ା ଟଣା ହୋଇଗଲା । ଲିଡ଼ି ଫେରି ଆସି କହିଲା, ‘‘ମାଲିକାଣୀଙ୍କ ସଙ୍ଗେ ଏବେ ଦେଖା ହୋଇ ପାରିବ ନାହିଁ ।’’

ବୋଲ୍ଡ଼୍ଉଡ଼୍ ସାଙ୍ଗେ ସାଙ୍ଗେ ଫାଟକ ପାରହୋଇ ଫେରିଆସିଲେ । ସେ ତେବେ କ୍ଷମା ପାଇ ପାରିନାହାନ୍ତି । ସେ ଧୀରେ ଧୀରେ ଚାଲୁଥାନ୍ତି । ଶୁଣିଲେ ଗୋଟେ ଭଡ଼ାଗାଡ଼ି ଗାଁ ଭିତରକୁ ଆସୁଛି । ଗାଡ଼ିବାଲା ଉଏଦରବେରିର ଲୋକ । ସେ ତା ଘର ପାଖରେ ଗାଡ଼ି ଅଟକେଇଲା । ହାତରେ ଗୋଟେ ବ୍ୟାଗ୍ ଧରି ଟ୍ରୟ ଗାଡ଼ିଭିତରୁ ଓହ୍ଲାଇଲେ । ଗାଡ଼ିବାଲାଠୁ ବିଦାୟ ନେଇ ସେ ଉଏଦରବେରି ଖମାର ଘର ଆଡ଼କୁ ଚାଲିଲେ ।

ସାମନାକୁ ଚାଲିଆସି ବୋଲ୍ଡ଼୍ଉଡ଼୍ କହିଲେ, ‘‘କିଏ-ସର୍ଜେଣ୍ଟ ଟ୍ରୟ ?’’

‘‘ହଁ ମୁଁ ସର୍ଜେଣ୍ଟ ଟ୍ରୟ ।’’

‘‘ମୁଁ ଉଇଲିୟମ୍ ବୋଲ୍ଡ଼୍ଉଡ଼୍ । ତୁମ ସାଥିରେ ମୋର କଥା ଅଛି ।’’

‘‘କେଉଁ ବିଷୟରେ ?’’

‘‘କୁମାରୀ ଏଭର୍‌ଡ଼ିନ୍‍ଙ୍କ ବିଷୟରେ ଏବଂ ଆଉ ଜଣେ ନାରୀ ବିଷୟରେ, ଯାହା ପ୍ରତି ତୁମେ ଘୋର ଅନ୍ୟାୟ କରିଛ ।’’

‘‘ତୁମର ଏ ଅନଧିକାର ଚର୍ଚ୍ଚା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଉଛି ।’’ ଟ୍ରୟ ଆଗକୁ ପାଦ ବଢ଼ାଇଲେ ।

ବୋଲ୍ଡ଼୍ଉଡ଼୍ ତାଙ୍କ ସାମନାରେ ଠିଆହୋଇ ପଡ଼ି କହିଲେ, ‘‘ତୁମେ ଆଶ୍ଚର୍ଯ୍ୟ ହୁଅ ବା ନହୁଅ, ମୋ କଥା ତୁମକୁ ଶୁଣିବାକୁ ପଡ଼ିବ ।’’

ବୋଲ୍ଡ଼୍ଉଡ଼୍‌ଙ୍କ କଣ୍ଠରେ ଦୃଢ଼ତା । ତାଙ୍କର ବିଶାଳ ଶରୀର ଏବଂ ହାତରେ ମୋଟା ଏକ ଠେଙ୍ଗା ଦେଖି ଟ୍ରୟ ଶଙ୍କିଗଲେ । ଭାବିଲେ ଭଦ୍ରଭାବରେ କଥାବାର୍ତ୍ତା କରିବା ଠିକ୍ ହେବ । ବ୍ୟାଗ୍‌ଟା ଭୂଇଁରେ ଥୋଇଦେଇ କହିଲେ, ‘‘ହେଲା, ମୁଁ ଶୁଣିବାକୁ ରାଜି ଅଛି ।’’

‘‘ଶୁଣ ତା’ହେଲେ । ଫାନିରବିନ୍ ଆଉ ତୁମ ବିଷୟରେ ମୁଁ ଅନେକ କିଛି ଜାଣିଛି । ତୁମର ତାକୁ ବିଭା ହେବା ଉଚିତ ।’’

ଟ୍ରୟ କ’ଣ କହିବାକୁ ଯାଉଥିଲେ; ନିଜକୁ ସମ୍ଭାଳି ନେଇ ସେ କହିଲେ, ‘‘ଆମେ ଏଠି ବସି କଥାବାର୍ତ୍ତା ହେଲେ ଭଲହୁଅନ୍ତା ।’’

 

ଗୋଟେ ଶୁଖିଲା କାଠଗଡ଼ ଉପରେ ଦୁହେଁ ବସିଲେ । ବୋଲ୍ଡ଼୍‍ଉଡ଼୍ ଖୁବ୍‍ ଟାଣରେ କହିଲେ, ‘‘ମୁଁ କୁମାରୀ ଏଭର୍‍ଡ଼ିନ୍‌ଙ୍କୁ ବିଭା ହେବାପାଇଁ ପ୍ରସ୍ତାବ ଦେଇଥିଲି । କିନ୍ତୁ ତୁମେ ଆସି.......’’

 

‘‘ସେ ଜବାବ ଦେଇଥିଲେ ।’’

 

‘‘ତାଠୁ ବଳି । ତୁମେ ଆସି ନଥିଲେ ମୁଁ ନିଶ୍ଚୟ ତାଙ୍କୁ ପାଇଥାନ୍ତି । ତୁମେ ତାଙ୍କୁ ଦେଖି ନଥିଲେ ଫାନିକୁ ବିବାହ କରିଥାନ୍ତ । ମୋ କହିବା କଥା, କୁମାରୀ ଏଭର୍‍ଡ଼ିନ୍‌ଙ୍କୁ ଛାଡ଼, ଫାନିକୁ ବିବାହ କର । ତା’ହେଲେ ମୁଁ ତୁମର ସବୁ ସୁବିଧା କରିଦେବି ।’’

 

‘‘କି ପ୍ରକାର ସୁବିଧା ?’’

 

‘‘ମୁଁ ଏବେ ତୁମକୁ ଭଲ ରକମ ପଇସା ଦେବି । ଭବିଷ୍ୟତରେ ତୁମେ ଯେମିତି ଅଭାବରେ ନପଡ଼, ତାର ବ୍ୟବସ୍ଥା କରିଦେବି । ତୁମ ବ୍ୟାଗ୍ ଧର । ଆଜି ରାତିରେ ଉଏଦରବେରି ଛାଡ଼ି ଚାଲିଯାଅ ! ମୁଁ ତୁମକୁ ପଚାଶ ପାଉଣ୍ଡ ଦେବି । ଫାନିକି ବି ପଚାଶ ପାଉଣ୍ଡ ଦେବି । ସେଥିରେ ସେ ବିବାହ ପାଇଁ ସବୁ ଠିକ୍ କରିବ । ତା ବାହାଘର ଦିନ ସେ ଆଉ ପାଞ୍ଚଶହ ପାଉଣ୍ଡ ପାଇବ ।’’

 

ଟ୍ରୟ ତାଙ୍କ ଆଡ଼କୁ ଏକ ଧୂର୍ତ୍ତ ଚାହାଣୀ ପକାଇ କହିଲେ, ‘‘ମାନୁଛି ମୁଁ ଫାନିକୁ ଖୁବ୍ ଭଲପାଏ ।’’

 

‘‘ଯଦି ଭଲ ପାଅ, ତେବେ ଏଠିକି ଆସି ମୋ ସୁଖ ନଷ୍ଟ କରୁଛ କାହିଁକି ?’’

 

‘‘ମୁଁ ଏବେ ବି ଫାନିକୁ ଅନ୍ତର ଭରି ପ୍ରେମ କରେ; କିନ୍ତୁ ବାଥସେବା ମୋତେ ଉତ୍ତେଜିତ କରି କିଛି ସମୟ ପାଇଁ ଫାନିକୁ ମୋ ମନରୁ ଦୂରେଇ ଦେଇଥିଲେ । ଯାହାହେଉ ସେ ସବୁ ଏଇଠି ଶେଷ ।’’ ହସି ହସି ସେ କହିଲେ, ‘‘ଏକାବେଳକେ ପଚାଶ ପାଉଣ୍ଡ ତୁମେ କହିଲ ନା ?’’

 

‘‘ହଁ, ଏଇ ନିଅ ।’’ ସେ ଟ୍ରୟଙ୍କୁ ଗୋଟେ ପୁଡ଼ିଆ ବଢ଼ାଇ ଦେଲେ ।

 

‘‘ତୁମେ ତ କ’ଣ ପୂରା ପ୍ରସ୍ତୁତ ହୋଇ ଆସିଛ ? ଜଣାଯାଉଛି ମୁଁ ଟଙ୍କାଟା ଗ୍ରହଣ କରିବି ବୋଲି ତୁମେ ନିଶ୍ଚିତ ଥିଲ ।’’ ଏହା କହି ସେ ପୁଡ଼ିଆଟି ନେଲେ ।

 

‘‘ମୁଁ ଭାବିଲି ତୁମେ ହୁଏତ ଗ୍ରହଣ କରିପାର ।’’

 

ଏତିକିବେଳେ ରାସ୍ତାରେ କାହାର ପାଦ ଶବ୍ଦ ଶୁଣାଗଲା । ଚୁପ୍ ଚୁପ୍ କରି ଟ୍ରୟ କହିଲେ, ‘‘ବାଥସେବା । ମୁଁ ଆଜି ରାତିରେ ଆସିବା ଆଶା କରି ସେ ମୋତେ ଭେଟିବାକୁ ଆସୁଛନ୍ତି । ତୁମ ଇଚ୍ଛାନୁସାରେ ମୁଁ ଯାଇ ତାଙ୍କ ସାଥିରେ କଥାବାର୍ତ୍ତା କରି ତାଙ୍କଠୁ ବିଦାୟ ନେଇ ଆସେ ।’’

 

‘‘ତୁମ କଥାବାର୍ତ୍ତାର ପ୍ରତ୍ୟେକ ଶବ୍ଦ ମୁଁ ଶୁଣିପାରିବି ତ ?’’

‘‘ନିଶ୍ଚୟ–ପ୍ରତ୍ୟେକ ଶବ୍ଦ । ତୁମେ ଏଇଠି ତୁନି ହୋଇ ବସ । ମୋ ବ୍ୟାଗ୍‌ଟା ରଖିଥାଅ-।’’

ଟ୍ରୟ ଧୀରେ ହୁଇସିଲ ପରି ଶବ୍ଦ କଲେ । ବାଥସେବାଙ୍କ ସ୍ୱର ଶୁଣାଗଲା, ‘‘କିଏ, ପ୍ରିୟ ଫ୍ରାଙ୍କ୍‍ ?’’

‘‘ହଁ, ମୁଁ ।’’

‘‘ଏତେ ଡେରି ? ମୁଁ ତ ଭାବିଲି ତୁମେ ଆସିବ ନାହିଁ ।’’

‘‘କିନ୍ତୁ ମୁଁ ଆସିବି ବୋଲି ତୁମେ ତ ଜାଣିଥିଲ ।’’

‘‘ହଁ ମୁଁ ଭାବିଲି ତୁମେ ନିଶ୍ଚୟ ଆସିବ । ଭାଗ୍ୟ ଖୁବ୍ ଭଲ । ଘରେ ମୋ ବିନା ଆଉ କେହି ନାହାନ୍ତି । ମୁଁ ତାଙ୍କୁ ରାତିକ ପାଇଁ ବିଦାକରିଦେଇଛି, ତେଣୁ ତୁମେ ଆସିବା କଥା କେହି ଜାଣିବେ ନାହିଁ । କାଲି ସକାଳେ ସେମାନେ ଆସିବା ପୂର୍ବରୁ ତୁମେ ଚାଲିଯିବ ।’’

‘‘ଚମତ୍କାର । ତୁମେ ଶୀଘ୍ର ଘରକୁ ଚାଲିଯାଅ । ମୁଁ ମୋ ବ୍ୟାଗ୍‌ଟା ନେଇ ଆସେ । ଦଶମିନିଟ୍‍ ଭିତରେ ଯାଇ ପହଞ୍ଚିବି ।’’

‘‘ଠିକ୍ ଅଛି,’’ କହି ବାଥସେବା ଫେରି ଚାଲିଗଲେ ।

ଏଇ କଥାବାର୍ତ୍ତା ଶୁଣି ବୋଲ୍ଡ଼୍ଉଡ଼୍ ରାଗରେ ଥରୁଥାନ୍ତି । ମୁହଁ ସାରା ଝାଳରେ ସୁଡ଼ୁବୁଡ଼ୁ । ଟ୍ରୟ ତାଙ୍କ ପାଖକୁ ଫେରି ବ୍ୟାଗ୍‍ଟା ଧରିଲେ । ଥଟ୍ଟା କଲାପରି ସେ ବୋଲ୍ଡ଼୍ଉଡ଼୍‌ଙ୍କୁ କହିଲେ, ‘‘କ’ଣ, ମୁଁ ତାଙ୍କଠୁ ସବୁ ଦିନ ପାଇଁ ବିଦାୟ ନେଇ ଯିବାକୁ ଆସିଛି ବୋଲି ତାଙ୍କୁ କହିବି-?’’

‘‘ନା, ନା, ମିନିଟିଏ ଅପେକ୍ଷାକର । ମୋର ତୁମକୁ ଆଉ କିଛି କହିବାର ଅଛି ।’’ ତା’ପରେ ରୁକ୍ଷ ଚାପା ଗଳାରେ ସେ କହିଲେ, ‘‘ତୁମକୁ ଜୀବନରେ ମାରିଦେବାକୁ ମୋର ମନହେଉଛି ।’’

‘‘ତା ଦ୍ୱାରା ବାଥସେବା ରକ୍ଷା ପାଇ ପାରିବେ ନାହିଁ । ବର୍ତ୍ତମାନ ମୁଁ ତାଙ୍କୁ ବିବାହ ନକଲେ ତାଙ୍କର ରକ୍ଷା କାହିଁ ?’’

ଆହତ ବାଘପରି ଗର୍ଜିଉଠି ବୋଲ୍ଡ଼୍ଉଡ଼୍ କହିଲେ, ‘‘ଶୟତାନ୍‍, ତୁ ମୋର ସର୍ବନାଶ କରିଛୁ । ଅବଶ୍ୟ ବର୍ତ୍ତମାନ ବାଥସେବାଙ୍କ ସୁନାମ ରକ୍ଷା ପାଇଁ ତୁ ତାଙ୍କୁ ବିବାହ କରିବାକୁ ହେବ । ସେ ତତେ ତାଙ୍କର ଦେହ ମନ ସବୁ ବିକି ଦେବେ । ଆହା ବାଥସେବା ! ହତଭାଗିନୀ ନିର୍ବୋଧ ନାରୀ !’’

‘‘କିନ୍ତୁ ଫାନି କଥା ?’’

ନରମିଯାଇ, ବ୍ୟସ୍ତହୋଇ ବୋଲ୍ଡ଼୍ଉଡ଼୍ କହିଲେ, ‘‘ବର୍ତ୍ତମାନ ତୁମେ ଆଉ ବାଥସେବାଙ୍କୁ ଛାଡ଼ି ଯାଇ ପାରିବ ନାହିଁ । ମୁଁ ତୁମ ପାଇଁ ସବୁ କିଛି କରିବି । କେବଳ ତୁମେ ବାଥସେବାଙ୍କୁ ନିରାଶ କର ନାହିଁ ।’’

‘‘ମୁଁ କିନ୍ତୁ ବିବାହ ପାଇଁ ଏତେ ତର ତର ହେଉନାହିଁ । ପ୍ରଥମେ ମୁଁ ମୋ ସେନାବାହିନୀରୁ ଅବ୍ୟାହତି ନେଇ ଆସିବି । ତା’ପରେ–’’

‘‘କିନ୍ତୁ ମୋର ଇଚ୍ଛା ତୁମର ବିବାହ ତୁରନ୍ତ ହୋଇଯାଉ । ସେଟା ତୁମ ଉଭୟଙ୍କ ପକ୍ଷରେ ଭଲ ହେବ । ତୁମେ ପରସ୍ପରକୁ ପ୍ରେମ କର । ତେଣୁ ତୁମେ ମୋତେ ସାହାଯ୍ୟ କରିବାର ସୁଯୋଗ ଦେବ ।’’

‘‘କିପରି ?’’

‘‘ଫାନିକୁ ଯେଉଁ ପାଞ୍ଚଶହ ପାଉଣ୍ଡ ଦେବାର କଥା, ତା ବାଥସେବା ପାଇବେ । ତୁରନ୍ତ ବିବାହର ବ୍ୟବସ୍ଥା କରିପାରିବେ । ସେ କିନ୍ତୁ ମୋଠୁ ଏ ପଇସା ଗ୍ରହଣ କରିବେ ନାହିଁ । ମୁଁ ବିବାହ ଦିନ ତୁମକୁ ତାହା ଦେଇ ଦେବି ।’’

ବୋଲ୍ଡ଼୍ଉଡ଼୍‌ଙ୍କର ଏଇ ପାଶବିକ ଅନୁରକ୍ତି ଦେଖି ଟ୍ରୟ ମନେମନେ ବିସ୍ମିତ ହୋଇଗଲେ । ଟିକିଏ ରହି ସେ କହିଲେ, ‘‘ମୁଁ ବର୍ତ୍ତମାନ କିଛି ପାଇବି ନାହିଁ ?’’

‘‘ହଁ ତୁମେ ଯଦି ଇଚ୍ଛାକର, ତେବେ ମୋ ପାଖରେ ଆଉ ବେଶି ପଇସା ନାହିଁ । ମୁଁ ତ ଏ ପରିସ୍ଥିତି ଆଶା କରି ନଥିଲି ।’’ ନିଦ ବାଉଳାରେ ଉଠିଲା ଲୋକ ପରି ବୋଲ୍ଡ଼୍ଉଡ଼୍ ତାଙ୍କ ପଇସା ମୁଣିଟା ବାହାର କଲେ । ‘‘ମୋ ପାଖରେ ଆଉ ମୋଟେ ଏକୋଇଶ ପାଉଣ୍ଡ ଅଛି; କିନ୍ତୁ ମୁଁ ତୁମକୁ ଛାଡ଼ି ଯିବା ଆଗରୁ ତୁମେ ଗୋଟେ କାଗଜରେ ଦସ୍ତଖତ କରିବ ।’’

‘‘ମୋତେ ପଇସାଟା ଦିଅ ! ଆମେ ବାଥସେବାଙ୍କ ବୈଠକଖାନାକୁ ଯିବା । ସେଠି ତୁମ ଇଚ୍ଛା ଅନୁସାରେ ସବୁ ବ୍ୟବସ୍ଥା କରିବା; କିନ୍ତୁ ସେ ଯେମିତି ଏ ପଇସା ପତ୍ର କାରବାର କଥା ନ ଜାଣନ୍ତି ।’’

‘‘ମୋଟେ ନୁହେଁ ।’’

ସେମାନେ ବାଥସେବାଙ୍କ ଘରଆଡ଼େ ଚାଲିଲେ । ଦରଜା ପାଖରେ ପହଞ୍ଚିଲାରୁ ଟ୍ରୟ କହିଲେ, ‘‘ଏଇଠି ଟିକିଏ ଅପେକ୍ଷା କର ।’’ କବାଟଟା ଦରଆଉଜା କରି ସେ ଭିତରକୁ ଚାଲିଗଲେ-। ବୋଲ୍ଡ଼୍ଉଡ଼୍ ଅପେକ୍ଷା କଲେ । ଦୁଇମିନିଟ୍ ପରେ ଟ୍ରୟ ଗୋଟେ ମହମବତି ହାତରେ ଧରି ଫେରିଲେ । ଗୋଟେ ଭଙ୍ଗାଯାଇଥିବା ଖବରକାଗଜ ସେ ବୋଲ୍ଡ଼୍ଉଡ଼୍‍ଙ୍କୁ ବଢ଼ାଇଦେଲେ । କହିଲେ, ‘‘ମୁଁ ଆଲୁଅ ଦେଖାଉଛି, ଏଇଟା ପଢ଼ ।’’

ବୋଲ୍ଡ଼୍ଉଡ଼୍ ପଢ଼ିଲେ,

‘‘ବିବାହ ।’’

 

‘‘ଏଇ ମାସ ୧୭ ତାରିଖରେ, ବାଥ୍ ସହର ସେଣ୍ଟ ଆମରୋଜ୍ ଗିର୍ଜାରେ, ମାନ୍ୟବର ଜି. ମିନ୍‌କିଙ୍ଗ୍‌ଙ୍କ ଦ୍ୱାରା, ଏକାଦଶ ବାହିନୀର ସର୍ଜେଣ୍ଟ ଟ୍ରୟଙ୍କ ସହିତ କାଷ୍ଟର୍‌ବ୍ରିଜର୍ ମୃତ ଜନ୍ ଏଭର୍‍ଡ଼ିନ୍‍ଙ୍କ କନ୍ୟା ବାଥସେବାଙ୍କର ।’’

 

ବୋଲ୍ଡ଼୍ଉଡ଼୍‌ଙ୍କ ହାତରୁ କାଗଜଟା ଖସିପଡ଼ିଲା । ଥଟ୍ଟା କରି ହସି ହସି ଟ୍ରୟ କହିଲେ, ‘‘ଫାନିକୁ ବିଭାହେବାକୁ ପଚାଶ ପାଉଣ୍ଡ, ପୁଣି ବିଭା ନ ହେବାକୁ ଏକୋଇଶ ପାଉଣ୍ଡ । ଆଉ ବାଥସେବା ? ଶେଷରେ ମୁଁ ବାଥସେବାଙ୍କର ସ୍ୱାମୀ । ଆଉ ପଦେ । ମୁଁ ଖରାପ ଲୋକ । ହେଲେ ବିବାହକୁ କିମ୍ବା କୌଣସି ନାରୀର ଦୁଃଖକୁ ନେଇ ପଇସା କାରବାର କରିବା ଭଳି ଶୟତାନ୍ ମୁଁ ନୁହେଁ । ଫାନି ଅନେକ ଦିନରୁ ମୋତେ ଛାଡ଼ି ଚାଲି ଯାଇଛି । ସେ କେଉଁଠି ମୁଁ ଜାଣେନା । ମୁଁ ସବୁଆଡ଼େ ଖୋଜିଛି । ଆଉ ପଦେ କଥା । ତୁମେ କହୁଛ ତୁମେ ବାଥସେବାଙ୍କୁ ଭଲ ପାଅ; କିନ୍ତୁ ଅତି ସାମାନ୍ୟ ପ୍ରମାଣରୁ ତୁମେ ତାଙ୍କୁ ଅବିଶ୍ୱାସ କଲ । ଏଟା କି ପ୍ରକାର ପ୍ରେମ ? ଏବେ ମୁଁ ତୁମକୁ ଗୋଟେ ଶିକ୍ଷା ଦେଇଛି । ଏଇ ତୁମ ପଇସା ନେଇଯାଅ ।’’

 

‘‘ମୁଁ ନେବି ନାହିଁ ।’’

 

‘‘ମୁଁ କିନ୍ତୁ ତାହା ରଖି ପାରିବି ନାହିଁ ।’’ ଘୃଣା ଆଉ ଅବଜ୍ଞାରେ ଟ୍ରୟ ପଇସା ପୁଡ଼ାଟା ରାସ୍ତା ଉପରକୁ ଫିଙ୍ଗି ଦେଲେ ।

 

ତାଙ୍କ ଆଡ଼କୁ ହାତମୁଠା ଉଞ୍ଚାଇ ବୋଲ୍ଡ଼୍ଉଡ଼୍ କହିଲେ, ‘‘ବଦ୍‌ମାସ, ଶୟତାନ୍ ! ମୁଁ ତୋତେ ଠିକ୍ କରିଦେବି ।’’

 

ଠୋ ଠୋ ହସି ଉଠି କବାଟଟା ଧଡ଼ କରି ବନ୍ଦ କରିଦେଇ ଟ୍ରୟ ଭିତରକୁ ଚାଲିଗଲେ ।

 

ସେ ରାତିସାରା କେହି ଯଦି ଉଏଦରବେରି ରାସ୍ତା ଆଉ ପଡ଼ିଆ ଆଡ଼େ ଦୃଷ୍ଟି ଦେଇଥାନ୍ତା, ଦେଖିଥାନ୍ତା, ମିଷ୍ଟର ବୋଲ୍ଡ଼୍ଉଡ଼୍ ରାତି ସାରା ରାସ୍ତା ଆଉ ପଡ଼ିଆରେ ଗୋଟାଏ ଅଶାନ୍ତ ଭୂତପରି ଘୂରି ବୁଲୁଛନ୍ତି ।

 

ଏକାକିନୀ ନାରୀ

 

ଉଏଦରବେରିରୁ କାଷ୍ଟର୍‍ବ୍ରିଜ୍ ରାସ୍ତାରେ ୟାଲବେରି ପାହାଡ଼ ପଡ଼େ । ଏଠି ରାସ୍ତା ଖୁବ୍ ତେରଛା, ଉଠାଣିଆ । ସେଦିନ ଅକ୍ଟୋବର ମାସ ଶନିବାର । ସନ୍ଧ୍ୟାରେ ବାଥସେବାଙ୍କ ଗାଡ଼ି ଏଇ ପାହାଡ଼ ଉପରକୁ ଉଠୁଥାଏ । ସେ ଗାଡ଼ି ଭିତରେ ବସିଥାନ୍ତି । ଗାଡ଼ି କଡ଼ରେ ଜଣେ ଡେଙ୍ଗା ହୃଷ୍ଟପୁଷ୍ଟ ଲୋକ ଚାଲିଥାଏ । ସେ ବାଥସେବାଙ୍କର ସ୍ୱାମୀ ସର୍ଜେଣ୍ଟ ଟ୍ରୟ । ସେନାବାହିନୀରୁ ଅବ୍ୟାହତି ନେଇ ସେ ଚାଷବାସରେ ଲାଗିଥାନ୍ତି । ଟ୍ରୟ ବଡ଼ ଖର୍ଚ୍ଚୀ ଲୋକ । ସେ ଭଲ ଭଲ ପୋଷାକ ପତ୍ରରେ ବହୁତ ପଇସା ଖର୍ଚ୍ଚ କରନ୍ତି । ଅନେକ ସମୟରେ ପାଖ ଆଖ ଘୋଡ଼ା ଦୌଡ଼କୁ ଯାଆନ୍ତି । ସେଇ ଘୋଡ଼ା ଦୌଡ଼ ବିଷୟରେ ବର୍ତ୍ତମାନ କଥାବାର୍ତ୍ତା ହେଉଥାନ୍ତି ।

 

ମନ ଦୁଃଖରେ ବାଥସେବା କହୁଥାନ୍ତି, ‘‘ଫ୍ରାଙ୍କ୍ ତୁମେ ତା’ହେଲେ ମାସକ ଭିତରେ ଘୋଡ଼ା ଦୌଡ଼ରେ ଶହେ ପାଉଣ୍ଡ ହରାଇ ବସିଛ ? ଏଇଟା ତୁମର ନିର୍ବୋଧତା ଆଉ ନିଷ୍ଠୁରତା । ମୋ ପଇସାଗୁଡ଼ା ଏମିତି ପାଣିରେ ପକାଇ ଦେଉଛ । ଶେଷରେ ଏ କ୍ଷେତ ଖମାର ଆମକୁ ହରାଇବାକୁ ହେବ–ଏଇ ହେବ ଫଳ ।’’

 

ବିରକ୍ତ ହୋଇ ଟ୍ରୟ କହିଲେ, ‘‘ପୁଣି ତ ସେଇ କଥା କହି କାନ୍ଦିଲ । ସେ ତୁମକୁ ସାଜେ-।’’

 

‘‘କିନ୍ତୁ ମୋତେ ଜବାବ ଦିଅ, ତୁମେ ବ୍ରଡ଼୍‍ମାଉଥ୍ ଘୋଡ଼ା ଦୌଡ଼କୁ ଯିବ ନାହିଁ ।’’ ବାଥସେବା ଆଖିର ଲୁହ ରୋଧିବାକୁ ଚେଷ୍ଟା କରୁଥାନ୍ତି ।

 

‘‘କାହିଁକି ନଯିବି ମୁଁ କିଛି କାରଣ ଦେଖି ପାରୁ ନାହିଁ । ବରଂ ପାଗ ଯଦି ଭଲ ହୁଏ, ମୁଁ ଭାବୁଛି ତୁମକୁ ସାଥିରେ ନେଇଯିବି ।’’

 

‘‘କେବେ ନୁହେଁ । ମୁଁ ବରଂ ତା ଓଲଟା ଦିଗରେ ଶହେ ମାଇଲ ଚାଲିଯିବି । ଘୋଡ଼ା ଦୌଡ଼ ନାଁ ଶୁଣିଲେ ମୋ ହାଡ଼ ଜଳି ଉଠେ ।’’

 

‘‘ଏମିତି ବୋକାଙ୍କ ପରି ହୁଅନା । ତୁମର ସେ ସାହସ ସରାଗ ସବୁ କୁଆଡ଼େ ଗଲା ?’’

 

ବାଥସେବାଙ୍କ କଳା ଆଖି ରାଗରେ ଜଳିଉଠିଲା; କିନ୍ତୁ ସେ କିଛି କହିବା ଆଗରୁ ପାହାଡ଼ ଉପରେ ଜଣେ ସ୍ତ୍ରୀଲୋକ ଦେଖାଗଲା । ଟ୍ରୟ ଗାଡ଼ି ଭିତରକୁ ଯିବାଲାଗି ବାହାରିଲାବେଳକୁ ସ୍ତ୍ରୀଲୋକଟି ତାଙ୍କ ପଛ ପାଖେ ପହଞ୍ଚିଗଲା । ତାର ଛିଣ୍ଡା ମଇଳା ଲୁଗାପଟା ଆଉ ମୁହଁରେ ଗଭୀର ଦୁଃଖର ଛାୟା ବାଥସେବାଙ୍କ ଆଖିରେ ପଡ଼ିଲା । ଟ୍ରୟଙ୍କ ପଛପାଖରୁ ସ୍ତ୍ରୀଲୋକଟି ପଚାରିଲା, ‘‘କାଷ୍ଟର୍‍ବ୍ରିଜ୍ ଅନାଥାଶ୍ରମ ରାତିରେ କେତେବେଳେ ବନ୍ଦହୁଏ ଆଜ୍ଞା ?’’

 

ନାରୀର କଣ୍ଠସ୍ୱରରେ ଟ୍ରୟ ଚମକି ପଡ଼ିଲେ । ସେ ତା’ଆଡ଼କୁ ନଚାହିଁ ଉତ୍ତର ଦେଲେ ‘‘ମୁଁ ଜାଣେନା ।’’

 

ଟ୍ରୟଙ୍କ କଥା ଶୁଣି ନାରୀଟି ମୁହଁ ଟେକି ତାଙ୍କ ମୁହଁକୁ ଚାହିଁଲା । କୃଷକର ପୋଷାକ ଭିତରୁ ସେ ସୈନିକ ଟ୍ରୟଙ୍କୁ ଚିହ୍ନିପାରିଲା । ମୁହଁରେ ତାର ଆନନ୍ଦ ଓ ବିଷାଦର ଚିହ୍ନ । ହଠାତ୍ ସେ ଗୋଟାଏ ଚିତ୍କାର କରି ତଳେ ପଡ଼ିଗଲା ।

 

‘‘ଆହା ବିଚାରୀ’’ କହି ବାଥସେବା ଗାଡ଼ିରୁ ଓହ୍ଲାଇବାକୁ ଯାଉଥିଲେ । ଟ୍ରୟ ଚଟ୍ କରି କହିପକାଇଲେ, ‘‘ତୁମେ ଥାଅ, ଘୋଡ଼ାଟାକୁ ଦେଖ ।’’ ଲଗାମ୍‍ ଆଉ ଚାବୁକ୍‍ ବାଥସେବାଙ୍କୁ ବଢ଼ାଇ ଦେଇ ପୁଣି କହିଲେ, ‘‘ତୁମେ ପାହାଡ଼ ଉପରକୁ ଗାଡ଼ିଟା ନେଇଯାଅ । ମୁଁ ସେ ସ୍ତ୍ରୀଲୋକକୁ ଦେଖୁଛି-।’’

 

ବାଥସେବା ଗାଡ଼ିନେଇ ଆଗକୁ ଚାଲିଗଲେ । ଟ୍ରୟ ନାରୀଟି ପାଖକୁ ଆସି ତାକୁ ତଳୁ ଉଠାଇ କହିଲେ, ଫାନି, ‘‘ତୁମେ’ ଏଠିକି ଆସିଲ କିପରି ? ମୁଁ ତ ଭାବିଲି ତୁମେ କାହିଁ କେତେ ଦୂରରେ, କିମ୍ୱା ଆଉ ପ୍ରାଣରେ ନାହଁ । ମୋ ପାଖକୁ ଚିଠି ଦେଲ ନାହିଁ କାହିଁକି’’ ?

 

‘‘ମୋତେ ଭୟ ଲାଗିଲା ।’’

 

‘‘ତୁମ ପାଖରେ କିଛି ପଇସା ପତ୍ର ଅଛି ?’’

 

‘‘କିଛି ନାହିଁ ।’’

 

‘‘ହେ ଭଗବାନ୍ ! ହେଲେ କିଛି ଥାଆନ୍ତା–ତୁମକୁ ଦେଇଥାନ୍ତି । ମୋତେ ମୋ ସ୍ତ୍ରୀ ଯାହା ପଇସା ଦିଅନ୍ତି ସେତିକି । ମୁଁ ବର୍ତ୍ତମାନ ତାଙ୍କୁ ଆଉ ମାଗି ପାରିବି ନାହିଁ ।’’

 

ନାରୀଟି କିଛି ଉତ୍ତର ଦେଲା ନାହିଁ । ଟ୍ରୟ ପୁଣି କହିଲେ, ‘‘ମୋର ଆଉ ବେଶି ସମୟ ନାହିଁ । ତୁମେ ଏବେ କୁଆଡ଼େ ଯିବ–କାଷ୍ଟର୍‍ବ୍ରିଜ୍ ଅନାଥାଶ୍ରମକୁ ?’’

 

‘‘ହଁ ଭାବୁଛି ସେଇଠିକି ଯିବି’’

 

‘‘ଆଜି ରାତିରେ ମୁଁ ତୁମପାଇଁ କିଛି ବ୍ୟବସ୍ଥା କରି ପାରିବିନାହିଁ । ତୁମେ ଆଜି ରାତି ସେଠିକି ଯାଇ ଶୋଇପଡ଼ । କାଲିକ ସେଠି ରହିଯିବ । ସୋମବାର ଦିନ ମୋତେ ଫୁରୁସତ୍ ମିଳିବ-। ସେଦିନ ସକାଳ ଦଶଟାବେଳେ ସହର ତଳି କାଷ୍ଟର୍‍ବ୍ରିଜ୍ ପାଖରେ ମୋତେ ଭେଟିବ । ମୁଁ ଯେତେ ସୁବିଧା ହବ ସେତେ ପଇସା ନେଇ ଆସିବି । ତା’ପରେ ତୁମ ପାଇଁ କେଉଁଠି ଗୋଟେ ଘର ଯୋଗାଡ଼ କରିଦେବି । ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅ, ମୁଁ ଗୋଟେ ଅଧମ ପଶୁ ।’’

 

ପାହାଡ଼ ଉପରେ ଗାଡ଼ି ରଖି ବାଥସେବା ପଛକୁ ଚାହିଁଲେ । ନାରୀଟି ସେତେବେଳକୁ ଉଠି ଠିଆ ହୋଇଥାଏ । ବାଥସେବା ଦେଖିଲେ, ସେ ଟ୍ରୟଙ୍କଠାରୁ ମୁହଁ ବୁଲାଇ ପାହାଡ଼ ତଳଆଡ଼କୁ ଚାଲିଲା, ତା’ପରେ ଟ୍ରୟ ଫେରି ଆସିଲେ । ବାଥସେବାଙ୍କ ହାତରୁ ଲଗାମ୍‌ଟା ନେଇ କିଛି ପାଟି ନ ଫିଟାଇ ସେ ଘୋଡ଼ାକୁ ଚାବୁକ୍ ପାହାର ଦେଲେ । ଘୋଡ଼ା ଜୋରରେ ଚାଲିଲା । ଟ୍ରୟ ନିଶ୍ଚିତଭାବେ ବିବ୍ରତ ହୋଇପଡ଼ିଥାନ୍ତି ।

 

ଟ୍ରୟଙ୍କ ମୁହଁକୁ ନିରେଖି ଚାହିଁ ବାଥସେବା ପଚାରିଲେ, ‘‘ସେ ସ୍ତ୍ରୀ ଲୋକଟି କିଏ ତୁମେ ଜାଣ ?’’

 

‘‘ହଁ ।’’

 

‘‘ମୁଁ ସେଇଆ ଅନୁମାନ କରୁଥିଲି । ସେ କିଏ ?’’

 

‘‘ତୁମ ମୋ ସହିତ ତାର କିଛି ସମ୍ୱନ୍ଧ ନାହିଁ । ମୁଁ ଖାଲି ଆଗରୁ ଦେଖିଥିଲି ।’’

 

‘‘ତା ନାଁ କ’ଣ ?’’

 

‘‘ସେ କଥା ମୁଁ ଜାଣିବି କେମିତି ? ନାଁ’’

 

‘‘ମୁଁ ଭାବୁଛି ତୁମେ ଜାଣ ।’’

 

‘‘ଯାହା ଭାବିବାର ଭାବୁଥାଅ, ମୋର ସେଥିଲାଗି ଖାତିର ନାହିଁ ।’’ ସେ ଘୋଡ଼ାଟାକୁ ଜୋରରେ ପିଟିଲେ, ଆଉ ଘୋଡ଼ାଟା ଛୁଟିଚାଲିଲା । ଆଉ କି କଥାବାର୍ତ୍ତା ନାହିଁ ।

 

ଏଣେ ସ୍ତ୍ରୀ ଲୋକଟି କାଷ୍ଟର୍‍ବ୍ରିଜ୍ ଆଡ଼କୁ ଚାଲିଲା । ଆସ୍ତେ ଆସ୍ତେ ତା ପାଦ ଦୁର୍ବଳ ଆଉ ଧୀର ହୋଇଗଲା । ଶେଷରେ ସେ ଆଉ ଚାଲି ପାରିଲା ନାହିଁ । ଗୋଟାଏ କ୍ଷେତର ଫାଟକ ଖୋଲି ଏକ ଘାସଗଦା, ଦେଖି ତା’ଉପରେ ବସୁ ବସୁ ସେ ଶୋଇପଡ଼ିଲା । କିଛି ସମୟ ପରେ ତା ହାତରେ କଅଁଳ ଆଉ ଉଷୁମ କିଛି ଜିନିଷ ବାଜିଲା । ତା ନିଦ ଭାଙ୍ଗିଗଲା । ସେ ଦେଖିଲା ଗୋଟେ କୁକୁର ତା ହାତ ଚାଟୁଛି । ବେଶ୍ ବଡ଼ କୁକୁରଟାଏ । ପ୍ରାୟ ଦୁଇ ଫୁଟ ଉଚ୍ଚ ହେବ । ନାରୀଟିର ମନରେ ଗୋଟେ ଭାବନା ଆସିଲା । ଭାବିଲା କୁକୁରର ସାହାଯ୍ୟ ନେଇ କାଷ୍ଟର୍‍ବ୍ରିଜ୍ ଯାଇପାରନ୍ତା-। ସେ କାଷ୍ଟର୍‍ବ୍ରିଜ୍ ଆଡ଼କୁ ଠାରି ଦେଖାଇଲା । କୁକୁରଟି ତା କଥା ବୁଝିଲା ପରି ଜଣାଗଲା । ସେ ସେଇ ଆଡ଼କୁ ଦୌଡ଼ିଲା । ତା’ପରେ ଦେଖିଲା ନାରୀଟି ତା ପଛରେ ଚାଲିପାରୁ ନାହିଁ । ସେ ଫେରିଆସି କୁଁ କୁଁ ହେଲା । ବହୁ କଷ୍ଟରେ ଉଠି ନାରୀଟି ତା ସରୁ ସରୁ ହାତ ଦୁଇଟି କୁକୁର କାନ୍ଧ ଉପରେ ଥୋଇ ତା ଉପରେ ଲଦିହେଲା । କୁକୁରଟି ଧୀରେ ଧୀରେ ଆଗକୁ ଚାଲିଲା । ନାରୀଟି କୁକୁର ଉପରେ ପୂରା ଭରା ଦେଇ ତା ସାଙ୍ଗରେ ଚାଲିଲା ।

 

ଖୁବ୍ ଧୀରେ ଧୀରେ ସେମାନେ ସହର ସୀମାରେ ପହଞ୍ଚିଲେ । ଆଗରେ କାଷ୍ଟର୍‍ବ୍ରିଜ୍ ସହରର ଆଲୁଅ । ସେମାନେ ବାଁ ପାଖର ଗୋଟେ ନିର୍ଜନ ଗଳି ରାସ୍ତା ଦେଇ ଶେଷରେ ଲକ୍ଷ ସ୍ଥଳରେ ପହଞ୍ଚିଲେ । ଅନାଥାଶ୍ରମ ଗୋଟେ ପୁରୁଣା ପଥର ଘର । ଚାରି ପାଖରେ ପଥର କାନ୍ଥ । କାନ୍ଥ ଦେହରେ ଗୋଟେ ଫାଟକ । ଫାଟକ ଦେହରେ ଘଣ୍ଟି ବଜାଇବା ପାଇଁ ଗୋଟେ ତାର । ନାରୀଟି ଆଣ୍ଠେଇ ପଡ଼ି ବହୁକଷ୍ଟରେ ତାରଟାକୁ ଟାଣିଦେଲା । ତା’ପରେ ସେ ମେଞ୍ଚାହୋଇ ତଳେ ପଡ଼ିଗଲା ।

 

ଘରଭିତରେ ଶବ୍ଦ ଶୁଣାଗଲା । ତା’ପରେ ସେଇ ବଡ଼ ଫାଟକ ପାଖରେ ଥିବା ଗୋଟେ ଛୋଟ ଦରଜା ଖୋଲିଲା । ଜଣେ ଲୋକ ଆସି ଲୁଗା ଗଦା ପରି କ’ଣ ଦେଖି ଫେରିଗଲା । ତା’ପରେ ଦୁଇଜଣ ସ୍ତ୍ରୀ ଲୋକଙ୍କୁ ସାଥିରେ ଧରି ପୁଣି ଆସିଲା । ସେମାନେ ବିଚାରୀ ନାରୀଟିକୁ ଟେକି କବାଟ ପାରିହୋଇ ଚାଲିଗଲେ । ଲୋକଟା ଦରଜାଟା ବନ୍ଦ କରିଦେଲା ।

 

ଜଣେ ସ୍ତ୍ରୀ ଲୋକ କହିଲା, ‘‘ସେ ଏଠିକି ଆସିଲା କେମିତି ?’’

 

‘‘ଭଗବାନ୍ ଜାଣନ୍ତି ।’’ ଅନ୍ୟ ଜଣକ ଉତ୍ତର ଦେଲା ।

 

ଶ୍ରାନ୍ତ କ୍ଳାନ୍ତ ନାରୀଟି କହିଲା, ‘‘ବାହାରେ ଗୋଟିଏ କୁକୁର ଥିଲା–ସେ କୁଆଡ଼େ ଗଲା ? ସେ ମୋତେ ସାହାଯ୍ୟ କରିଛି ।’’

 

‘‘ମୁଁ ତାକୁ ତଡ଼ି ଦେଇଛି ।’’ ପୁରୁଷ ଜଣକ କହିଲା ।

 

ସମସ୍ତେ ଧୀରେ ଧୀରେ ଆଗକୁ ଯାଇ ଘରଭିତରେ ପଶିଲେ ।

 

ଫାନିକୁ ଅଣାଗଲା

 

ସେଦିନ ରାତିସାରା ବାଥସେବା ତାଙ୍କ ସ୍ୱାମୀଙ୍କୁ ବିଶେଷ କିଛି କହିଲେ ନାହିଁ । ସେ ମଧ୍ୟ କିଛି କଥାବାର୍ତ୍ତା କଲେ ନାହିଁ । ତା ପରଦିନ ରବିବାର । ସେ ଦିନଟି ମଧ୍ୟ ସେଇପରି କଟିଗଲା-। ବାଥସେବା ସକାଳେ ଏବଂ ଉପର ବେଳା ଗିର୍ଜାକୁ ଗଲେ । ସନ୍ଧ୍ୟାବେଳକୁ ହଠାତ୍ ଟ୍ରୟ କହିଲେ, ‘‘ବାଥସେବା, ମୋତେ କୋଡ଼ିଏ ପାଉଣ୍ଡ ଦେଇପାରିବ ?’’ ତାଙ୍କ ମୁହଁରେ ଅସାଧାରଣ ବ୍ୟଗ୍ରତାର ଚିହ୍ନ ।

 

‘‘କୋଡ଼ିଏ ପାଉଣ୍ଡ ? କାହିଁକି ?’’

 

ଟ୍ରୟ ଟିକିଏ ଏପଟ ସେପଟ ହେଲେ । ବର୍ତ୍ତମାନ ବାଥସେବାଙ୍କ ପ୍ରତି ତାଙ୍କର ସେତେ ଗାଢ଼ ପ୍ରେମ ଆଉ ନଥିଲା । ତଥାପି ସେ ଭାବିଲେ ଗଣ୍ଡଗୋଳ ନକରି କାମ ହାସଲ କରିବା ଭଲ । ସେ ଧୀରେ କହିଲେ, ‘‘ତୁମର ମୋତେ ଏତେ ସନ୍ଦେହ କରିବାଟା କ’ଣ ଭଲ ?’’

 

‘‘ମୁଁ ଯେତେବେଳେ ପଇସାଟା ଦେବି ମୋର ଟିକିଏ ପ୍ରତିବାଦ କରିବାର ଅଧିକାର ନିଶ୍ଚୟ ଅଛି ।’’

 

‘‘ହେଲା, ପ୍ରତିବାଦ ତ କରି ସାରିଲ–ଏଥର ବୋଧହୁଏ ଏ ପଇସାଟା ଦେବ । ବାଥସେବା, ଥଟ୍ଟା ତାମସାଟା ବଡ଼ ମଜା, କିନ୍ତୁ ସୀମା ବାହାରକୁ ଯାଅନାହିଁ । ବେଳେ ବେଳେ ମୋର ମନେହୁଏ, ତୁମେ ମୋତେ ଘୃଣା କରୁଛ ।’’

 

‘‘ତୁମକୁ ନୁହେଁ, ତୁମର ଦୋଷକୁ । ମୁଁ ନିଶ୍ଚୟ ତାକୁ ଘୃଣାକରେ ।’’

 

‘‘ତୁମେ ସେ ଦୋଷଗୁଡ଼ାକ ଦୂରକରିବାକୁ ଚେଷ୍ଟାକଲେ ଭଲହୁଅନ୍ତା । ଆସ, ମୋତେ କୋଡ଼ିଏ ପାଉଣ୍ଡ ଦେଇଦିଅ । ଆମେ ବେଶ୍ ଖୁସିରେ ଚଳିବା ।’’

 

ସାମାନ୍ୟ ଚିନ୍ତିତା ହୋଇ ବାଥସେବା କହିଲେ, ‘‘ନେବାକୁ ଯଦି ତୁମର ଏତେ ଜିଦ୍, ଏଇ ନିଅ ।’’

 

‘‘ଧନ୍ୟବାଦ । କାଲି ସକାଳେ ଜଳଖିଆ ଖାଇବା ଆଗରୁ ମୁଁ ବୋଧହୁଏ ବାହାରିଯିବି ।’’

 

ଦୀର୍ଘଶ୍ୱାସ ପକାଇ ବାଥସେବା କହିଲେ, ‘‘ପୁଣି ସେଇ ଘୋଡ଼ାଦୌଡ଼କୁ ?’’

 

‘‘ହଁ ।’’ ଖୁବ୍ ଛୋଟ ଉତ୍ତର ଦେଲେ ଟ୍ରୟ । କହୁ କହୁ ସେ ତାଙ୍କ ଘଣ୍ଟା ଦେଖିଲେ । ତା’ପରେ କିଛି ନଭାବି ଘଣ୍ଟା ଖୋଳଟା ଖୋଲିଦେଲେ । ତା’ଭିତରେ ଥିଲା ଛୋଟ ବାଳ କେରାଟିଏ-

 

ଦୁଃଖ ଆଉ ବିସ୍ମୟରେ ପାଚିଯାଇ ବାଥସେବା କହିଲେ, ‘‘କୌଣସି ନାରୀର ବାଳ ! ଫ୍ରାଙ୍କ୍ କହ କାହାର ବାଳକେରା ?’’

 

ଖୋଳଟାକୁ ସାଙ୍ଗେ ସାଙ୍ଗେ ବନ୍ଦ କରି ଦେଇ ଟ୍ରୟ କହିଲେ, ‘‘କାହିଁକି–ତୁମ ବାଳ–ଆଉ କାହାର ହୋଇପାରେ ?’’

 

‘‘କିନ୍ତୁ ମୋ ବାଳ ତ ସାମାନ୍ୟ ହଳଦିଆ ରଙ୍ଗର । କହ ଏ କାହାର ? ମୁଁ ଜାଣିବାକୁ ଚାହେଁ ।’’

 

‘‘ହେଲା, ମୁଁ କହିବି–ସେଥିଲାଗି ଏତେ ପାଟି କାହିଁକି ? ଶୁଣ, ତୁମ ସାଥିରେ ଦେଖା ହେବା ଆଗରୁ ମୋର ଆଉ ଜଣେ ତରୁଣୀଙ୍କୁ ବିଭା ହେବାର ଥିଲା । ଏ ତାଙ୍କରି ବାଳକେରା ।’’

 

‘‘ମୋତେ ତା ନାଁ କହ ।’’

 

‘‘ତା ମୁଁ କରି ପାରିବି ନାହିଁ ।’’

 

‘‘ସେ ବିଭା ହେଲାଣି ?’’

 

‘‘ନାଁ ।’’

 

‘‘ସେ କ’ଣ ସୁନ୍ଦରୀ ।’’

 

‘‘ହଁ, ଖୁବ୍ ସୁନ୍ଦରୀ । ଲୋକେ ବଳେ ବଳେ ତା ଆଡ଼କୁ ଚାହୁଁଥିଲେ ।’’

 

ବାଥସେବା ଈର୍ଷାରେ ଜଳିଗଲେ । ତାଙ୍କ ଆଖିରେ ଲୁହ ପୂରିଗଲା । ସେ କହିଉଠିଲେ, ‘‘ତୁମକୁ ପ୍ରାଣଭରି ଭଲପାଇ ମୁଁ ଏଇଆ ପାଇଲି । ତୁମ ପାଇଁ ମୁଁ ଜୀବନ ଦେଇଥାନ୍ତି; କିନ୍ତୁ ଏବେ ଦେଖୁଛି, ତୁମେ ଆଉ ଜଣେ ନାରୀକୁ ଏତେ ଭଲପାଉଥିଲ ଯେ ତା ବାଳ କେରାକ ଏବେ ବି ସାଇତି ରଖିଛ । ତାକୁ ପୋଡ଼ିଦିଅ ଫ୍ରାଙ୍କ୍, ପୋଡ଼ି ଦିଅ ।’’

 

‘‘ମୋତେ ବିବାହ କରି ତୁମେ ଯଦି ଅନୁତାପ କରୁଛ, ତେବେ ମୁଁ ବି ଅନୁତାପ କରୁଛି । ଅନ୍ୟ ପ୍ରତି ମଧ୍ୟ ମୋର କର୍ତ୍ତବ୍ୟ ଅଛି । ତୁମ ପ୍ରତି ମୋର କର୍ତ୍ତବ୍ୟଠୁ ସେ ଗୁରୁତର । ସେ ବନ୍ଧନ ତୁମେ ଜାଣନା ।’’

 

‘‘ବନ୍ଧନ ? ସେଇ ଯେଉଁ ନାରୀକୁ ଆମେ ଭେଟିଥିଲେ ଏ କ’ଣ ତାରି ବାଳ ?’’

‘‘ହଁ । ଏଥର ବୋଧହୁଏ ତୁମେ ସନ୍ତୁଷ୍ଟ ହେଲ ।’’ ଠୋ କରି କଥାଟା କହିଦେଇ ଟ୍ରୟ ଘର ଭିତରୁ ଚାଲିଗଲେ ।

 

ଘୋର ଦୁଃଖରେ ବାଥସେବାଙ୍କ ଆଖିର ଲୁହ ଶୁଖିଗଲା । ସେ ଆଜି ହାରିଯାଇଛନ୍ତି; କିନ୍ତୁ ବଞ୍ଚିଥିବା ଯାଏ ସେ ପରାଜୟ ମାନି ନେବାକୁ ପ୍ରସ୍ତୁତ ନୁହଁନ୍ତି । ସେ ଅନ୍ତରର ଭାବକୁ ଚାପି ରଖିବାକୁ ସଂକଳ୍ପ କଲେ ।

 

ପରଦିନ ସକାଳେ ସେ ଖୁବ୍ ଚଞ୍ଚଳ ଉଠିଲେ । ଘୋଡ଼ାରେ ବସି କ୍ଷେତ ଚାରିଆଡ଼େ ବୁଲି ଆସିବାକୁ ଗଲେ । ସାଢ଼େ ଆଠଟାବେଳକୁ ଫେରି ଶୁଣିଲେ, ତାଙ୍କ ସ୍ୱାମୀ ଗାଡ଼ିଧରି କାଷ୍ଟର୍‍ବ୍ରିଜ୍ ଚାଲିଗଲେଣି । ଜଳଖିଆ ଖାଇସାରି ସେ ଚାଲି ଚାଲି ଫାଟକ ଆଡ଼କୁ ଗଲେ । ଦେଖିଲେ ଦୂରରୁ ବୋଲ୍ଡ଼୍ଉଡ଼୍ ଆସୁଛନ୍ତି । ମନଦୁଃଖରେ ଠିଆହୋଇ ସେ ତାଙ୍କୁ ଲକ୍ଷ୍ୟ କଲେ । ବୋଲ୍ଡ଼୍ଉଡ଼୍ ଗାବ୍ରିଏଲ୍ ଓକ୍ ସାଥିରେ କଥାବାର୍ତ୍ତା ହେବାପାଇଁ ଅଟକି ଗଲେ । ଅନେକ ବେଳଯାଏ ସେମାନେ କଥାବାର୍ତ୍ତା ହେଲେ ।

 

ଜାନ୍ କୋଗାନ୍ ଆସି ସେଠି ପହଞ୍ଚିଲା । ଗୋଟେ ଠେଲାଗାଡ଼ିରେ ଆତ ଧରି ସେ ବାଥସେବାଙ୍କ ଘରକୁ ଯାଉଥାଏ । ବୋଲ୍ଡ଼୍ଉଡ଼୍ ଆଉ ଗାବ୍ରିଏଲ୍ ତାକୁ ଡାକି କ’ଣ କଥାବାର୍ତ୍ତା କଲେ । ତା’ପରେ ସେମାନେ ଚାଲିଗଲେ । ଜାନ୍ ଗାଡ଼ି ଠେଲି ଆଗକୁ ଚାଲିଲା ।

 

ଜାନ୍ ପାଖକୁ ଆସିଲାରୁ ବାଥସେବା ପଚାରିଲେ, ‘‘ଖବର କ’ଣ ଜାନ୍ ?’’

 

‘‘ତୁମେ ଆଉ ଫାନିରବିନ୍‍କୁ ଦେଖିବ ନାହିଁ ମା । ସେ କାଲି ଅନାଥାଶ୍ରମରେ ମରିଗଲା-।’’

 

‘‘ଫାନି ମରିଗଲା ? କିପରି ?’’

 

‘‘ମୁଁ ଠିକ୍ ଜାଣେନା । ତେବେ ଯେତେଦୂର ବିଶ୍ୱାସ ଦୁର୍ବଳତାରୁ ସେ ମରିଛି । କାଲି ସକାଳେ ତା ଦେହ ଖରାପହେଲା, ଉପରବେଳାକୁ ଶେଷ । ତା ଶବ ଆଣିବା ପାଇଁ ଆଜି ଉପରବେଳା ମିଷ୍ଟର ବୋଲ୍ଡ଼୍ଉଡ଼୍ ଗୋଟେ ଗାଡ଼ି ପଠାଉଛନ୍ତି । କାଲି ତାକୁ ଏଠି ସମାଧି ଦିଆଯିବ-।’’

 

‘‘ମୁଁ ବୋଲ୍ଡ଼୍ଉଡ଼୍‌ଙ୍କୁ ଏକାମ କରିବାକୁ ଛାଡ଼ି ଦେବିନାହିଁ । ମୁଁ ନିଜେ ୟା କରିବି । ଫାନି ମୋ ମାମୁଁଙ୍କ ପାଖରେ ଚାକିରି କରୁଥିଲା, ତେଣୁ ସେ ମୋର । ଆବଶ୍ୟ ମୁଁ ତାକୁ ଦିନେ ଦୁଇଦିନ ପାଇଁ ଦେଖିଛି, ଆଉ ଭଲ ଭାବରେ ମନେ ରଖିନାହିଁ । କେତେବେଳକୁ ତାର ଶବାଧାର ଆଣିବାକୁ ହେବ ?’’

 

‘‘ଉପରଓଳି ତିନିଟାବେଳେ ।’’

 

‘‘ବେଶ୍, ତୁମେ ଗାଡ଼ି ନେଇ ଯିବ । ଗାବ୍ରିଏଲ୍‍କୁ ତୁମ ସାଥିରେ ଯିବାକୁ କହିବ । ଶେଷରେ ବିଚାରୀ ଅନାଥାଶ୍ରମରେ ମଲା । କେତେ ଦିନ ହେଲା ସେ ସେଠି ଥିଲା ? ମୋ ଧାରଣା ଥିଲା ସେ କୁଆଡ଼େ ଦୂରରେ ଅଛି ।’’

 

‘‘ସେ ମୋଟେ ଦିନେ ଦୁଇଦିନ ହେଲା ସେଠିକି ଆସିଥିଲା । ଲୋକେ କହୁଛନ୍ତି ସେ କୁଆଡ଼େ ଏକାଦଶ ଡ୍ରାଗୁନ୍ ବାହିନୀ ପଛେ ପଛେ ଉଏସେକ୍‌ସ ଆରପଟେ ଗୋଟେ ସହର ଯାଏ ଯାଇଥିଲା; କିନ୍ତୁ ଏବେ କେତେ ମାସ ହେଲା ମେଲଚେଷ୍ଟର୍ ସହରରେ ସିଲେଇକାମ କରୁଥିଲା । ସେ ରବିବାର ଦିନ ଅନାଥାଶ୍ରମରେ ପହଞ୍ଚିଥିଲା ।’’

 

ବାଥସେବାଙ୍କ ମୁହଁ ମଲାମଣିଷ ପରି ମଳିନ ପଡ଼ିଗଲା । ବ୍ୟସ୍ତ ହୋଇ ସେ ପଚାରିଲେ, ‘‘ସେ କେତେବେଳେ ଉଏଦରବେରି ବାଟ ଦେଇ ଗଲା ।’’

 

‘‘ଗଲା ଶନିବାର ରାତି ।’’

 

‘‘ଧନ୍ୟବାଦ । ତୁମେ ଏଥର ଯାଅ । ଆଚ୍ଛା କହି ପାରିବ ଫାନିର ମୁଣ୍ଡବାଳର ରଙ୍ଗ କେମିତି ।’’

 

‘‘ଖୁବ୍ ଚିକ୍‌କଣ, ସୁନାପରି ରଙ୍ଗ ।’’

 

ବାଥସେବା ଆହୁରି ମଳିନ ଆଉ ଦୁଃଖିତ ହୋଇ ଘରକୁ ଚାଲିଗଲେ । ସେ ଦିନ ଉପରଓଳି ତିନିଟାବେଳେ ବାଥସେବାଙ୍କ ନୀଳ ରଙ୍ଗର ଗାଡ଼ିଟା ଅନାଥାଶ୍ରମ ପାଖରେ ପହଞ୍ଚିଲା । ଗାଡ଼ି ନେଇଥିଲେ ଗାବ୍ରିଏଲ୍‍ ଆଉ କୋଗାନ୍‍ । ଅଳ୍ପ ସମୟ ପରେ ଦରଜା ଖୋଲିଲା । ଗୋଟେ ସାଦା କାଠର ଶବାଧାର ଆଣି ଦୁଇଜଣ ଲୋକ ଗାଡ଼ି ଉପରେ ଥୋଇଦେଲେ । ଜଣେ ଲୋକ ତା ପକେଟରୁ ଖଣ୍ଡେ ଚକ୍ ବାହାର କରି ଶବାଧାର ଢାଙ୍କୁଣି ଉପରେ କିଛି ଲେଖିଦେଲା । ଗାବ୍ରିଏଲ୍‍ ଘୋଡ଼ା ପିଠିରେ ଚାବୁକ୍ ମାରିଲା, ଆଉ ଶବାଧାର ଧରି ଗାଡ଼ି ଉଏଦରବେରି ଆଡ଼େ ଚାଲିଲା ।

 

ବାଥସେବାଙ୍କ ଘର ପାଖରେ ଗାଡ଼ି ପହଞ୍ଚିଲା । ଗାବ୍ରିଏଲ୍ ଆଉ କୋଗାନ୍ ଶବାଧାରଟା ନେଇ ଗୋଟେ ଛୋଟ କୋଠରୀରେ ରଖିଲେ । କୋଗାନ୍ ଚାଲିଗଲା; କିନ୍ତୁ ଗାବ୍ରିଏଲ୍ ବାଥସେବାଙ୍କୁ ସାନ୍ତ୍ୱନା ଦେବାକୁ ରହିଗଲା । ସେ ଶବାଧାର ଢାଙ୍କୁଣି ଉପର ଚକ୍ ଲେଖାକୁ ଆଉଥରେ ଚାହିଁଲା । ଲେଖାଥିଲା–

 

‘‘ଫାନିରବିନ୍ ଓ ସନ୍ତାନ ।’’

 

ଗାବ୍ରିଏଲ୍ ରୁମାଲଟାଏ ଧରି ଖୁବ୍ ସାବଧାନତା ସହ ଶେଷ ଦୁଇଟି ଶବ୍ଦ ଲିଭାଇ ଦେଲା-। କେବଳ ‘ଫାନିରବିନ୍’ ଶବ୍ଦଯୋଡ଼ିକ ରହିଲା । ତା’ପରେ ସେ ସାମନା ଦରଜା ଦେଇ ନିଃଶବ୍ଦରେ ଘର ଭିତରୁ ବାହାରିଗଲା ।

 

ଫାନିର ପ୍ରତିଶୋଧ

 

ବୈଠକଖାନାରେ ନିଆଁ କୁଣ୍ଡ ପାଖରେ ବାଥସେବା ଏକୁଟିଆ ମନ ଦୁଃଖରେ ବସିଥାନ୍ତି-। ଟ୍ରୟଙ୍କ ପ୍ରତି ତାଙ୍କର ପ୍ରେମ ଊଣା ହୋଇ ନଥାଏ, କିନ୍ତୁ ସନ୍ଦେହର ଛାଇ ସେ ପ୍ରେମକୁ ମଳିନ କରି ଦେଇଥାଏ । ପାଞ୍ଚ ଦଶ ମିନିଟ୍ ପରେ କବାଟରେ ଠକ୍ ଠକ୍‍ ଶବ୍ଦ ଶୁଭିଲା, ଆଉ ଲିଡ଼ି ଘରଭିତରକୁ ଆସିଲା । ଟିକିଏ ଦୋଦୋପାଞ୍ଚ ହୋଇ ସେ କହିଲା, ‘‘ମେରିୟାନ୍ ଗୋଟେ ବିଚିତ୍ର କଥା ଶୁଣି ଆସିଛି, କିନ୍ତୁ ମୁଁ ଭାବୁଛି କଥାଟା ମିଛ ।’’

 

‘‘କି କଥା ?’’

 

‘‘କଥାଟା ଫାନି ବିଷୟରେ । ଉଏଦରବେରି ସାରା ସମସ୍ତେ ଭୁଟ୍ ଭାଟ୍ ହେଉଛନ୍ତି ଯେ....’’ ଲିଡ଼ି ତା ମାଲିକାଣୀଙ୍କ ପାଖକୁ ଆସି ତାଙ୍କ କାନରେ ଫୁସ୍ ଫୁସ୍ କରି କ’ଣ କହିଲା ।

 

ବାଥସେବାଙ୍କର ଗୋଡ଼ଠୁ ମୁଣ୍ଡଯାଏ ଥରିଗଲା । ଉତ୍ତେଜିତ ହୋଇ ସେ କହିଲେ, ‘‘ମୁଁ ଏକଥା ବିଶ୍ୱାସ କରି ପାରୁ ନାହିଁ । ଶବାଧାର ଢାଙ୍କୁଣି ଉପରେ କେବଳ ଗୋଟିଏ ନାଁ ଲେଖା ହୋଇଛି ।’’ ସେ ମୁହଁ ବୁଲାଇ ନିଆଁ ଆଡ଼େ ଚାହିଁଲେ । ଲିଡ଼ି ତାଙ୍କ ମୁହଁର ଭାବ ଦେଖି ପାରିଲା ନାହିଁ । ସେ ଦେଖିଲା ବାଥସେବା ଆଉ କିଛି କଥାବାର୍ତ୍ତା କରୁ ନାହାନ୍ତି । କବାଟଟା ଆସ୍ତେ ବନ୍ଦ କରି ଦେଇ ସେ ସେଠାରୁ ଚାଲିଗଲା ।

 

ଦୁଃଖଭରା ହୃଦୟରେ ବାଥସେବା ହଲ୍‌କୁ ଗଲେ । ସେଠି ଠିଆ ହୋଇ ବିଚାରୀ ଫାନି ପଡ଼ିଥିବା ଘରର ଦରଜାଆଡ଼େ ଚାହିଁଲେ । କପାଳରେ ହାତ ମାରି କହିଲେ, ‘‘ଆହା ବିଚାରୀ ଫାନି-! ତୋ ଗୁପ୍ତ କଥା ହେଲେ ମୋତେ କହିଥାନ୍ତୁ ! ଶବାଧାର ଭିତରେ ଯେ ତୁମେ ଦୁଇଜଣ ଅଛ, ଏ କଥା ସତ ନହେଉ । ଯଦି କ୍ଷଣକପାଇଁ ମୁଁ ତୋତେ ଦେଖିପାରନ୍ତି, ତେବେ ପ୍ରକୃତ କଥା ଜାଣି ପାରନ୍ତି ।’’ ସେ ଟିକିଏ ରହିଯାଇ ପୁଣି କହିଲେ ‘‘ମୁଁ ପ୍ରକୃତ କଥା ନିଶ୍ଚୟ ଜାଣିବି ।’’

 

ସେ ଉଠିଯାଇ କାନ୍ଥଆଲମିରାରୁ ଗୋଟେ ପେଚ୍‍କସ ନେଇଆସିଲେ । ଟିକିଏ ପରେ ଶବାଧାରର ଢାଙ୍କୁଣି ଖୋଲି ସେ ଚମକି ଉଠିଲେ । ଆଖି ଆଗରେ ତାଙ୍କର କୁହୁଡ଼ି ଘୋଟିଗଲା । ଭାବାବେଗରେ ସେ ଥରିଉଠିଲେ । ମନକୁ ମନ କହିଉଠିଲେ, ‘‘ସବୁଠୁ କଦର୍ଯ୍ୟ କଥାଟା ଜାଣିବା ଭଲ ହୋଇଛି । ଏବେ ଘଟଣାଟା ବେଶ୍‍ ପରିଷ୍କାର ଜଣାଗଲା । ଶବାଧାର ଭିତରେ ତାଙ୍କ ଆଖି ଆଗରେ ତାଙ୍କ ସ୍ୱାମୀଙ୍କ ଚରିତ୍ରର ଜ୍ୱଳନ୍ତ ପ୍ରମାଣ । ଏଇଥିପାଇଁ ବିଚାରୀ ଫାନିର ଶେଷରେ ଏ ଦଶା ହେଲା ?

 

ବାଥସେବାଙ୍କ ଅଜଣାରେ ତାଙ୍କ ଆଖିରୁ ଟୋପା ଟୋପା ଲୁହ ଶବ ଦୁଇଟି ପାଖରେ ପଡ଼ିଗଲା । ସେ ଦେଖିଲେ ଫାନିର ମୁହଁ ଉପରେ ତାଙ୍କ ନିଜ ହଳଦିଆ ରଙ୍ଗର ବାଳ କେରାକ । ଟ୍ରୟଙ୍କ ଘଣ୍ଟା ଖୋଳ ଭିତରେ ଥିବା ବାଳ କେରାକ କାହାର ବୁଝିବାରେ ଆଉ ସନ୍ଦେହ ରହିଲା ନାହିଁ-। ସେ ବିଷାଦଭରା ମନରେ ଘର ଭିତରେ ଏପଟ ସେପଟେ ହେଲେ । ଭାବିଲେ ଫାନି ବଞ୍ଚିଥିଲେ ସେ ତାକୁ ରାଗ ଆଉ ଘୃଣା କରିଥାନ୍ତେ; କିନ୍ତୁ ମଲା ଲୋକ ଉପରେ ରାଗ କରିବେ କେମିତି ?’’

 

ଶବାଧାର ପାଖରେ ଆଣ୍ଠେଇ ବସି ହାତରେ ମୁହଁ ଢାଙ୍କି ସେ ଭଗବାନଙ୍କୁ ପ୍ରାର୍ଥନା କଲେ । କେତେ ସମୟ ସେ ସେମିତି ବସି ରହିଲେ ତାଙ୍କୁ ଜଣାନାହିଁ । ସେ କେଉଁଠି ଓ କ’ଣ କରୁଛନ୍ତି କିଛି ତାଙ୍କର ଖିଆଲ ରହିଲା ନାହିଁ । ଘୋଡ଼ାଶାଳ ଦ୍ୱାର ବନ୍ଦ ହେବା ଶବ୍ଦରେ ତାଙ୍କର ଚେତା ଆସିଲା । ଟିକିଏ ପରେ ସାମନା ପାଖ ଦରଜା ଖୋଲିଲା, ପୁଣି ବନ୍ଦ ହେଲା, ହଲ୍‍ ଭିତର ଦେଇ ପାଦ ଶବ୍ଦ ଶୁଭିଲା ଆଉ ଏ ଘରର ଦରଜା ପାଖରେ ତାଙ୍କ ସ୍ୱାମୀ ପହଞ୍ଚିଲେ ।

 

ବିସ୍ମିତ ହୋଇ ଟ୍ରୟ ଚାହିଁ ରହିଲେ । ତାଙ୍କ ଆଖି ଆଗର ଦୃଶ୍ୟ ସହିତ ଫାନି ଯେ ସଂପୃକ୍ତ ସେ କଥା ସେ ମୋଟେ ଭାବି ପାରିଲେ ନାହିଁ । ତାଙ୍କର ଧାରଣା ହେଲା ଏ ଘରର କେହି ମରିଯାଇଛି । ସେ ବ୍ୟସ୍ତ ହୋଇ ପଚାରିଲେ, ‘‘ଘଟଣା କ’ଣ, କିଏ ମରିଗଲା ?’’

 

ବାଥସେବା ଉଠି ଦରଜାଆଡ଼କୁ ଧାଇଁଗଲେ । ଟ୍ରୟଙ୍କୁ ଠେଲିଦେଇ ଚାଲିଯିବାକୁ ବସି କହିଲେ, ‘‘ମୋତେ ଛାଡ଼, ମୁଁ ଏଠି ରହିପାରିବି ନାହିଁ । ମୋ ନିଶ୍ୱାସ ବନ୍ଦ ହୋଇଯାଉଛି ।’’

 

‘‘ନା, ମୁଁ କହୁଛି ରୁହ ।’’ ସେ ବାଥସେବାଙ୍କ ହାତ ଧରି ଘର ଭିତରକୁ ଟାଣିନେଲେ । ସେଇପରି ହାତଧରି ଶବାଧାର ପାଖରେ ପହଞ୍ଚିଲେ । ପାଖରେ ଗୋଟେ ଟେବୁଲ୍ ଉପରେ ମହମବତୀଟାଏ ଜଳୁଥାଏ । ଆଲୁଅଟା ଶବାଧାର ଭିତରେ ମା’ଛୁଆଙ୍କ ଜଡ଼ ଦେହ ଉପରେ ପରିଷ୍କାର ପଡ଼ିଥାଏ । ଟ୍ରୟ ତେଣେ ଚାହିଁଲେ । ତାଙ୍କ ସ୍ତ୍ରୀଙ୍କ ହାତ ଛାଡ଼ିଦେଇ ସେ ନିର୍ଜୀବ ପରି ଠିଆ ହୋଇ ରହିଲେ ।

 

‘‘ତୁମେ ତାକୁ ଜାଣ ?’’–ବାଥସେବା ପଚାରିଲେ ।

 

‘‘ହଁ ।’’

 

‘‘ଏ କ’ଣ ସେଇ ସ୍ତ୍ରୀ ଲୋକ ?’’

 

‘‘ହଁ ।’’ ତାଙ୍କ ମୁହଁରେ ଗଭୀର ଦୁଃଖ ଆଉ ଅବସାଦ ଫୁଟିଉଠିଲା । ଧୀରେ ଧୀରେ ସେ ଶବାଧାର ପାଖେ ଆଣ୍ଠୁମାଡ଼ି ବସିଗଲେ । ଫାନିରବିନ୍‌ର ମଲା ଦେହ ଆଡ଼କୁ ଲଇଁପଡ଼ି ସେ ତା ମୁହଁରେ ଚୁମ୍ୱନ ଦେଲେ ।

 

ଏ ଦୃଶ୍ୟ ବାଥସେବା ସହି ପାରିଲେ ନାହିଁ । ସେ ଟ୍ରୟଙ୍କ ପାଖକୁ ଡେଇଁ ପଡ଼ିଲେ । ତାଙ୍କ ଗଳାରେ ନିଜର ବାହୁ ଛନ୍ଦି ବିକଳରେ କାନ୍ଦି କାନ୍ଦି କହିଲେ, ‘‘ତାକୁ ଛୁଅଁନା ଫ୍ରାଙ୍କ୍ । ମୁଁ ଏହା ସହି ପାରୁନାହିଁ । ତା ଅପେକ୍ଷା ମୁଁ ତୁମକୁ ଅଧିକ ପ୍ରେମ କରେ । ମୋ ମୁହଁରେ ଚୁମ୍ୱନ ଦିଅ ଫ୍ରାଙ୍କ୍, ମୋ ପାଖକୁ ଆସ ।’’

 

ଟ୍ରୟ ତାଙ୍କ ବାହୁ ବନ୍ଧନରୁ ନିଜକୁ ଖସାଇ ନେଇ ତାଙ୍କୁ ଗୋଟେ କଡ଼କୁ ଠେଲି ଦେଇ କହିଲେ, ‘‘ନା, ମୁଁ ତୁମକୁ ଚୁମ୍ୱନ ଦେଇ ପାରିବି ନାହିଁ ।’’

 

‘‘କାହିଁକି ?’’ ବାଥସେବା ନିଜକୁ ଆୟତ୍ତ କରିବାକୁ ଖୁବ୍ ଚେଷ୍ଟା କଲେ । ତାଙ୍କ କଣ୍ଠ ସ୍ୱର ବଡ଼ କ୍ଷୀଣ–ସତେ ଯେମିତି ସେ ପୂରା ବଦଳି ଯାଇଛନ୍ତି ।

 

ଟ୍ରୟ ଉତ୍ତର ଦେଲେ, ‘‘କାରଣ ମୁଁ ନରାଧମ ପିଶାଚର କାମ କରିଛି । ଏଇ ମୃତ ନାରୀର ମୂଲ୍ୟ ମୋ ପାଖରେ ଯାହା ତୁମର ମୂଲ୍ୟ ତା ନଥିଲା, ନାହିଁ ଏବଂ ହେବ ନାହିଁ । ତୁମକୁ ଦେଖିଲା ପରେ ଶୟତାନ୍ ମୋତେ ତୁମ ଆଡ଼କୁ ଟାଣି ନେଇ ନଥିଲେ, ମୁଁ ଏଇ ନାରୀକୁ ବିବାହ କରିଥାନ୍ତି । କିନ୍ତୁ ଏବେ ଆଉ ତା ହୋଇ ପାରିବ ନାହିଁ; ସେ ସମୟ ଚାଲିଯାଇଛି ।’’ ପୁଣି ଫାନି ଆଡ଼କୁ ମୁହଁ ବୁଲାଇ ସେ କହିଲେ, ‘‘କିଛି ମନେକରନା ପ୍ରିୟେ, ଧର୍ମ ଆଖିରେ ତୁମେ ହିଁ ମୋର ଧର୍ମପତ୍ନୀ ।’’

 

ଏ କଥା ଶୁଣି ବାଥସେବା କଇଁ କଇଁ କାନ୍ଦି ଉଠି କହିଲେ, ‘‘ସେ ଯେବେ ତୁମର ଧର୍ମପତ୍ନୀ ତେବେ ମୁଁ କ’ଣ ?’’

 

ନିଷ୍ଠୁର ଭାବରେ ଟ୍ରୟ ଉତ୍ତର ଦେଲେ, ‘‘ତୁମେ ମୋର କିଛି ନୁହଁ । ପୁରୋହିତ ଆଗରେ ଗୋଟାଏ ଲୋକ ଦେଖାଣିଆ ଆଡ଼ମ୍ୱର ବିବାହ ନୁହେଁ । ନୈତିକତା ଦୃଷ୍ଟିରୁ ମୁଁ ତୁମର କେହି ନୁହେଁ-।’’

 

ବାଥସେବାଙ୍କର ମନେ ହେଲା ସେଠୁ ପଳାଇ ଯାଇ କେଉଁଠି ଲୁଚି ଯାଆନ୍ତେ । ଆଉ ପଦେ ହେଲେ ନକହି ସେ ଦୌଡ଼ି ପଳାଇଲେ ।

 

ରାତିସାରା ଅନ୍ଧାରୁଆ ରାସ୍ତାରେ ବାଥସେବା ଘୂରି ବୁଲିଲେ । କୁଆଡ଼େ ଯାଉଛନ୍ତି ତାଙ୍କୁ ଜଣା ନାହିଁ । ବେଳେ ବେଳେ ବିଶ୍ରାମ ନେବାପାଇଁ ରାସ୍ତା କଡ଼ରେ ବସି ଯାଉଛନ୍ତି । ରାତିରେ ତାଙ୍କୁ ନିଦ ହୋଇଛି କି ନାହିଁ ସେ ଜାଣି ନାହାନ୍ତି । ବଡ଼ିସକାଳୁ ଲିଡ଼ି ଆସି ଦେଖିଲା ସେ ଗୋଟେ ଗଛ ତଳେ ବସିଛନ୍ତି । କୁହୁଡ଼ି ଯୋଗୁ ତାଙ୍କ ଦେହ ପରିଷ୍କାର ଦେଖାଯାଉନଥାଏ । ତା ତରୁଣୀ ମାଲିକାଣୀଙ୍କ ସୁନ୍ଦର ଅଥଚ ମଳିନ କ୍ଳାନ୍ତ ମୁହଁକୁ ଚାହିଁ ତା’ଆଖିରେ ଲୁହ ପୂରିଗଲା । ପାଖକୁ ଯାଇ ସେ କହିଲା, ‘‘ଘରକୁ ଚାଲ ମା ।’’

 

‘‘ମିଷ୍ଟର ଟ୍ରୟ ଘରେ ଅଛନ୍ତି !’’

 

‘‘ନା, ମୁଁ ଆସିବା ଆଗରୁ ସେ କୁଆଡ଼େ ବାହାରିଗଲେ ।’’

 

‘‘ଫାନିକୁ ନିଆଗଲାଣି ?’’

 

‘‘ହଁ, ମୁଁ ଆସିଲାବେଳକୁ ତାକୁ ନେଉଥିଲେ ।’’

 

ଦୀର୍ଘଶ୍ୱାସ ପକାଇ ବାଥସେବା କହିଲେ, ‘‘ତା’ହେଲେ ଘରକୁ ଯିବା ।’’

 

ଘରେ ପହଞ୍ଚିଲା ପରେ ବାଥସେବା ଉପର ମହଲାରେ ତାଙ୍କ ଶୋଇବା ଘରକୁ ଯାଇ କବାଟ ବନ୍ଦ କରିଦେଲେ । କିନ୍ତୁ ତାର ଆବଶ୍ୟକତା ନଥିଲା, କାରଣ ସେ ଦିନସାରା ଟ୍ରୟଙ୍କର ଆଉ ଦେଖାନାହିଁ । ଅନ୍ଧାର ହେଲା । ଲିଡ଼ି ଗୋଟେ ଆଲୁଅ ଧରି ଘର ଭିତରକୁ ଆସି କହିଲା, ‘‘କ୍ଷମା କରିବ, ଆଲୁଅ ଆଣିବାରେ ମୋର ଡେରି ହୋଇଗଲା । ମୁଁ ଗିର୍ଜା ଆଡ଼େ ଯାଇଥିଲି । କାଷ୍ଟର୍‍ବ୍ରିଜ୍‌ରୁ ଦୁଇଜଣ ଲୋକ ଆସି ଫାନିର କବର ଉପରେ ଗୋଟେ ସମାଧି କରିଦେଇ ଗଲେ । ମୁଁ ଦେଖିବାପାଇଁ ସେଠିକି ଯାଇଥିଲି ।’’

 

‘‘ସମାଧି ପଥର ଉପରେ କ’ଣ ଲେଖାଯାଇଛି ତୁ ଦେଖିଛୁ ?’’

 

‘‘ନା, ତେବେ କାଲି ସକାଳେ ଆମେ ଗିର୍ଜା ଆଡ଼େ ଯାଇ ଦେଖି ପାରିବା ।’’

 

ସେ ରାତିରେ ବାଥସେବାଙ୍କୁ ଭଲ ନିଦ ହେଲା ନାହିଁ । ସେ ବଡ଼ିସକାଳୁ ଉଠି ପଡ଼ିଲେ । ଆଠଟା ବେଳକୁ ଲିଡ଼ି ଜଳଖିଆ ନେଇ ଆସି ଜଣେଇଲା ଟ୍ରୟ ଫେରି ନାହାନ୍ତି । ବାଥସେବା କିଛି ସମୟ ପାଇଁ ଆଶ୍ୱସ୍ତ ହେଲେ । ତାଙ୍କ ସ୍ୱାମୀଙ୍କୁ ଭେଟିବାର ଭୟ ରହିଲା ନାହିଁ । ଜଳଖିଆ ଖାଇ ସାରି ଟୋପିଟା ମୁଣ୍ଡରେ ଦେଇ ସେ ଗିର୍ଜାଆଡ଼େ ବାହାରିଲେ । ଫାନିର ସମାଧିଟା ଗିର୍ଜାର ପଛ ପାଖେ, ରାସ୍ତାକୁ ଦିଶୁ ନଥାଏ । ବାଥସେବା ବୁଲି ଯାଇ ନୂଆ ସମାଧି ପାଖରେ ପହଞ୍ଚିଲେ । ଗାବ୍ରିଏଲ୍ ସମାଧିର ଆରପାଖେ ଠିଆ ହୋଇଥିଲା । ତାର ଆଖି ବି ସମାଧି ଉପରେ । ବାଥସେବା ଆସିବାର ସେ ଜାଣି ପାରି ନାହିଁ ।

 

ବାଥସେବାଙ୍କ ଆଖି ମଧ୍ୟ ସମାଧି ଉପରେ ପଡ଼ିଲା । ପଥର ଉପରେ ଖୋଳା ଯାଇଥିବା ଶବ୍ଦଗୁଡ଼ିକ ସେ ପଢ଼ିଲେ–‘‘ଫ୍ରାନ୍‌ସିସ୍ ଟ୍ରୟଙ୍କ ଦ୍ୱାରା ନିର୍ମିତ–ଫାନିରବିନ୍‌ର ପ୍ରେମସ୍ମୃତି-।’’

 

ସନ୍ଦେହ, ଭୟ ଓ ଆଶା

 

ସେ ସପ୍ତାହରେ ଟ୍ରୟ ଫେରିଲେ ନାହିଁ । ସେ ଚାଲିଯିବା ପରେ ଶନିବାର ଦିନ ବାଥସେବା ଏକା କାଷ୍ଟର୍‍ବ୍ରିଜ୍ ଗଲେ । ହାଟ ପାଖରେ ଲୋକ ଗହଳି ଭିତରେ ସେ ଚାଲିଥାନ୍ତି । ତାଙ୍କ ପଛରେ ଦୁଇଜଣ କଥାବାର୍ତ୍ତା ହେବାର ସେ ଶୁଣିଲେ । ଜଣେ କହିଲା, ‘‘ମୁଁ ଶ୍ରୀମତୀ ଟ୍ରୟଙ୍କୁ ଖୋଜୁଛି ସେ ଏଠି ଅଛନ୍ତି ?’’

 

‘‘ହଁ, ଆଗର ସେଇ ତରୁଣୀ ବୋଧହୁଏ !’’ ଅନ୍ୟ ଲୋକଟି ବାଥସେବାଙ୍କ ଆଡ଼କୁ ଠାରି କହିଲା ।

 

ବାଥସେବା ତାଙ୍କ ଆଡ଼କୁ ମୁହଁ ବୁଲାଇବା ଆଗରୁ ପ୍ରଥମ ଲୋକ କହିଲା, ‘‘ତାଙ୍କ ପାଇଁ ଗୋଟେ ଦୁଃସମ୍ୱାଦ ଅଛି । ତାଙ୍କ ସ୍ୱାମୀ ବୁଡ଼ି ମରିଛନ୍ତି ।’’

 

‘‘ନା ନା, ଏହା ମିଛ, ଏହା ସତ ହୋଇପାରେନା,’’–ବାଥସେବା ଚିତ୍କାର କରି ଉଠିଲେ । ତାଙ୍କ ଆଖି ଆଗରେ ଅନ୍ଧାର ଘୋଟିଗଲା । ସେ ପଡ଼ିଗଲେ । କିନ୍ତୁ ସେ ଭୂଇଁରେ ପଡ଼ିଲେ ନାହିଁ । ବୋଲ୍ଡ଼୍ଉଡ଼୍ ହାଟ ଘର ପାଖରେ ଠିଆହୋଇ ତାଙ୍କୁ ଲକ୍ଷ୍ୟ କରୁଥିଲେ । ସେ ଦୌଡ଼ିଆସି ତାଙ୍କୁ ନିଜ ହାତରେ ଧରିନେଲେ ।

 

ଖବର ଆଣିଥିବା ଲୋକଙ୍କୁ ସେ ପଚାରିଲେ, ‘‘କଥା କ’ଣ ?’’

 

‘‘ତାଙ୍କ ସ୍ୱାମୀ ସମୁଦ୍ରରେ ଗାଧୋଇଲା ବେଳେ ବୁଡ଼ି ଯାଇଛନ୍ତି । ଜଣେ ଉପକୂଳ ରକ୍ଷୀ ତାଙ୍କ ପୋଷାକ ପତ୍ର ପାଇ କାଲି ବ୍ରଡ଼୍‍ମାଉଥକୁ ଆଣିଛି ।’’

 

ଏକ ଅପ୍ରତ୍ୟାଶିତ ଆଶାରେ ବୋଲ୍ଡ଼୍ଉଡ଼୍‌ଙ୍କ ଆଖି ଉଜ୍ଜ୍ୱଳ ଦେଖା ଗଲା । ଏକ ଅଜଣା ଉତ୍ତେଜନାରେ ମୁହଁ ପ୍ରଫୁଲ୍ଲ ଦିଶିଲା । ସେ ବାଥସେବାଙ୍କୁ କାନ୍ଧରେ ପକାଇ ଗୋଟେ ହୋଟେଲକୁ ନେଇଗଲେ । ସେଠି ଗୋଟେ କୋଠରୀରେ ସୋଫା ଉପରେ ତାଙ୍କୁ ଶୁଆଇ ଦେଲେ । ସାଙ୍ଗେ ସାଙ୍ଗେ ତାଙ୍କ ସେବାଶୁଶ୍ରୂଷା କରିବାପାଇଁ ଜଣେ ସ୍ତ୍ରୀ ଲୋକ ଡାକି ଆଣିବାକୁ ଚାଲିଗଲେ । ତା’ପରେ ସେ ବାଥସେବାଙ୍କ ଗାଡ଼ିରେ ଘୋଡ଼ା ଯୋଚିବାକୁ କହିଲେ । ସବୁ ଠିକ୍ ହେଲାପରେ ସେ ତାଙ୍କ ପାଖକୁ ଫେରିଲେ । ଦେଖିଲେ ବାଥସେବା ତଥାପି ମଳିନ ଆଉ ଦୁର୍ବଳ । ଘଣ୍ଟାଏ ବିଶ୍ରାମ ନେଲା ପରେ ବାଥସେବା ଯାଇ ଗାଡ଼ିରେ ବସି ଲଗାମ୍ ଧରିଲେ । ହାଟ ପଛପାଖେ ଗୋଟେ ଗଳି ରାସ୍ତାରେ ସେ ଧୀରେ ଧୀରେ ଗାଡ଼ି ଚଳାଇଲେ । ରାସ୍ତା ବା ରାସ୍ତାର ଦୃଶ୍ୟ କିଛି ସେ ଜାଣି ପାରୁ ନଥାନ୍ତି ।

 

ଖମାର ଘର ଦରଜା ପାଖରେ ଲିଡ଼ି ତାଙ୍କୁ ଭେଟିଲା । ଟ୍ରୟଙ୍କ ଖବର ସେତେବେଳକୁ ଉଏଦରବେରିରେ ପହଞ୍ଚି ସାରିଥାଏ । ଲିଡ଼ି ବ୍ୟସ୍ତ ହୋଇ ତାଙ୍କ ମୁହଁକୁ ଚାହିଁଲା । ବାଥସେବା ପଚାରିଲେ, ‘‘କଣ ଲିଡ଼ି ?’’

 

‘‘ମୁଁ ଭାବୁଥିଲି.....ତୁମେ ତାଙ୍କ ସ୍ମୃତି ପାଇଁ ଉପାସନାର ବ୍ୟବସ୍ଥା କରିବା ଦର୍କାର ।’’

 

‘‘ମୁଁ ଭାବୁଛି ଏବେ ତାର ଆବଶ୍ୟକତା ନାହିଁ ।’’

 

‘‘କାହିଁକି ?’’

 

‘‘କାରଣ ସେ ଏବେ ବି ବଞ୍ଚିଛନ୍ତି ।’’

 

ବିସ୍ମିତା ଲିଡ଼ି ପଚାରିଲା, ‘‘ତୁମେ କେମିତି ଜାଣିଲ ?’’

 

‘‘ମୁଁ ଜାଣେନା, କିନ୍ତୁ ତାଙ୍କ ବିଷୟରେ ମୁଁ ତ ଆଉ ଖବର ପାଇଥାନ୍ତି ! ସେମାନେ ତ ତାଙ୍କ ମୃତ ଦେହ ପାଇଥାନ୍ତେ ! ମୁଁ ନିଶ୍ଚିତ ଯେ ସେ ବଞ୍ଚିଛନ୍ତି ।’’

 

ନଅ ମାସ ବିତିଗଲା । ବାଥସେବା ତାଙ୍କ ମତରେ ଅଟଳ ରହିଲେ । ସେ ନିରୋଳାରେ ଶାନ୍ତିରେ ରହିଲେ । ଏ ଭିତରେ ସେ ଗାବ୍ରିଏଲ୍‍କୁ ଖମାରୀ ଭାବେ ନିଯୁକ୍ତ କଲେ । ଦୁହେଁ ମିଶି ସବୁ ଦେଖା ଶୁଣା କଲେ । ବେଶ୍ ଲାଭହେଲା । କ୍ଷେତରେ ଉନ୍ନତି ପାଇଁ ଦର୍କାରବେଳେ ପଇସା ଖର୍ଚ୍ଚ କରାଗଲା । ଟ୍ରୟ ଜୀବିତ କି ମୃତ, କୌଣସି ଖବର ଆଉ ମିଳିଲା ନାହିଁ ।

 

ବୋଲ୍ଡ଼୍‌ଉଡ଼୍‌ଙ୍କ ସାଥିରେ ବାଥସେବାଙ୍କର ଆଉ ଦେଖା ହୋଇନାହିଁ । ରବିବାର ଦିନ ଗିର୍ଜାକୁ ଯିବା ବ୍ୟତୀତ ବୋଲ୍ଡ଼୍ଉଡ଼୍ ଆଉ କୁଆଡ଼େ ବାହାରନ୍ତି ନାହିଁ । ତାଙ୍କ ମନରେ ଆସ୍ତେ ଆସ୍ତେ ଆଶା ବଢ଼ୁଥାଏ । ବେଳେ ବେଳେ ମନରେ ଭୟ ହେଉଥାଏ ଯେ ତାଙ୍କର ବାଥସେବାଙ୍କୁ ବିଭା ହେବା ଆଶା ହୁଏତ ସ୍ୱପ୍ନରେ ପରିଣତ ହୋଇଯାଇପାରେ । ସେ କେବଳ ଆଶା କରୁଥାନ୍ତି ଯେ ଭବିଷ୍ୟତରେ ବାଥସେବା ଯଦି କୌଣସି ଲୋକକୁ ବିବାହ କରିବାକୁ ରାଜି ହୁଅନ୍ତି ତେବେ ସେ ଲୋକ ସେ ନିଜେ । ଏଇ ମଧୁର ଆଶା ତାଙ୍କ ମନରେ ବାରମ୍ୱାର ଦେଖାଦେଲା । କେତେ କାଳ ଅପେକ୍ଷା କରିବାକୁ ହେବ ସେ ଚିନ୍ତା ତାଙ୍କର ନାହିଁ, କାରଣ ସେ ଅନୁଭବ କଲେ ତାଙ୍କ ପ୍ରେମ ଗଭୀର, ଦୃଢ଼ ଆଉ ଚିରସ୍ଥାୟୀ । ପରିଶେଷରେ ସେ ଯଦି ବାଥସେବାଙ୍କୁ ପାଇପାରନ୍ତି ତେବେ ଯେତେ ବର୍ଷ ବିତିଗଲେ ବି କିଛି ଯାଏଆସେନା ।

 

ଗ୍ରୀନ୍‍ହିଲ୍ ଯାତ୍ରା

 

ଏ ଭିତରେ ଆଉ ଛଅମାସ ବିତିଗଲା । ଖରାଦିନ ଶେଷ ଆଡ଼କୁ ଗ୍ରୀନ୍‌ହିଲରେ ଗୋଟେ ବଡ଼ ଯାତ୍ରା ହେଲା । ଯାତ୍ରାଟା ବର୍ଷରେ ଥରେ ହୁଏ । ଚାରିଆଡ଼େ ଧୂମଧାମ୍ ଗହଳି । ଏ ଯାତ୍ରା ମେଣ୍ଢା କାରବାର ପାଇଁ ପ୍ରସିଦ୍ଧ । ଦୂର ଗାଁମାନଙ୍କରୁ ମେଣ୍ଢାରଖୁଆଳମାନେ ପଲ ପଲ ମେଣ୍ଢା ଧରି ଆସିଥାନ୍ତି । ଯାତ୍ରାର ଦୁଇ ତିନିଦିନ, କିଏ କିଏ ବା ସପ୍ତାହେ ଆଗରୁ ଘରୁ ବାହାରିଆସିଥାନ୍ତି । ପାହାଡ଼ କଡ଼ରେ ବାଡ଼ ଘେରା ହୋଇଥାଏ । ସେଇଠି ମେଣ୍ଢାମାନେ ରହୁଥାନ୍ତି-। ତା ପାଖରେ ଛୋଟ ଛୋଟ କୁଡ଼ିଆ କିମ୍ୱା ତମ୍ୱୁରେ ଲୋକମାନେ ଥାନ୍ତି । ହଜାର ହଜାର ମେଣ୍ଢାଙ୍କ ବୋବାଳିରେ ସେ ଜାଗା କମ୍ପିଉଠୁଥାଏ ।

 

ପାହାଡ଼ କଡ଼ର ଆଉ ଗୋଟେ ଜାଗାରେ ଭିନ୍ନ ଦୃଶ୍ୟ । ଏଠି ସାଧାରଣ ଲୋକେ ଆସି ଆମୋଦ ପ୍ରମୋଦ କରନ୍ତି । ଏ ବର୍ଷ ସେଠି ଗୋଟେ ବିରାଟ ଗୋଲ ତମ୍ବୁ ପଡ଼ିଥାଏ । ତମ୍ବୁର ଫାଟକ ପାଖରେ ଖଣ୍ଡେ ବଡ଼ ପଟାରେ ଲେଖା ହୋଇଥାଏ, ‘‘ଦସ୍ୟୁ ଟରପିନ୍ ନାଟକରେ ମିଷ୍ଟର ଫ୍ରାନ୍‌ସିସ୍‍ଙ୍କର ଅପୂର୍ବ ଅଭିନୟ ।’’

 

ବଡ଼ ତମ୍ବୁ ପଛପାଖରେ ଦୁଇଟା ଛୋଟ ତମ୍ୱୁ–ଅଭିନେତାମାନଙ୍କ ପୋଷାକ ଘର । ତା ଭିତରୁ ଗୋଟେ ତମ୍ବୁରେ ଜଣେ ଯୁବକ ବସିଥାଏ । ଦେଖିଲେ ହଠାତ୍ ଜଣାଯିବ ସେ ସର୍ଜେଣ୍ଟ ଟ୍ରୟ-। ସର୍ଜେଣ୍ଟ ଟ୍ରୟ ଏଠିକି ଆସିବା ପଛରେ ଅଛି ଏକ କାହାଣୀ । ଫାନିକୁ ସମାଧି ଦିଆଗଲା ଦିନ ସେ ଉଏଦରବେରି ଛାଡ଼ି ଚାଲିଗଲେ । ସେ ଦକ୍ଷିଣ ଦିଗକୁ ଅନେକ ବାଟ ଗଲେ । ତାଙ୍କ ମନରେ ଅନୁତାପ ଆଉ ଦୁଃଖ । ବାଥସେବାଙ୍କ ଘରେ ଆଉ ରହିବା ଧୈର୍ଯ୍ୟ ତାଙ୍କର ନଥିଲା । ସେଠି ରହିଲେ ଶବାଧାର ଭିତରେ ଫାନି ଆଉ ତା ଛୁଆ ପଡ଼ିଥିବା ଦୃଶ୍ୟ ସେ ଭୁଲି ପାରିବେ ନାହିଁ-

 

ବୁଲି ବୁଲି ଶେଷରେ ସେ ସମୁଦ୍ର କୂଳରେ ପହଞ୍ଚିଲେ । ଆଉ ଆଗକୁ ଯିବା ପୂର୍ବରୁ ଗାଧୋଇ ପାଧୋଇ ଟିକିଏ ବିଶ୍ରାମ ନେବାକୁ ଭାବିଲେ । ଜାମାପଟା କାଢ଼ି ଦେଇ ସେ ସମୁଦ୍ର ଭିତରେ ପଶିଲେ । ତାଙ୍କ ଦୁର୍ଭାଗ୍ୟକୁ ସେ ଜାଗାରେ ସମୁଦ୍ରଟା ବଡ଼ ବିପଦପୂର୍ଣ୍ଣ । ହଠାତ୍ ସେ ଦେଖିଲେ, ସେ ସମୁଦ୍ର ଭିତରେ ଦୂରକୁ ଦୂରକୁ ଟାଣିହୋଇ ଯାଉଛନ୍ତି । ସେ କୂଳକୁ ଆସିବାକୁ ଚେଷ୍ଟା କରି କ୍ଳାନ୍ତ ହୋଇପଡ଼ିଲେ । ହଠାତ୍ ଏତିକିବେଳେ ଗୋଟେ ଜାହାଜର ଡଙ୍ଗା ଦେଖାଗଲା । ନାବିକମାନେ ତାଙ୍କ ଡାକ ଶୁଣି ଖୁବ୍ ଶୀଘ୍ର ତାଙ୍କ ପାଖକୁ ଡଙ୍ଗା ବାହିନେଲେ । ପାଞ୍ଚ ଛଅ ମିନିଟ୍ ଭିତରେ ସେମାନେ ତାଙ୍କୁ ଡଙ୍ଗାରେ ଉଠାଇ ଜାହାଜକୁ ଫେରିଆସିଲେ ।

 

ଏଇ ଜାହାଜ ଆମେରିକା ଯିବାପାଇଁ ବାହାରିଥିଲା । ଟ୍ରୟ ସେଥିରେ କାମ କରିବା ପାଇଁ ରାଜିହେଲେ । ସେତେବେଳେ ସେ ଭାବିଲେ ଯେ ଇଂଲଣ୍ଡରେ ତାଙ୍କର ଘୃଣ୍ୟ ଜୀବନରୁ ମୁକ୍ତି ପାଇବାର ଏ ଏକ ସୁଯୋଗ । ସେ ବାଥସେବାଙ୍କ ପାଖକୁ କିଛି ଚିଠି ପତ୍ର ଦେବାକୁ ଇଚ୍ଛା କଲେ ନାହିଁ । ବେଳେ ବେଳେ ଭାବୁଥାନ୍ତି, ବାଥସେବା ତାଙ୍କୁ ମୃତ ବୋଲି ଭାବୁଥିବେ କି ନାହିଁ ।

 

ଆମେରିକାରେ ଏ ସହରରୁ ସେ ସହର, ଏ କାମରୁ ସେ କାମ ହୋଇ କିଛି ଦିନ କଟିଗଲା । ମାତ୍ର କେତେଟା ମାସ ପରେ ତାଙ୍କୁ ଏ ପ୍ରକାର ଜୀବନ ଭଲ ଲାଗିଲା ନାହିଁ । ପ୍ରାୟ ବର୍ଷେ ପରେ ସେ ପୁଣି ଇଂଲଣ୍ଡକୁ ଫେରି ଆସିଲେ । ଏଠି ସେ ଗୋଟେ ସର୍କସ ଦଳରେ ଯୋଗ ଦେଲେ । ଏ ଦଳ ନାଟକ ଅଭିନୟ ବି କରୁଥାନ୍ତି । ସେଇ ନାଟକ ଅଭିନୟରେ ସେ ଦସ୍ୟୁ ଟରପିନ୍ ଭୂମିକାରେ ଅଭିନୟ କଲେ । ଏଇପରି ଭାବରେ କିଛି ନଭାବି, ଭବିଷ୍ୟତ ପାଇଁ କିଛି ଠିକ୍ ନକରି ଟ୍ରୟ ସର୍କସ ଦଳ ସାଥିରେ ଆସି ଗ୍ରୀନ୍‍ହିଲରେ ପହଞ୍ଚିଲେ ।

 

ବାଥସେବା ଏ ଯାତ୍ରାକୁ ଯାଇଥିଲେ । ଅନ୍ୟମାନଙ୍କ ପରି ସେ ମଧ୍ୟ ବିଜ୍ଞାପନରେ ପଢ଼ିଲେ, ‘‘ବିଖ୍ୟାତ ଘୋଡ଼ାଚଢ଼ାଳି ଫ୍ରାନ୍‍ସିସ୍‌ଙ୍କର ଦସ୍ୟୁ ଟରପିନ୍ ଭୂମିକାରେ ଅଭିନୟ’’ । ଏ ଅଭିନୟ ଦେଖିବାପାଇଁ ତାଙ୍କ ମନରେ ଆଗ୍ରହ ହେଲା । ଲୋକେ ତମ୍ବୁ ଭିତରକୁ ଚାଲିଥାନ୍ତି । ଟିକିଏ ପରେ ବାଥସେବା ଭିତରକୁ ଯାଇ ଆଗରେ ଗୋଟେ ରିଜର୍ଭ ଜାଗାରେ ବସିଲେ । ପୋଷାକ ତମ୍ବୁ ଫାଙ୍କରେ ଟ୍ରୟ ଦେଖିଲେ, ତାଙ୍କ ସ୍ତ୍ରୀ ଆଗରେ ବସିଛନ୍ତି । ସେ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ତାଙ୍କର ପୋଷାକ ଆଉ ସାଜସଜ୍ଜା ଏପରି ହୋଇଥିଲା ଯେ କେହି ତାଙ୍କୁ ଚିହ୍ନିପାରିବ ନାହିଁ । କିନ୍ତୁ ତାଙ୍କର ଭୟ ହେଲା, ତାଙ୍କ କଣ୍ଠସ୍ୱର ବାଥସେବା ନିଶ୍ଚୟ ଚିହ୍ନି ପାରିବେ । ହଠାତ୍ ତାଙ୍କ ମନରେ ଘୋର ଲଜ୍ଜା ଆସିଲା । ତାଙ୍କର ଏଇ ସୁନ୍ଦରୀ ତରୁଣୀ ସ୍ତ୍ରୀ ତାଙ୍କୁ ଆଗରୁ ଘୃଣା କରିସାରିଲେଣି । ତାଙ୍କୁ ପୁଣି ଏଇପରି ନୀଚ କାମ କରୁଥିବାର ଜାଣିଲେ ସେ ଘୃଣା ଆହୁରି ବଢ଼ିଯିବ ।

 

ଟ୍ରୟ ତମ୍ବୁଭିତରୁ ମୁହଁ ବାହାର କରି ପରିଚାଳକଙ୍କ ସାଥିରେ କଥାବାର୍ତ୍ତା କଲେ । ପରିଚାଳକ ବାହାରେ ପଡ଼ିଆରେ ଠିଆ ହୋଇଥାନ୍ତି । ଟ୍ରୟ କହିଲେ,‘‘ସବୁ ବିଗିଡ଼ିଗଲା । ଦେଖଣାହାରୀଙ୍କ ଭିତରେ ଗୋଟେ ଲୋକ ବସିଛି । ମୁଁ ତାକୁ ଦେଖା ଦେବାକୁ ଚାହେଁନା, କାରଣ ମୁଁ ତାକୁ କିଛି ପଇସା ଦେବାର ଅଛି–ମୋତେ ଦେଖିଲେ ସେ ମାଗିବ । କ’ଣ କରାଯିବ ?’’

 

‘‘ଯେମିତି ହେଲେ ତୁମକୁ ଅଭିନୟ କରିବାକୁ ପଡ଼ିବ ।’’

 

‘‘ମୁଁ ପାରିବି ନାହିଁ । ପାଟି ଫିଟାଇଲା ମାତ୍ରେ ସେ ମୋତେ ଚିହ୍ନି ପକେଇବ ।’’

 

‘‘କିନ୍ତୁ ଅଭିନୟ ତ ନିଶ୍ଚୟ ହବ ?’’

 

‘‘ଅଭିନୟ ହେଉ କି ନହେଉ, ମୁଁ ମୋଟେ ପାଟି ଫିଟାଇବି ନାହିଁ ।’’

 

‘‘ହଉହେଲା । ତୁମେ କଥା ନକହି ଖାଲି ଅଭିନୟ କରିଯିବ । ଲୋକେ କିଛି ଜାଣି ପାରିବେ ନାହିଁ ।’’

 

ଯଥା ସମୟରେ ନାଟକ ଆରମ୍ଭ ହେଲା । ଦସ୍ୟୁ ଟରପିନ୍‍ର ଘୋଡ଼ା ଘାସପଡ଼ିଆ ଭିତରକୁ ଡେଇଁପଡ଼ିଲା । ଦର୍ଶକମଣ୍ଡଳୀ ଆନନ୍ଦରେ କରତାଳି ଧ୍ୱନି କଲେ । ଟ୍ରୟ ନିଜ ଚେହେରା ଲୁଚାଇବା ପାଇଁ ବେଶ ଭୂଷାକୁ ଆଉ ଟିକିଏ ସଜାଇ ଦେଇଥାନ୍ତି । ନାଟକ ଆରମ୍ଭରୁ ଶେଷଯାଏ ସେ ପଦେହେଲେ କଥା କହିନାହାନ୍ତି । ତଥାପି ନାଟକ ଶେଷରେ ଲୋକେ ତାଙ୍କୁ ଚିହ୍ନି ପକାଇଲେ । ସେ ପୋଷାକତମ୍ବୁକୁ ଫେରିଲେ । ବାଥସେବା ସେଠୁ ଗଲେଣି ବୋଲି ନିଶ୍ଚିତ ହେବା ଯାଏ ସେ ସେଇଠି ବସିରହିଲେ ।

 

ଦୁଇବନ୍ଧୁଙ୍କ ସଙ୍ଗେ କଥା

 

ନାଟକ ଅଭିନୟ ଶେଷ ହେଲା ମାତ୍ରେ ବାଥସେବା ତାଙ୍କ ଗାଡ଼ିପାଖକୁ ଚାଲିଆସିଲେ । ଆଗରୁ କଥା ହୋଇଥିଲା ଯେ ଗାବ୍ରିଏଲ୍‍ ଗାଡ଼ି ଚଳେଇବ । କିନ୍ତୁ ସେ ତାର ମେଣ୍ଢାପଲ ପାଖରେ କାମରେ ବ୍ୟସ୍ତ ଥିଲା । ତେଣୁ ବାଥସେବା ନିଜେ ଗାଡ଼ି ଚଳାଇ ଆସିବା ପାଇଁ ଠିକ୍ କଲେ । ସେ ଠିକ୍ ବାହାରିବାବେଳକୁ ବୋଲ୍ଡ଼୍‍ଉଡ଼୍ ଗୋଟେ ଘୋଡ଼ାରେ ବସି ସେଠି ଆସି ପହଞ୍ଚିଲେ । ସେ ବାଥସେବାଙ୍କ ସାଥିରେ ଯିବାପାଇଁ କହିଲେ । ବାଥସେବା ତାଙ୍କୁ ମନା କରି ପାରିଲେ ନାହିଁ । ପରିଷ୍କାର ଜହ୍ନରାତି । ସେମାନେ ନାନା ବିଷୟରେ କଥାବାର୍ତ୍ତା କରୁ କରୁ ଦୁଇ ତିନି ମାଇଲ୍ ବାଟ ଚାଲିଆସିଲେ । ହଠାତ୍ ବୋଲ୍ଡ଼୍ଉଡ଼୍ ପଚାରିଲେ, ‘‘ଶ୍ରୀମତୀ ଟ୍ରୟ, ତୁମେ କ’ଣ ପୁଣି କେବେ ବିବାହ କରିବ ?’’

 

ପ୍ରଶ୍ନଟାରେ ବାଥସେବା ଟିକିଏ ବିଚଳିତ ହୋଇଗଲେ । ତା’ପରେ ଧୀରଭାବେ କହିଲେ, ‘‘ମୁଁ ସେ ବିଷୟରେ କିଛି ଚିନ୍ତା କରିନାହିଁ ।’’

 

‘‘ମୁଁ ତା ବୁଝୁଛି, କିନ୍ତୁ ତୁମ ସ୍ୱାମୀ ମରିବାର ବର୍ଷେ ଉପରେ ହୋଇ ଗଲାଣି, ଆଉ–’’

 

‘‘ଆପଣ ଭୁଲିଯାଉଛନ୍ତି ଯେ ତାଙ୍କର ମୃତ୍ୟୁର କୌଣସି ସଠିକ ପ୍ରମାଣ ନାହିଁ । ହୁଏତ ତାଙ୍କର ମୃତ୍ୟୁ ନହୋଇ ଥାଇପାରେ । ପ୍ରଥମରୁ ମୋ ମନରେ କାହିଁକି ଗୋଟାଏ ଅଦ୍ଭୁତ ଭାବନା ଆସିଲା ଯେ ସେ ମରିନାହାନ୍ତି । ତଥାପି ଯଦି ତାଙ୍କୁ ଆଉ ଦେଖିବି ନାହିଁ ବୋଲି ବି ମୋର ହୃଦବୋଧ ହୁଏ, ମୁଁ ଅନ୍ୟ କାହାକୁ ବିବାହ କରିବା କଥା ଚିନ୍ତା କରିବି ନାହିଁ ।’’

 

କିଛି ସମୟ ପାଇଁ ସେମାନେ ନୀରବ ହେଲେ । କେବଳ ଘୋଡ଼ାଟାପୁ ଆଉ ଗାଡ଼ି ଚକର ଶବ୍ଦ ଶୁଭୁଥାଏ । ତା’ପରେ ଦୀର୍ଘ ନିଶ୍ୱାସ ପକାଇ ବୋଲ୍ଡ଼୍ଉଡ଼୍ କହିଲେ, ‘‘ତୁମ ସାଥିରେ କଟିଥିବା ଅତୀତର ଦିନଗୁଡ଼ାକ ମନେପଡ଼ି ମୋ ମନରେ ସବୁବେଳେ ଦୁଃଖ ଆଉ ଆନନ୍ଦ ଆସେ । ସେତେବେଳେ ତୁମେ ପ୍ରାୟ ମୋର ହୋଇସାରିଥିଲ, ତେବେ ସେକଥା ଛାଡ଼, ତୁମେ ତ କେବେ ମୋତେ ଭଲ ପାଉ ନଥିଲ !’’

 

‘‘ଖାଲି ଭଲ ପାଇବା ନୁହେଁ, ଆପଣଙ୍କୁ ଭକ୍ତି ବି କରୁଥିଲି । ଆପଣଙ୍କ ପ୍ରତି ମୋର ବ୍ୟବହାର ବଡ଼ ଖରାପ ହୋଇଛି । ସେଥିପାଇଁ ମୁଁ ସବୁବେଳେ ଅନୁତାପ କରିବି ।’’

 

‘‘ନିଜକୁ ଏତେଟା ଦୋଷ ଦିଅନାହିଁ । ଆଚ୍ଛା ବାଥସେବା, ମନେକର ତୁମେ ନିଶ୍ଚିତ ପ୍ରମାଣ ପାଇଲ ଯେ ତୁମେ ବିଧବା । ତା’ହେଲେ ମୋତେ ବିବାହ କରି, ଯେଉଁ ଭୁଲ କରିଛ ତାକୁ ସଜାଡ଼ିନେଇପାରିବ ?’’

 

‘‘ମୁଁ କହିପାରିବି ନାହିଁ । ଭବିଷ୍ୟତରେ ମୁଁ ବିବାହ କରିପାରେ, କିନ୍ତୁ ବର୍ତ୍ତମାନ ନୁହେଁ ।’’

 

‘‘ତୁମେ ଜାଣ, ଆଉ କୌଣସି ପ୍ରମାଣ ନପାଇ ମଧ୍ୟ ଆଜିଠୁ ଛଅବର୍ଷ ପରେ ତୁମେ ବିବାହ କରିପାରିବ ।’’

 

‘‘ହଁ, ମୁଁ ସେ ସବୁ ଜାଣେ । କିନ୍ତୁ ଛଅ ବା ସାତ ବର୍ଷ–ସେତେବେଳକୁ ଆମେ କେଉଁଠି ଥିବା ?’’

 

‘‘ଛଅବର୍ଷ ଚାହୁଁ ଚାହୁଁ କଟିଯିବ । ମୁଁ ଯଦି ସେ ଯାଏ ଅପେକ୍ଷା କରେ, ତୁମେ ମୋତେ ବିବାହ କରିବ ?’’

 

‘‘କିନ୍ତୁ ମିଷ୍ଟର ବୋଲ୍ଡ଼୍ଉଡ଼୍....ଛଅବର୍ଷ.... ।’’

 

‘‘ତୁମେ କ’ଣ ଅନ୍ୟ କାହାକୁ ବିବାହ କରିବାକୁ ଚାହୁଁଛ ?’’

 

‘‘ମୋଟେ ନୁହେଁ । ସେ କଥା ମୁଁ ବର୍ତ୍ତମାନ ଆଲୋଚନା କରିବାକୁ ଚାହେଁନା । କହିଛି ତ, ମୋ ସ୍ୱାମୀ ବଞ୍ଚିଥାଇପାରନ୍ତି ।’’

 

‘‘ଯଦି ତୁମେ ଚାହଁନା, ମୁଁ ସେ ବିଷୟ ଆଉ ଆଲୋଚନା କରିବି ନାହିଁ । କିନ୍ତୁ ଦିନେ କ’ଣ ମୋର ହୋଇନଥିଲ ? ବାଥସେବା, ତୁମେ ଖାଲି ଜବାବ ଦିଅ–ଯଦି ପୁଣି ବିବାହ କର ତା’ହେଲେ ମୋତେ ବିବାହ କରିବ ।’’

 

ତାଙ୍କ ଢଙ୍ଗଢାଙ୍ଗ ଦେଖି ବାଥସେବା ମନେ ମନେ ଡରିଗଲେ । ସାମାନ୍ୟ ବିଚଳିତ ହୋଇ ସେ କହିଲେ, ‘‘ଆପଣ ଯେତେବେଳେ ମୋତେ ବିବାହ କରିବାକୁ ଚାହୁଁଛନ୍ତି ମୁଁ ଅନ୍ୟ କାହାକୁ ବିବାହ କରିବି ନାହିଁ । ତା ବ୍ୟତୀତ ମୁଁ ଆଉ ଅଧିକା କିଛି କହିପାରିବି ନାହିଁ ।’’

 

‘‘ତୁମେ ଖାଲି ଏତିକି କୁହ ଯେ ଛଅବର୍ଷ ଭିତରେ ଯଦି ତୁମ ସ୍ୱାମୀ ନ ଫେରନ୍ତି, ତୁମେ ମୋତେ ବିବାହ କରିବ ।’’

 

ଦୀର୍ଘ ନିଶ୍ୱାସ ପକାଇ ବାଥସେବା କହିଲେ, ‘‘ଆପଣଙ୍କ ପ୍ରତି ମୋର ପ୍ରେମ ନାହିଁ । ମୋର ସନ୍ଦେହ, ସ୍ତ୍ରୀ ସ୍ୱାମୀକୁ ଯେତିକି ଭଲ ପାଇବା କଥା ମୁଁ ଆପଣଙ୍କୁ ସେତିକି ଭଲ ପାଇପାରିବିନାହିଁ । ଏକଥା ଜାଣିଲାପରେ ଆପଣ ଯଦି ମନେକରନ୍ତି, ମୋ ସ୍ୱାମୀ ନ ଫେରିଲେ ଛଅ ବର୍ଷ ପରେ ଆପଣଙ୍କୁ ବିବାହ କରିବାକୁ କଥା ଦେଲେ ଆପଣ ସୁଖୀ ହେବେ, ତେବେ ମୁଁ–’’

 

‘‘ଜବାବ ଦେବ ?’’

 

‘‘ମୁଁ ଭାବି ଦେଖିବି, ଆଉ ବୋଧହୁଏ ଖୁବ୍ ଶୀଘ୍ର ଜବାବ ଦେବି ।’’

 

‘‘କିନ୍ତୁ ଏଇ ଶୀଘ୍ରର ଅର୍ଥ ମଧ୍ୟ ମୋଟେ ନୁହେଁ ହୋଇପାରେ !’’

 

‘‘ନା, ମୋର ଉଦ୍ଦେଶ୍ୟ ଶୀଘ୍ର । ବୋଧହୁଏ ଖ୍ରୀଷ୍ଟମାସ୍ ଦିନ ।’’

 

‘‘ଖ୍ରୀଷ୍ଟମାସ୍ ? ତା’ହେଲେ ସେ ପର୍ଯ୍ୟନ୍ତ ମୁଁ ଆଉ ଏ ବିଷୟରେ କିଛି କହିବି ନାହିଁ ।’’

 

ଏଇ କଥାବାର୍ତ୍ତା ଫଳରେ କିଛି ଦିନ ଯାଏ ବାଥସେବାଙ୍କ ମନ ସ୍ଥିର ରହିଲା ନାହିଁ । ଖ୍ରୀଷ୍ଟମାସ୍ ଯେତେ ଯେତେ ପାଖେଇ ଆସିଲା ତାଙ୍କ ମନରେ ଉଦବେଗ ଆଉ ସନ୍ଦେହ ସେତିକି ବଢ଼ିବାକୁ ଲାଗିଲା । ଦିନେ ସେ ଦୈବାତ୍ ଗାବ୍ରିଏଲ୍ ସାଥିରେ ଏଇ ଅସୁବିଧା ବିଷୟରେ କଥାବାର୍ତ୍ତା କଲେ । ସେମାନେ ହିସାବ ପତ୍ର ଦେଖୁଥିଲେ । କ’ଣ ଗୋଟେ କଥା ପ୍ରସଙ୍ଗରେ ଗାବ୍ରିଏଲ୍‍ ବୋଲ୍ଡ଼୍ଉଡ଼୍‌ଙ୍କ କଥା ଉଠାଇ କହିଲେ–ସେ କେବେହେଁ ତୁମକୁ ଭୁଲିପାରିବେ ନାହିଁ ।

 

ବାଥସେବାଙ୍କ ମନରେ ତାଙ୍କ ଅସୁବିଧା ପରିସ୍ଥିତି ପୁଣି ଜାଗି ଉଠିଲା । ବୋଲ୍ଡ଼୍ଉଡ଼୍‌ଙ୍କ ସାଥିରେ ତାଙ୍କର କଥାବାର୍ତ୍ତା ବିଷୟ ପକାଇ ସେ କହିଲେ, ‘‘ତାଙ୍କ ପ୍ରସ୍ତାବରେ ମୁଁ ରାଜି ହେବାକୁ ବାଧ୍ୟ ହେଉଛି, କାରଣ ମୁଁ ଦେଖୁଛି, ମୁଁ ତାଙ୍କୁ ପ୍ରତିଶ୍ରୁତି ନଦେଲେ ସେ ପାଗଳ ହୋଇଯିବେ ।’’

 

‘‘ମୁଁ ଖାଲି ଭାବୁଛି, ତୁମକୁ ପାଇବାର ଆଶା ମନରୁ ଦୂର କରିଦେଲେ ତାଙ୍କ ଜୀବନ ଶୂନ୍ୟ ହୋଇଯିବ । କିନ୍ତୁ ତୁମେ ଯାହା ଭାବୁଛ ସେତେଟା ଭୟଙ୍କର ପରିସ୍ଥିତି ହେବନାହିଁ । ତୁମେ ଜାଣ ତାଙ୍କ ଢଙ୍ଗଢାଙ୍ଗ, ହାବଭାବ ସବୁବେଳେ ଖାପ୍‍ଛଡ଼ା ଆଉ ଅଦ୍ଭୁତ । ତେବେ ତୁମେ ତାଙ୍କୁ ଜବାବ ଦେଇଦେଉନାହଁ ? ମୁଁ ହୋଇଥିଲେ ଜବାବ ଦେଇଦିଅନ୍ତି ।’’

 

‘‘କିନ୍ତୁ ସେଟା କ’ଣ ଠିକ୍ ହବ ? ଛଅ ବର୍ଷ.... ସେତେବେଳକୁ ଆମେ ସବୁ ହୁଏତ ମରିସାରିଥିବା । ତେଣୁ କଥାଗୁଡ଼ା ନିହାତି ଅସଂଗତ ।’’

 

‘‘ପ୍ରତିଶ୍ରୁତି ଦେବାରେ କିଛି ଭୁଲ ବା ଦୋଷ ଥିଲା ପରି ମୋର ମନେ ହୁଏନା । ମୋ ମତରେ ତୁମେ ଯାହାକୁ ପ୍ରେମ ନକର ତାକୁ ବିଭାହେବା କଥା ଭାବିବାହିଁ ଅପରାଧ ।’’

 

‘‘ମୁଁ ସେ ଅପରାଧର ପ୍ରାୟଶ୍ଚିତ କରିବାକୁ ରାଜି । ତୁମେ ଜାଣ ଗାବ୍ରିଏଲ୍, ଗୋଟେ କଥା ମୋ ମନରୁ ଯାଉନାହିଁ । ମୁଁ ଯଦି ସେଇ ପତ୍ରଦେଇ ତାଙ୍କ ସାଥିରେ ଖେଳିନଥାନ୍ତି ସେ ମୋତେ ବିଭାହେବାକୁ ମୋଟେ ଚିନ୍ତା କରି ନଥାନ୍ତେ । ସେ ଋଣ ପରିଶୋଧ କରିବାର କେବଳ ଗୋଟେ ମାତ୍ର ପନ୍ଥା ଅଛି, ଆଉ ତା କରିବାର କ୍ଷମତା ଯଦି ମୋର ଥାଏ ତେବେ ମୁଁ କରିବାକୁ ବାଧ୍ୟ । ତୁମକୁ ମୁଁ କେବଳ ଗୋଟେ କଥା ପଚାରୁଛି । ସାତବର୍ଷ ଶେଷ ନହେବାଯାଏ କେହି ମୋତେ ବିବାହ କରିପାରିବ ନାହିଁ । ସେ ଦୃଷ୍ଟିରୁ ତାଙ୍କୁ ପ୍ରଶ୍ରୟ ଦେବାଟା କ’ଣ ଠିକ୍ ହେବ ?’’

 

‘‘ତୁମର ସ୍ୱାମୀ ପ୍ରକୃତରେ ମୃତ ବୋଲି ସେତେବେଳେ ତୁମର ହୃଦବୋଧ ହେବ କି ନାହିଁ ତା ଉପରେ ସବୁ ନିର୍ଭର କରେ ।’’

 

‘‘ମୁଁ ଭାବୁଛି, ସେତେବେଳକୁ ମୋର ହୃଦ୍‌ବୋଧ ହେବ । ହଉ, ଧନ୍ୟବାଦ ।’’

 

ସେ ଉଠି ଚାଲିଗଲେ । ତାଙ୍କ ଅନ୍ତର ଭିତରେ ସେ ଏକ ନିରାଶଭାବ ଅନୁଭବ କଲେ । ଗାବ୍ରିଏଲ୍‍ ନିଜେ ସେ ଯାଏ ଅପେକ୍ଷା କରି ତାଙ୍କୁ ବିବାହ କରିବ ବୋଲି କେବେ କହିନାହିଁ । ତାଙ୍କଠାରେ ଗାବ୍ରିଏଲ୍‌ର ଯେଉଁ ଅତୀତ ପ୍ରେମ ସେ ବିଷୟରେ ସେ କିଛି ଆଭାସ ଦେବେ ବୋଲି ବାଥସେବାଙ୍କର ଆଶା ଥିଲା । ଅନ୍ତତଃ କଥାପ୍ରସଙ୍ଗରେ ମଜାରେ ସେ ବିଷୟ ସେ କହିପାରନ୍ତେ । କିନ୍ତୁ ଏଇମିତି ଶସ୍ତା ଉପଦେଶ ଦେବାରେ ଲାଭ କ’ଣ ? ବାଥସେବା ମନେ ମନେ ବିରକ୍ତ ହୋଇଉଠିଲେ ।

 

ଖ୍ରୀଷ୍ଟମାସ୍ ଦିବସ

 

ଖ୍ରୀଷ୍ଟମାସ୍‍ ଦିନ ଆସିଗଲା । ସେ ଦିନ ସନ୍ଧ୍ୟାରେ ବୋଲ୍ଡ଼୍ଉଡ଼୍ ଗୋଟେ ଭୋଜି ଦେଉଥାନ୍ତି । ଉଏଦରବେରିରେ ତାହା ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସମସ୍ତଙ୍କ ମୁହଁରେ ସେଇକଥା—ମିଷ୍ଟର ବୋଲ୍ଡ଼୍ଉଡ଼୍ ଭୋଜି ଦେବା ବଡ଼ ବଚିତ୍ର । ଆଗରୁ ଏ ଭୋଜି କଥା କେବେ ତ ସେ କଳ୍ପନା କରି ନାହାନ୍ତି ! ସମସ୍ତେ ଭୋଜିପାଇଁ କାମରେ ବ୍ୟସ୍ତ ଥିବାବେଳେ ଟ୍ରୟ କାଷ୍ଟର୍‍ବ୍ରିଜ୍‌ର ଏକ ହୋଟେଲ୍‌ର କୋଠରୀରେ ବସିଥାନ୍ତି । ସେ ମଧ୍ୟ ସେ ରାତିରେ ବୋଲ୍ଡ଼୍ଉଡ଼୍ ଘରକୁ ଯିବାକୁ ଠିକ୍ କରିଥାନ୍ତି, ଅବଶ୍ୟ ବିନା ନିମନ୍ତ୍ରଣରେ । ସେ ଗୋଟେ ବଡ଼ ମାଟିଆ ରଙ୍ଗର ଓଭରକୋଟ୍ ପିନ୍ଧିଲେ-। ମୁଣ୍ଡର ଟୋପିଟାକୁ କାନମୂଳଯାଏଁ ଟାଣିଦେଲେ । କୋଟର୍ କଲର୍ ଟୋପିକୁ ଲାଗି ଯାଇଥାଏ । ଲୋକେ ସହଜରେ ତାଙ୍କୁ ଚିହ୍ନି ପାରିବେ ନାହିଁ । ରାତି ନଅଟା ଆଗରୁ ଭୋଜି ସଭାକୁ ଯିବେନାହିଁ ବୋଲି ସେ ଠିକ୍ କଲେ । ନଅଟାବେଳକୁ ସମସ୍ତେ ସେଠିକି ଆସିସାରିଥିବେ । ସେ ନାଟକୀୟ ଢଙ୍ଗରେ ହଠାତ୍ ଯାଇ ସେଠି ପହଞ୍ଚିବେ ।

 

ଏଣେ ବୋଲ୍ଡ଼୍ଉଡ଼୍‌ଙ୍କ ଘର ସାମନାରେ ଦଳେ ଲୋକ ଅନ୍ଧାରରେ ଠିଆହୋଇ କଥାବାର୍ତ୍ତା କରୁଥାନ୍ତି । ଯେଉଁ ଅତିଥିମାନେ ଭୋଜିସଭାକୁ ଯାଉଥାନ୍ତି ସେମାନଙ୍କୁ ଲକ୍ଷ୍ୟ କରୁଥାନ୍ତି-। ତା ଭିତରୁ ଜଣେ ଖୁବ୍ ଧୀରେ ଧୀରେ କହିଲା, ‘‘ଲୋକେ କହୁଛନ୍ତି, ଆଜି ଉପରଓଳି କାଷ୍ଟର୍‍ବ୍ରିଜ୍‌ ସହରରେ ତାଙ୍କୁ ଦେଖିଛନ୍ତି । ମୁଁ ବି କଥାଟା ସତ ବୋଲି ଭାବୁଛି, କାରଣ ତାଙ୍କର ମୃତଦେହତ ମିଳିନାହିଁ !’’

 

ଆଉ ଜଣେ କହିଲା, ‘‘ଏ ତ ଗୋଟେ ଅଦ୍ଭୁତ କାହାଣୀ ! ବାଥସେବା ନିଶ୍ଚୟ ଏ ବିଷୟ ଜାଣିନାହାନ୍ତି ।’’

 

‘‘ତାଙ୍କୁ ଏ ବିଷୟ ନଜଣେଇବା ବୋଧହୁଏ ଟ୍ରୟଙ୍କର ଉଦ୍ଦେଶ୍ୟ ।’’ ତୃତୀୟ ଲୋକ କହିଲା ।

 

ପ୍ରଥମ ଲୋକ ପୁଣି କହିଲା, ‘‘ଯଦି ସେ ବଞ୍ଚିଥାନ୍ତି ଆଉ ଏଇ ପାଖଆଖରେ ଲୁଚିରହିଥାନ୍ତି ତେବେ ବଡ଼ ଅସୁବିଧା ହେବ । ବିଚାରୀ ବାଥସେବା । ଯଦି ଏ କଥା ସତ ହୋଇଥାଏ, ମୋର ତାଙ୍କ ପ୍ରତି ଦୟା ଆସୁଛି । ଏଣେ କିଏ ଆସୁଛି ? କାହାର ପାଦଶବ୍ଦ ପାଖକୁ ଆସୁଥିବାର ଜଣାଗଲା ।’’

 

ଅନ୍ଧାର ଭିତରୁ ଜଣେ ଲୋକ ତାଙ୍କ ପାଖକୁ ଆସି ଡାକିଲା, ‘‘ଉଇଲିୟମ୍ !’’

 

‘‘କିଏ ସାମ୍–ମୁଁ ତୁମ ସ୍ୱରରୁ ଚିହ୍ନିପାରିଲି । ତୁମେ କ’ଣ ଭିତରକୁ ଯାଉଛ ?’’

 

‘‘ହଁ । ତୁମେ ଏଇ ଅଦ୍ଭୁତ କଥା ଶୁଣିଲଣି ଉଇଲିୟମ୍ ?’’

 

‘‘ସର୍ଜେଣ୍ଟ ଟ୍ରୟଙ୍କୁ ଲୋକେ ଦେଖିଛନ୍ତି–ଏଇ କଥାତ ? ହଁ, ଶୁଣିଛି । ମୁଁ ଭାବୁଛି ଏ ବିଷୟରେ ଆମେ ଚୁପ୍ ରହିବା ଭଲ । କଥାଟା ଯଦି ସତ ହୋଇନଥାଏ, ତା’ହେଲେ ବାଥସେବା ଅକାରଣରେ ବଡ଼ ବ୍ୟତିବ୍ୟସ୍ତ ହେବେ ।’’

 

ସେମାନେ ନୀରବରେ ଠିଆହୋଇ ରହିଲେ । ଘର ଭିତରୁ ହସ କୌତୁକ ଶୁଣାଯାଉଥାଏ । ଘର ଭିତରେ ତରୁଣ ତରୁଣୀମାନେ ନାଚରେ ମାତିଥାନ୍ତି । ତରୁଣୀ ବାଥସେବା ମଧ୍ୟ ନାଚରେ ଯୋଗ ଦେଇଥାନ୍ତେ, ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସେଟା ଠିକ୍ ହେବନାହିଁ ବୋଲି ସେ ଭାବିଲେ । ତେଣୁ ଘଣ୍ଟାଏ ବସି କଥାବାର୍ତ୍ତା କରିବା ପରେ ସେ ଫେରିବା ପାଇଁ ବାହାରିଲେ । ହଲ୍ ଘରୁ ଉଠି ସେ ପାଖ ଛୋଟ ବୈଠକଖାନା ଘରକୁ ଗଲେ । ସେ ଘରେ କେହି ନଥିଲେ । କିନ୍ତୁ ସେ ଆସିବା ପରେ ପରେ ମିଷ୍ଟର ବୋଲ୍ଡ଼୍ଉଡ଼୍ ଆସି ସେ ଘରେ ପହଞ୍ଚିଲେ ।

 

‘‘ଶ୍ରୀମତୀ ଟ୍ରୟ, ତୁମେ ଚାଲିଯିବ ନା କ’ଣ ? ଆମରତ ଏ ଯାଏ କିଛି ଆରମ୍ଭ ହୋଇନାହିଁ !’’ ସେ କହିଲେ ।

 

‘‘ମୋତେ କ୍ଷମା କରନ୍ତୁ । ଦେହଟା ଭଲଲାଗୁନାହିଁ । ମୁଁ ଚାଲିଯିବି ।’’

 

‘‘ମୁଁ ତୁମ ସାଥିରେ କଥାବାର୍ତ୍ତା କରିବା ପାଇଁ କେତେବେଳୁ ସୁବିଧା ଖୋଜୁଥିଲି । ତୁମେ ଜାଣ ମୁଁ କ’ଣ କହିବି ।’’

 

ବାଥସେବା ତଳକୁ ମୁହଁ କରି ଚୁପ୍‌ଚାପ୍ ଠିଆହୋଇ ରହିଲେ । ବ୍ୟଗ୍ରହୋଇ ବୋଲ୍ଡ଼୍ଉଡ଼୍ କହିଲେ, ‘‘ତୁମେ ଆଜି ମୋତେ ପ୍ରତିଶ୍ରୁତି ଦେବା କଥା–ଛଅବର୍ଷ ପରେ ମୋତେ ବିବାହ କରିବାର ପ୍ରତିଶ୍ରୁତି ।’’

 

‘‘ହଁ, ମୁଁ ବୁଝୁଛି ମୋର ପ୍ରତିଶ୍ରୁତି ଦେବା କଥା । କିନ୍ତୁ ମୁଁ ସମ୍ପୂର୍ଣ୍ଣ ବଦଳି ଯାଇଛି । ବର୍ତ୍ତମାନ ମୋ ମନରେ ଶାନ୍ତି ନାହିଁ । ମୋର ବର୍ତ୍ତମାନ ଅବସ୍ଥାରେ କ’ଣ କରିବା ଠିକ୍ ମୁଁ ଜାଣିପାରୁନାହିଁ । ତଥାପି ମୁଁ କଥା ଦେଉଛି, ଯଦି ପ୍ରକୃତରେ ମୋ ସ୍ୱାମୀ ମରିଥାନ୍ତି ମୁଁ ଆପଣଙ୍କୁ ବିବାହକରିବି ।’’

 

‘‘କେବେ ବିବାହ କରିବ ଗୋଟାଏ ନିର୍ଦ୍ଦିଷ୍ଟ ଦିନ କୁହ । ତା ନହେଲେ ପ୍ରତିଶ୍ରୁତିର ମୂଲ୍ୟ କିଛି ନାହିଁ ।’’

 

‘‘ମୁଁ ଜାଣେନା । ଦୟାକରି ମୋତେ ଯିବାକୁ ଦିଅନ୍ତୁ ।’’ ସେ କଇଁ କଇଁ ହୋଇ କାନ୍ଦିଉଠି ପୁଣି କହିଲେ, ‘‘ମୁଁ ଯଦି ଗୋଟାଏ ନିର୍ଦ୍ଦିଷ୍ଟ ଦିନ କହିବି ଆପଣ ଆଉ ମୋତେ ବିରକ୍ତ କରିବେ ନାହିଁ ବୋଲି ପଣ କରିବେ ?’’

 

‘‘ହଁ ହଁ, ମୁଁ ପଣ କରୁଛି ।’’

 

‘‘ତେବେ ଶୁଣନ୍ତୁ । ସେ ଯଦି ନଫେରନ୍ତି, ଆଜିଠୁ ଛଅବର୍ଷ ପରେ ଠିକ୍ ଆଜି ଦିନରେ ମୁଁ ଆପଣଙ୍କୁ ବିବାହ କରିବି ।’’

 

ବୋଲ୍ଡ଼୍ଉଡ଼୍ ତାଙ୍କ ହାତ ଦୁଇଟି ଧରି ଚୁମ୍ୱନ କରି କହିଲେ, ‘‘ମୁଁ ଖୁବ୍ ଖୁସି ହେଲି । ଭଗବାନ୍ ତୁମର ମଙ୍ଗଳ କରନ୍ତୁ ।’’ ଏତିକି କହି ସେ ଘର ଭିତରକୁ ଚାଲିଗଲେ ।

 

ତାଙ୍କ ପଛେ ପଛେ କେତେ ମିନିଟ୍ ପରେ ବାଥସେବା ଉପର ମହଲାରୁ ତଳ ମହଲାକୁ ଓହ୍ଲାଇଲେ । ଘରର ସାମନା ପାଖ ଦରଜା ନିକଟକୁ ଯିବାପାଇଁ ହଲ୍‍ ଭିତର ଦେଇ ଯିବାକୁ ପଡ଼ିବ-। ସେ ସିଡ଼ିର ତଳ ପାହାଚରେ ଟିକିଏ ଠିଆହୋଇ ନାଚ କରୁଥିବା ଲୋକଙ୍କ ଆଡ଼କୁ ଚାହିଁଲେ । ଏତିକିବେଳେ ସାମନା ଦରଜାରେ କିଏ ଜୋରରେ ଠକ୍‌ ଠକ୍ କଲା । ଜଣେ ଲୋକ ଦରଜା ଖୋଲି ବାହାରକୁ ଗଲା । ଟିକିଏ ପରେ ଫେରି ଆସି କହିଲା, ‘‘ଶ୍ରୀମତୀ ଟ୍ରୟଙ୍କୁ ଖୋଜୁଛନ୍ତି-।’’

 

‘‘କିଏ ?’’ ବାଥସେବା ପଚାରିଲେ ।

 

‘‘କିଏ ଜଣେ ଅପରିଚିତ ଲୋକ ।’’

 

‘‘ତାଙ୍କୁ ଭିତରକୁ ଆସିବାକୁ କହ ।’’ ବୋଲ୍ଡ଼୍ଉଡ଼୍ କହିଲେ ।

 

ଖବର ପାଇ ଟ୍ରୟ ଆସି ବାଟ ମୁହଁରେ ପହଞ୍ଚିଲେ । ତାଙ୍କର ପାଦଠୁ ମୁଣ୍ଡଯାଏ ପୋଷାକରେ ଘୋଡ଼େଇହୋଇଛି । ସେତେବେଳକୁ ଗୀତ ନାଚ ବନ୍ଦ ହୋଇସାରିଥାଏ । ସମସ୍ତେ ଚୁପ୍‌ଚାପ୍ ରହି ଏଇ ଆଗନ୍ତୁକ ଆଡ଼କୁ ଚାହିଁଲେ । ଯେଉଁମାନେ ଆଗରୁ ଜାଣିଥିଲେ ଯେ ଟ୍ରୟ ଏଇ ପାଖ ଆଖରେ ଅଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ତାଙ୍କୁ ଚିହ୍ନି ପକାଇଲେ, ଅନ୍ୟମାନେ କିଛି ବୁଝି ପାରିଲେ ନାହିଁ । ବାଥସେବାଙ୍କ ଆଡ଼କୁ କାହାରି ନଜର ନାହିଁ । ସେ ପାହାଚକୁ ଆଉଜି ଠିଆହୋଇଥାନ୍ତି । ତାଙ୍କ ମୁହଁ ମଲାପରି ଫିକା ପଡ଼ି ଯାଇଥାଏ । ସେ ଆଁ କରି ଆଗନ୍ତୁକ ଆଡ଼କୁ ଚାହିଁରହିଥାନ୍ତି ।

 

ବୋଲ୍ଡ଼୍ଉଡ଼୍ ମଧ୍ୟ ଟ୍ରୟଙ୍କୁ ଚିହ୍ନି ପାରିଲେ ନାହିଁ । ହସି ହସି ସେ କହିଲେ, ‘‘ଆସ, ଆସ, ଭିତରକୁ ଆସ, ଆମ ସାଥିରେ ଆଜି ଏ ଖ୍ରୀଷ୍ଟମାସ୍‍ ଦିନରେ ମଉଜ ମଜଲିସ୍ କର ।’’

 

ଟ୍ରୟ ଘର ମଝିକୁ ଚାଲିଆସିଲେ । ମୁଣ୍ଡର ଟୋପିଟା ବାହାରକରି, କୋଟ୍ କଲର୍ ତଳକୁ ଖସାଇ ଦେଇ ସେ ସିଧା ବୋଲ୍ଡ଼୍ଉଡ଼୍‌ଙ୍କ ମୁହଁକୁ ଚାହିଁଲେ । ବୋଲ୍ଡ଼୍ଉଡ଼୍ ଏଥର ତାଙ୍କୁ ଚିହ୍ନି ପାରିଲେ । ଟ୍ରୟ ବାଥସେବାଙ୍କ ଆଡ଼କୁ ମୁହଁ ବୁଲାଇଲେ । ସେତେବେଳକୁ ବାଥସେବା ତଳ ପାହାଚଟାରେ ବସିପଡ଼ିଥାନ୍ତି । ତାଙ୍କ ମୁହଁ କଳା ଆଉ ଶୁଖିଲା ପଡ଼ିଯାଇଥାଏ । ସେ ଜଳ ଜଳ କରି ଟ୍ରୟଙ୍କ ଆଡ଼କୁ ଚାହିଁଥାନ୍ତି; ସତେ ଯେମିତି ସେ ଭାବୁଥାନ୍ତି ଏ ସବୁ ଘଟଣା ଗୋଟେ ଭୟଙ୍କର ଦୁଃସ୍ୱପ୍ନ ।

 

‘‘ବାଥସେବା, ମୁଁ ତୁମ ପାଖକୁ ଆସିଛି ।’’ —ଟ୍ରୟ କହିଲେ ।

 

ବାଥସେବା କିଛି ଉତ୍ତର ଦେଲେ ନାହିଁ ।

 

ଟ୍ରୟ ତାଙ୍କ ପାଖକୁ ଚାଲିଯାଇ କହିଲେ, ‘‘ଆସ, ମୋ ସାଥିରେ ଘରକୁ ଆସ ।’’

 

ତଥାପି ବାଥସେବା କିଛି ଉତ୍ତର ଦେଲେ ନାହିଁ ।

 

ଟ୍ରୟ ତାଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, ‘‘ମୋ କଥା ଶୁଭୁଛି ?’’

 

ଚମକିଲା ପରି ବାଥସେବା ପଛକୁ ଘୁଞ୍ଚିଗଲେ । ଟ୍ରୟ ଏଥିରେ ବିରକ୍ତ ହୋଇ ତାଙ୍କ ହାତଧରି ଜୋରରେ ଟାଣିଦେଲେ । ବାଥସେବା ଚିତ୍କାର କରିଉଠିଲେ । କେତେ ସେକେଣ୍ଡ ଭିତରେ ଗୋଟାଏ କାନଫଟା ଶବ୍ଦ ଶୁଭିଲା ଆଉ ଘରଟା ଧୂଆଁରେ ପୂରିଗଲା । ଚମକିପଡ଼ି ସମସ୍ତେ ବୋଲ୍ଡ଼୍ଉଡ଼୍‌ଙ୍କ ଆଡ଼େ ଚାହିଁଲେ । ସେ ନିଆଁ କୁଣ୍ଡ ପାଖରେ ଠିଆହୋଇଥିଲେ । ତାଙ୍କ ପଛ ପାଖେ ଗୋଟିଏ ଥାକରେ ବନ୍ଧୁକ ଥୁଆହୋଇଥିଲା । ବାଥସେବା ଯେତେବେଳେ ଚିତ୍କାର କରିଉଠିଲେ, ବୋଲ୍ଡ଼୍ଉଡ଼୍ ବୁଲିପଡ଼ି, ଥାକରୁ ବନ୍ଧୁକ ଆଣି ଟ୍ରୟଙ୍କୁ ଲକ୍ଷ୍ୟକରି ଫୁଟାଇଦେଲେ ।

 

ଟ୍ରୟ ତଳେ ପଡ଼ିଗଲେ । ଶେଷଥର ପାଇଁ ସେ ଏକ ଦୀର୍ଘନିଶ୍ୱାସ ପକାଇଲେ, ତା’ପରେ ସବୁ ଶେଷ । ବୋଲ୍ଡ଼୍ଉଡ଼୍ ଶୀଘ୍ର ବନ୍ଧୁକ ନଳୀଟା ନିଜ ଆଡ଼କୁ ବୁଲାଇନେଲେ । କିନ୍ତୁ ସେ ବନ୍ଧୁକ ଫୁଟାଇବା ଆଗରୁ ସାମ୍ ଦୌଡ଼ିଯାଇ ତାଙ୍କ ହାତରୁ ବନ୍ଧୁକଟା ଛଡ଼ାଇନେଲା ।

 

ବୋଲ୍ଡ଼୍ଉଡ଼୍ କହିଲେ, ‘‘ସେଥିରେ କିଛି ଲାଭ ନାହିଁ । କାରଣ ମୋର ମୃତ୍ୟୁ ପାଇଁ ଆଉ ଗୋଟାଏ ବାଟ ଖୋଲାଅଛି ।’’

 

ସେ ବାଥସେବାଙ୍କ ନିକଟକୁ ଆସି ତାଙ୍କ ହାତରେ ଚୁମ୍ୱନ ଦେଇ ଦରଜା ଖୋଲି ବାହାରକୁ ଚାଲିଗଲେ । କେହି ତାଙ୍କୁ ଅଟକେଇବା କଥା ଭାବିଲେ ନାହିଁ ।

 

ବାଥସେବାଙ୍କ ଚିତ୍କାର ଶୁଣି ଗାବ୍ରିଏଲ୍‍ ଆଉ ଲିଡ଼ି ତାଙ୍କ ପାଖକୁ ଧାଇଁଗଲେ । ବାଥସେବା କହି ଉଠିଲେ, ‘‘ହେ ଭଗବାନ, ସବୁ ମୋରି ଦୋଷ । ମୁଁ ବଞ୍ଚିବି କିପରି ?’’

 

ତିନିମାସ ପରେ

 

ମାର୍ଚ୍ଚମାସର ଗୋଟେ ଦିନ । ଧୀରପବନ ବହୁଥାଏ । ସୂର୍ଯ୍ୟକିରଣ ନାହିଁ କିମ୍ୱା କୁହୁଡ଼ି ବି ନାହିଁ । ଉଏଦରବେରିର ଲୋକେ ବୋଲ୍ଡ଼୍ଉଡ଼୍‌ଙ୍କ ତରଫରୁ ହୋମ୍ ସେକ୍ରେଟାରୀଙ୍କ ପାଖରେ ଗୋଟେ ଦର୍ଖାସ୍ତ ଦେଇଥିଲେ । ତାର ଫଳାଫଳ ଶୁଣିବାକୁ ସେମାନେ ଉଦ୍‌ଗ୍ରୀବ ହୋଇ ଅପେକ୍ଷାକରି ରହିଥାନ୍ତି ।

 

ସେଦିନ ରାତିର ଦୁର୍ଘଟଣା ପରେ ବୋଲ୍ଡ଼୍ଉଡ଼୍ ଘରୁ ବାହାରିଗଲେ । ସେ ସିଧା କାଷ୍ଟର୍‍ବ୍ରିଜ୍ ଥାନାକୁ ଯାଇ ସର୍ଜେଣ୍ଟ ଟ୍ରୟଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଗଲେ । ଲୋକେ ଭାବିଲେ ଯେ ବିଚାରବେଳେ ବି ସେ ନିଜକୁ ଦୋଷୀ ବୋଲି ସ୍ୱୀକାର କରିବେ । ଠିକ୍ ସେଇଆ ହେଲା । ସେ ଦୋଷୀ ବୋଲି ମାନିଗଲେ । ବିଚାରରେ ତାଙ୍କୁ ପ୍ରାଣଦଣ୍ଡ ଆଦେଶ ହେଲା ।

 

କିନ୍ତୁ ଘଟଣାଟା ସେଠି ଶେଷ ହେଲା ନାହିଁ । ଗ୍ରୀନ୍‍ହିଲ୍ ଯାତ୍ରା ଦିନୁ ତାଙ୍କ ଚିହ୍ନା ଜଣା ଲୋକେ ତାଙ୍କ ଅସାଧାରଣ ହାବଭାବ ଆଉ ଉତ୍ତେଜନା ଲକ୍ଷ୍ୟ କରିଥିଲେ । ଅବଶ୍ୟ ପ୍ରଥମେ ଗାବ୍ରିଏଲ୍ ଆଉ ବାଥସେବାଙ୍କ ବ୍ୟତୀତ ଅନ୍ୟ କେହି ତାଙ୍କର ମାନସିକ ଦୁର୍ବଳତା କଥା ସନ୍ଦେହ କରି ନଥିଲେ । କିନ୍ତୁ କ୍ରମେ ଲୋକଙ୍କର ବିଶ୍ୱାସ ହେଲା ଯେ, ବୋଲ୍ଡ଼୍ଉଡ଼୍ ପରବର୍ତ୍ତୀ କାମ ପାଇଁ ନୈତିକ ଦୃଷ୍ଟିରୁ ଦାୟୀ ନୁହନ୍ତି । ତାଙ୍କ ମାନସିକ ଅସ୍ଥିରତାର ପ୍ରମାଣ ସ୍ୱରୂପ ଅତୀତର ଅନେକ ଘଟଣା ଲୋକଙ୍କର ମନେପଡ଼ିଲା । ତେଣୁ ସେମାନେ କୃପା ଭିକ୍ଷା କରି, ସବୁ କାରଣ ଦର୍ଶାଇ, ହୋମ୍‍ ସେକ୍ରେଟାରୀଙ୍କ ପାଖକୁ ଦର୍ଖାସ୍ତ ଦେଇଥିଲେ ।

 

ସେଇ ଦର୍ଖାସ୍ତର ଫଳାଫଳକୁ ସମସ୍ତେ ଉଦ୍‌ବିଗ୍ନ ହୋଇ ଅପେକ୍ଷା କରି ଥିଲେ । ବୋଲ୍ଡ଼୍ଉଡ଼୍‌ଙ୍କ ଦଣ୍ଡ ଘୋଷଣାର ପନ୍ଦର ଦିନ ପରେ ଶନିବାର ସକାଳ ଆଠଟାରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା କଥା । ଶୁକ୍ରବାର ସନ୍ଧ୍ୟାସୁଦ୍ଧା କିଛି ଖବର ଆସିଲା ନାହିଁ । ସେତିକିବେଳେ ଗାବ୍ରିଏଲ୍ କାଷ୍ଟର୍‍ବ୍ରିଜ୍‌ରୁ ଫେରିଲା । ସେ ଜେଲରେ ବୋଲ୍‍ଡ଼୍ଉଡ଼୍‌ଙ୍କ ସଙ୍ଗେ ଶେଷ ଦେଖା କରିବାକୁ ଯାଇଥିଲା ।

 

ସେ ଘରେ ପହଞ୍ଚିବା ମାତ୍ରେ ଗାଁରୁ ଅଧେ ତା ପାଖକୁ ଧାଇଁଲେ । ବଡ଼ ବିବ୍ରତ ହୋଇ ଗାବ୍ରିଏଲ୍‍ କହିଲା, ‘‘କିଛି ଖବର ଆସିନାହିଁ । ଆଉ କିଛି ଆଶା ଥିଲା ପରି ମନେହୁଏନା । ଆଚ୍ଛା, ଶ୍ରୀମତୀ ଟ୍ରୟଙ୍କ ଅବସ୍ଥାର କ’ଣ କିଛି ପରିବର୍ତ୍ତନ ଘଟିଛି ?’’

 

‘‘କିଛି ନାହିଁ । ସେ ଆସ୍ତେ ଆସ୍ତେ ଭଲ ଅବସ୍ଥାକୁ ଆସୁଥିଲେ । ସେଇ ଖ୍ରୀଷ୍ଟମାସ୍‍ ଦିନଠୁ ପୁଣି ବିଛଣାରେ ପଡ଼ି ରହିଛନ୍ତି । ତୁମେ ଫେରିଲଣି କି ନାହିଁ ବରାବର ପଚାରି ଲାଗିଛନ୍ତି । ମୁଁ ଯାଇ ତୁମ ଫେରିବା କଥା ତାଙ୍କୁ କହିବି ?’’

 

‘‘ନା, ତଥାପି ମଧ୍ୟ ଆଶା ଅଛି । କିନ୍ତୁ ମୁଁ ଆଉ ବେଶୀ ସମୟ ସହରରେ ରହିପାରିଲି ନାହିଁ ।’’ ସେ ଲୋକ ଗହଳିରେ ଥିବା ଜଣେ ଡେଙ୍ଗା ଲୋକକୁ ଚାହିଁକହିଲେ, ‘‘ମୁଁ ଭାବୁଛି ତୁମେ ଗୋଟେ ଘୋଡ଼ାରେ ଶେଷଥରପାଇଁ ଆଜି ରାତିରେ ସହରକୁ ଯାଅ । ଏଠୁ ନଅଟାବେଳେ ଯିବ, ସେଠି ଟିକେ ଅପେକ୍ଷା କରି କିଛି ଖବର ଆସିଲେ ବାରଟା ବେଳକୁ ଏଠିକି ଫେରି ଆସିବ । ଲୋକେ କହୁଥିଲେ ଏଗାରଟା ଭିତରେ କିଛି ଖବର ନଆସିଲେ ଆଉ ଆଶା ନାହିଁ ।’’

 

ଲିଡ଼ି କହିଲା, ‘‘ମୋର ଦୃଢ଼ ଆଶା ଜୀବନ ରକ୍ଷା ହେବ । ତା’ ନହେଲେ ବାଥସେବା ବି ପାଗଳ ହୋଇଯିବେ । ବିଚାରୀ ଅନେକ ଦୁଃଖ କଷ୍ଟ ପାଇଲେଣି । ତାଙ୍କୁ ଦେଖିଲେ ବିକଳ ଲାଗୁଛି-।’’

 

କୋଗାନ୍ ପଚାରିଲା, ‘‘ତାଙ୍କ ଅବସ୍ଥା କ’ଣ ବେଶୀ ଖରାପ ହୋଇଯାଇଛି ?’’

 

‘‘ଖ୍ରୀଷ୍ଟମାସ୍ ପରଠୁ ତୁମେ ଯଦି ତାଙ୍କୁ ଦେଖିନାହଁ, ତେବେ ଏବେ ଦେଖିଲେ ଚିହ୍ନିପାରିବ ନାହିଁ । ଦି ବର୍ଷ ତଳର ତାଙ୍କର ସେ ହସ ହସ ମୁହଁ, ସେ ଆଖି, ଆଜି କିଛି ନାହିଁ ।’’ –ଲିଡ଼ି ବ୍ୟସ୍ତ ହୋଇ କହିଲା ।

 

ଲାବାନ୍ କାଷ୍ଟର୍‍ବ୍ରିଜ୍ ସହରକୁ ଯାଇଥିଲା । ସେଦିନ ରାତି ଏଗାରଟା ବେଳକୁ ଗାଁର ଅଧିକାଂଶ ଲୋକ ତାରି ଅପେକ୍ଷାରେ କାଷ୍ଟର୍‍ବ୍ରିଜ୍‍ ରାସ୍ତାରେ ଖଣ୍ଡେ ବାଟ ଆଗକୁ ଚାଲିଲେ । ସେମାନଙ୍କ ସାଥିରେ ଗାବ୍ରିଏଲ୍ ଏବଂ ବାଥସେବାଙ୍କର ଅନ୍ୟ ଲୋକମାନେ ବି ଥାଆନ୍ତି । ଶେଷରେ ଦୂରରୁ ଘୋଡ଼ା ଟାପୁର ଶବ୍ଦ ଶୁଭିଲା ।

 

କୋଗାନ୍ କହି ଉଠିଲା, ‘‘ଭଲମନ୍ଦ ଯାହା କିଛି ଖବର ଏଇନେ ମିଳିଯିବ ।’’ ସେମାନେ ସମସ୍ତେ ରାସ୍ତା ଉପରକୁ ଚାଲିଆସିଲେ । ଘୋଡ଼ାଟା ଦେଖାଗଲା ।

 

ଗାବ୍ରିଏଲ୍ ପଚାରିଲା, ‘‘କିଏ, ଲାବାନ ତ ?’’

 

‘‘ହଁ, ଖବର ଆସିଯାଇଛି । ତାଙ୍କର ପ୍ରାଣଦଣ୍ଡ ବନ୍ଦ ହେଲା । ତା ବଦଳରେ ସେ ସାରାଜୀବନ କାରାଦଣ୍ଡ ଭୋଗକରିବେ ।’’

 

ଆନନ୍ଦରେ ଡେଇଁପଡ଼ି କୋଗାନ୍ କହିଲା, ‘‘ଯାହାହେଉ, ଭଗବାନ ବଡ଼ଲୋକ !’’

 

ବିଜନ ସୌନ୍ଦର୍ଯ୍ୟ

 

ବାଥସେବାଙ୍କ ଅବସ୍ଥା କ୍ରମେ ଭଲହୋଇଆସିଲା । ଖରାଦିନ ହେଲାରୁ ସେ ବେଶୀ ସମୟ ଘରେ ନରହି ବାହାରେ ବୁଲାଚଲା କଲେ । ସେଦିନ ଅଗଷ୍ଟ ମାସର ଶୁକ୍ରବାର । ସେ ରାସ୍ତାରେ ଚାଲ୍ ଚାଲ୍ ହୋଇ ଗାଁ ଭିତରକୁ ଆସିଲେ । ଖ୍ରୀଷ୍ଟମାସ୍‌ ପରେ ତାଙ୍କ ବଗିଚା ସୀମାରୁ ପଦାକୁ ବାହାରିବା ଏଇ ତାଙ୍କର ପ୍ରଥମ । ସେ ଗିର୍ଜା ପାଖରେ ପହଞ୍ଚିଲେ । ଭିତରୁ ଗୀତ ଶୁଣାଯାଉ ଥିଲା । ସେଥିରୁ ସେ ଜାଣିଲେ ଯେ ଗାଇବାବାଲା ଗୀତ ଅଭ୍ୟାସ କରୁଛନ୍ତି । ସେ କବରସ୍ଥାନଆଡ଼େ ଯାଇ ଧୀରେ ଧୀରେ ଗୋଟାଏ କଣକୁ ଚାଲିଗଲେ । ଏଇଠି ଦିନେ ଟ୍ରୟ ଫାନିରବିନ୍‌ର କବର ଉପରେ ଫୁଲଗଛ ଲଗାଇଥିଲେ । ବାଥସେବା ମାର୍ବଲ ପଥରରେ ଗଢ଼ା ସମାଧି ପାଖକୁ ଯାଇ ସେଥିରେ ଥିବା ଲେଖା ପଢ଼ିଲେ । ପ୍ରଥମେ ଟ୍ରୟଙ୍କ ନିଜ ଲେଖା–

 

‘‘ଫାନିରବିନ୍‌ର ପ୍ରେମସ୍ମୃତି ଫ୍ରାନ୍‌ସିସ୍ ଟ୍ରୟଙ୍କ ଦ୍ୱାରା ନିର୍ମିତ ।’’

 

ତା ତଳେ ଏବେ ନୂଆ ଅକ୍ଷରରେ ଲେଖାଥିଲା–

 

‘‘ଏଇ ଏକା ସମାଧି ଭିତରେ ରହିଛି ଫ୍ରାନ୍‌ସିସ୍ ଟ୍ରୟଙ୍କ ନଶ୍ୱର ଦେହ ।’’

 

‘‘ଗିର୍ଜା ଭିତରେ ପୁଣି ଅର୍ଗାନ୍ ବାଜିଉଠିଲା । ବାଥସେବା ଗିର୍ଜାର ଦ୍ୱାରପାଖକୁ ଯାଇ ଠିଆହୋଇ ଶୁଣିଲେ । ଦରଜା ବନ୍ଦ ଥିଲା । ଭିତରେ ଗୀତ ବୋଲିବା ଲୋକେ ଗୋଟେ ନୂଆ ଗୀତ ଶିଖୁଥିଲେ ।

 

‘‘ଚାରି ଦିଗେ ମୋର ଘେରି ରହିଅଛି ଘନଘୋର ଅନ୍ଧକାର,

ଦିଅ ହେ ଆଲୋକ, କହିଦିଅ ପଥ, ହେ ପ୍ରଭୁ ପରମେଶ୍ୱର ।’’

 

ବାଥସେବା ମୁଖଶାଳାର ପଥର ବେଞ୍ଚ ଉପରେ ବସିପଡ଼ିଲେ । ଗୀତ ଶୁଣୁ ଶୁଣୁ ତାଙ୍କ କଣ୍ଠ ରୁଦ୍ଧ ହୋଇଆସିଲା, ଆଉ ଆଖିରେ ଲୁହ ଭରିଗଲା । ସେ ଥରେ କାନ୍ଦିବା ଆରମ୍ଭ କଲେ ଆଉ ସହଜରେ ବନ୍ଦ କରିପାରନ୍ତି ନାହିଁ । ଭିତରେ ଯେଉଁ ପିଲାମାନେ ଗୀତ ବୋଲୁଛନ୍ତି ତାଙ୍କ ପରି ନିରୀହ ଆଉ ସୁଖୀ ହେବାପାଇଁ ସେ ସବୁ କିଛି ତ୍ୟାଗ କରିପାରିଥାନ୍ତେ । ଅତୀତର ସବୁ ଦୁଃଖ ଦୁର୍ଦ୍ଦଶା ତାଙ୍କର ଏଇ ଲୁହଧାର ଦେଇ ପଦାକୁ ବାହାରି ଆସିଲା । ସେ ଅନେକଟା ଆସ୍ୱସ୍ତି ଅନୁଭବ କଲେ ।

 

ବାଥସେବା ମୁଣ୍ଡ ନୁଆଇ, ଦୁଇହାତ ପାପୁଲିରେ ମୁହଁ ରଖି ବସିଥାନ୍ତି । କେତେବେଳେ ଯେ ଜଣେ ଲୋକ ସେ ମୁଖଶାଳାକୁ ଆସି ନୀରବରେ ଠିଆହୋଇ ତାଙ୍କୁ ଲକ୍ଷ୍ୟ କରୁଛି ସେ ଜାଣିପାରିଲେ ନାହିଁ । ସେ ମୁଣ୍ଡ ଟେକି ଉପରକୁ ଚାହିଁଲେ । ତାଙ୍କ ଆଖି ଆଉ ମୁହଁ ଲୁହରେ ଭିଜିଯାଇଥାଏ । ବିଚଳିତହୋଇ ସେ କହିଲେ, ‘‘ମିଷ୍ଟର ଗାବ୍ରିଏଲ୍, ତୁମେ କେତେବେଳୁ ଏଠିକି ଆସିଲଣି ?’’

 

‘‘ଏଇ ଅଳ୍ପ କେତେ ମିନିଟ୍ ହେଲା ।’’

 

‘‘କ’ଣ ଗିର୍ଜା ଭିତରକୁ ଯାଉଛ ?’’

 

‘‘ମୁଁ ଯାଇଥିଲି । ଗୀତ ଗାୟକମାନଙ୍କ ଭିତରୁ ମୁଁ ଜଣେ । ଭାବୁଛି ଆଉ ଏଇଲେ ଗିର୍ଜାକୁ ଯିବି ନାହିଁ ।’’

 

ସେମାନେ କିଛି ସମୟ ସେଇପରି ବିଚଳିତ ହୋଇ ଠିଆ ହୋଇ ରହିଲେ । ବାଥସେବା ଗାବ୍ରିଏଲ୍‍ର ଅଲକ୍ଷ୍ୟରେ ନିଜର ମୁହଁ ପୋଛିବାକୁ ଚେଷ୍ଟା କରୁଥାନ୍ତି । ଶେଷରେ ଗାବ୍ରିଏଲ୍‍ କହିଲା ‘‘ତୁମକୁ ମୁଁ ଅନେକ ଦିନ ହେଲା ଦେଖିନଥିଲି, ତେଣୁ କଥାବାର୍ତ୍ତା କରିବାକୁ ସୁବିଧା ପାଇନାହିଁ । ତୁମ ସାଥିରେ ଏଇ କାମ ସମ୍ପର୍କରେ ପଦେ ଅଧେ କଥାବାର୍ତ୍ତା ଥିଲା ।’’

 

‘‘କ’ଣ କୁହ ।’’

 

‘‘ତୁମ ଖମାରର ବୁଝାସୁଝା କାମ ମୁଁ ଛାଡ଼ିଦେବି । ମୁଁ ମିଷ୍ଟର ବୋଲ୍ଡ଼୍ଉଡ଼୍‌ଙ୍କ ଖମାରଟା କିଣିବାର ଯୋଗାଡ଼ କରୁଛି । ତେଣୁ ତୁମର ଖମାରୀ କାମ କଲାବେଳକୁ ମୋତେ ଖୁବ୍ କଷ୍ଟ ହେବ-।’’

 

ଏ କଥା ଶୁଣି ବାଥସେବା ଏକାବେଳକେ ଭାଙ୍ଗି ପଡ଼ିଲେ । ତାଙ୍କ ପ୍ରତି ଗାବ୍ରିଏଲ୍‌ର ଅତୀତର ସ୍ନେହ ଏତେ ଚଞ୍ଚଳ ଦୂର ହୋଇଯିବ ବୋଲି ସେ ଭାବିନଥିଲେ । ତାଛଡ଼ା ତାଙ୍କ ବିନା ସେ ଖମାର ଚଳାଇବେ କିପରି ? ଟ୍ରୟଙ୍କ ମୃତ୍ୟୁ ପରଠାରୁ ତାଙ୍କର ସମସ୍ତ ବ୍ୟବସାୟ, ବିକା କିଣା ଗାବ୍ରିଏଲ୍ ବୁଝାସୁଝା କରେ ।

 

ଅତି ଦୁଃଖରେ ବାଥସେବା କହିଲେ, ‘‘ଗାବ୍ରିଏଲ୍, ତୁମେ ଚାଲିଗଲେ ମୁଁ କ’ଣ କରିବି ? ତୁମେ ମୋ ପାଖରେ ଅନେକ ଦିନରୁ ରହିଛି । ମୋର ସୁଦିନ ଆଉ ଦୁର୍ଦ୍ଦିନରେ ତୁମେ ମୋର ପୁରୁଣା ବନ୍ଧୁ । ଏବେ ମୋତେ ଛାଡ଼ିଯିବ ତୁମେ କ’ଣ ଏଡ଼େ ନିଷ୍ଠୁର ? –ବୋଲ୍ଡ଼୍ଉଡ଼୍ ଖମାର କିଣିଲେ ମଧ୍ୟ ତୁମେ ନିଶ୍ଚୟ ମୋତେ ସାହାଯ୍ୟ କରିପାରିବ ।’’

‘‘ମୁଁ ଖୁସିରେ ତା କରନ୍ତି । କିନ୍ତୁ ଆମ ବିଷୟରେ ଯେଉଁ କଥା ଉଠୁଛି.... ।’’

‘‘କି କଥା ?’’

‘‘ଲୋକେ କହୁଛନ୍ତି, ମୁଁ କୁଆଡ଼େ ଦିନେ ତୁମକୁ ବିବାହ କରିବାପାଇଁ ଏଠି ଏମିତି ପଡ଼ିରହିଛି ।’’

ଗାବ୍ରିଏଲ୍‍ ଭାବିଥିଲା ଏ କଥା ଶୁଣି ବାଥସେବା ଚମକି ଉଠିବେ । କିନ୍ତୁ ଅବିଚଳିତ ଭାବେ ବାଥସେବା କହିଲେ, ‘‘ମୋତେ ବିବାହ କରିବ ? ଏତେ ଶୀଘ୍ର ସେ କଥା ମୁଁ ଚିନ୍ତା କରିନାହିଁ-।’’

ଗାବ୍ରିଏଲ୍ କିଛି କ୍ଷଣ ଯାଏଁ ବାଥସେବାଙ୍କ ମୁହଁକୁ ଏକ ଲୟରେ ଚାହିଁରହିଲା । ତା’ପରେ ଖୁବ୍ ପାଖକୁ ଆସି କହିଲା–

‘‘ବାଥସେବା, ମୁଁ ଖାଲି ଯଦି ଜାଣନ୍ତି, ଯେ ତୁମେ ମୋତେ ଭଲ ପାଇ ପାରିବ କି ନାହିଁ, ଭବିଷ୍ୟତରେ ମୋତେ ବିବାହ କରିବ କି ନାହିଁ, କେବଳ ସେତିକି ଜାଣିଲେ ?’’

‘‘କିନ୍ତୁ ସେ କଥା ତୁମେ କେବେ ଜାଣି ପାରିବ ନାହିଁ ।’’

‘‘କାହିଁକି ?’’

‘‘କାରଣ ତୁମେ ସେକଥା କେବେ ପଚାରିନାହଁ ।’’

ଆନନ୍ଦରେ ହସି ଗାବ୍ରିଏଲ୍ କହିଲା, ‘‘ଓଃ, ଏଇକଥା !’’

ବାଥସେବା ଉଠି ଠିଆ ହୋଇ କହିଲେ, ‘‘ଆଜି ଏଠିକି ଆସି ମୁଁ କେଡ଼େ ଆନନ୍ଦିତ ! ମୁଁ ଏବେ ତୁମ କଥା ବହୁତ ଭାବିଛି । କିନ୍ତୁ ଭାବିଥିଲି ତୁମେ ମୋତେ ଆଉ ଦେଖାଦେବ ନାହିଁ ।’’ ନିଜର ହାତ ଦୁଇଟି ଗାବ୍ରିଏଲ୍‍ ଆଡ଼କୁ ବଢ଼ାଇଦେଇ ସେ କହିଲେ, ‘‘ଆମେ ଆଉ କେତେ ମାସ ଅପେକ୍ଷା କରିବା ଗାବ୍ରିଏଲ୍ । ତା’ପରେ ନିରାଡ଼ମ୍ୱରରେ ବିବାହ କାମ ହୋଇଯିବ ।’’

ତା’ପରେ–ଶୀତଦିନର ଏକ କୁହୁଡ଼ିଆ ସକାଳ । ଦଶଟାବେଳେ ଗାବ୍ରିଏଲ୍ ତାଙ୍କ ଘରୁ ଆସି ବାଥସେବାଙ୍କ ଘର କବାଟରେ ଠକ୍ ଠକ୍ କଲେ । ଦଶମିନିଟ୍ ପରେ ଗୋଟାଏ ବଡ଼ ଆଉ ଗୋଟେ ଛୋଟ, ଦୁଇଟି ଛତା ସେଇ ଦରଜା ବାଟ ଦେଇ ବାହାରି ଗିର୍ଜା ଆଡ଼କୁ ଆଗେଇଲା । ଛତାତଳେ ଗାବ୍ରିଏଲ୍ ଆଉ ବାଥସେବା । ଜୀବନରେ ପ୍ରଥମ ଥର ପାଇଁ ହାତ ଧରାଧରି ହୋଇ ଚାଲିଥାନ୍ତି । ଗାବ୍ରିଏଲ୍ ଗୋଟେ ଓଭରକୋଟ୍ ଆଉ ବାଥସେବା ଗୋଟେ ଲମ୍ୱା ପୋଷାକ ପିନ୍ଧିଥାନ୍ତି-। ସେଇ ସାଧାରଣ ପୋଷାକ ଭିତରେ ତାଙ୍କର ତରୁଣ ରୂପ ବେଶ୍ ସୁନ୍ଦର ଦେଖାଯାଉଥାଏ । ଆନନ୍ଦରେ ତାଙ୍କ ମୁହଁ ଉଜ୍ଜ୍ୱଳ । ଗାବ୍ରିଏଲ୍‌ଙ୍କ ଅନୁରୋଧରେ ସେ ମୁଣ୍ଡ ବାଳକୁ ଅତୀତରେ ସଜାଇଲାପରି ସଜାଇଥାନ୍ତି । ଅନେକ ଦିନ ତଳେ ଯେଉଁ ତରୁଣୀକୁ ଗାବ୍ରିଏଲ୍ ପ୍ରେମ କରୁଥିଲେ, ବାଥସେବା ଆଜି ଠିକ୍ ସେଇ ତରୁଣୀ । ଏଇଟା ମଧ୍ୟ କିଛି ବିଚିତ୍ର ନୁହେଁ, କାରଣ ଏବେ ତାଙ୍କର ବୟସ ମୋଟେ ତେଇଶ ବର୍ଷ । ଗିର୍ଜାରେ ଲାବାନ୍, ଲିଡ଼ି ଆଉ ପୁରୋହିତ ଉପସ୍ଥିତ ଥିଲେ ଏବଂ ଖୁବ୍ କମ୍ ସମୟରେ କାମ ଶେଷ ହୋଇଗଲା ।

ସେଦିନ ସନ୍ଧ୍ୟାରେ ବାଥସେବାଙ୍କ ବୈଠକଖାନାରେ ଦୁହେଁ ବସିଥାନ୍ତି । ବାହାରେ ଗୋଟେ ତୋପ ଫୁଟିବାର ଶବ୍ଦ ହେଲା, ତା’ପରେ ଘନଘନ ତୁରୀ ବାଜିଉଠିଲା । ହସି ହସି ଗାବ୍ରିଏଲ୍‍ କହିଲେ, ‘‘ଏଇ ଦେଖ, ମୁଁ ଜାଣିଥିଲି ତୁମ ଲୋକେ କିଛି ଗୋଟେ କରିବା ମତଲବରେ ଅଛନ୍ତି । ତାଙ୍କ ମୁହଁ ସେ କଥା କହୁଥିଲା ।’’

ସେ ଆଉ ତାଙ୍କ ପଛେ ପଛେ ବାଥସେବା ସାମନା ପାଖ ଦରଜାବାଟେ ବାହାରକୁ ଗଲେ । ବାହାରେ ଅନେକ ଲୋକ ଠିଆହୋଇଥାନ୍ତି । ନବ ଦମ୍ପତିଙ୍କୁ ଦେଖିବାମାତ୍ରେ ସେମାନେ ହର୍ଷଧ୍ୱନି କରି ଉଠିଲେ । ଗାବ୍ରିଏଲ୍ କହିଲେ, ‘‘ଭିତରକୁ ଆସ ଭାଇମାନେ ! ମୋ ସ୍ତ୍ରୀ ଆଉ ମୋ ସାଥିରେ କିଛି ଖିଆପିଆ କର ।’’

ଜାନ୍ କୋଗାନ୍ କହିଉଠିଲା, ‘‘ନା ନା, ଆଜି ନୁହେଁ । ଆଉ ଦିନେ ତାର ବ୍ୟବସ୍ଥା ହେବ-। ଆମେ କେବଳ ସାଥି ଗାବ୍ରିଏଲ୍ ଆଉ ତାଙ୍କ ସୁନ୍ଦରୀ ପତ୍ନୀଙ୍କର ଦୀର୍ଘଜୀବନ ଆଉ ମଙ୍ଗଳ କାମନା କରିବାକୁ ଆସିଥିଲୁ ।’’ ଅନ୍ୟ ସାଥିମାନଙ୍କ ଆଡ଼କୁ ମୁହଁ ବୁଲାଇ ସେ କହିଲା, ‘‘ଦେଖ, ସେ କେମିତି ସୁନ୍ଦର ଭଙ୍ଗୀରେ ‘ମୋ ସ୍ତ୍ରୀ’ ବୋଲି କହିବାକୁ ଶିଖିଗଲେଣି, ନୁହେଁ !’’

ଗାବ୍ରିଏଲ୍ ଆଉ ବାଥସେବାଙ୍କ ମୁହଁରେ ହସର ରେଖା ଫୁଟି ଉଠିଲା । ଲୋକମାନେ ବିଦାୟନେଇ ଚାଲିଗଲେ । ଗାବ୍ରିଏଲ୍ ଆଉ ବାଥସେବା ହାତ ଧରାଧରି ହୋଇ ହସି ହସି ଘର ଭିତରକୁ ଚାଲିଗଲେ ।

Image